କଙ୍ଗନାଙ୍କ ଲାଗି ମୁହଁ ଖୋଲିଲେ ତନୁଶ୍ରୀ ଦତ୍ତା : କୌଣସି ବଡ଼ ଅଭିନେତାଙ୍କ ସାହାଯ୍ୟ ନ ନେଇ ନିଜକୁ ବଲିଉଡ୍‌ର ରାଣୀ ବୋଲି ପ୍ରମାଣ କରିଛନ୍ତି ସେ

ମୁମ୍ବାଇ : ‘ମଣିକର୍ଣ୍ଣିକା’ ରିଲିଜ୍‌ ହେବା ପରେ ବିବାଦରେ ରହିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ । କିଛି କଳାକାର ତାଙ୍କ ନିର୍ଦ୍ଦେଶନାକୁ ପସନ୍ଦ କରି ନ ଥିବା ବେଳେ କିଛି ଫିଲ୍ମକୁ ପସନ୍ଦ କରି ନାହାନ୍ତି । କିନ୍ତୁ ଏତେ ସବୁ ବିବାଦ ପରେ ମଧ୍ୟ ନିଜକୁ ଅଟଳ ରଖି ଆଗକୁ ବଢ଼ିଛନ୍ତି କଙ୍ଗନା । ଫିଲ୍ମ ମଧ୍ୟ ବକ୍ସ ଅଫିସରେ ଆୟ କରି ଚାଲିଥିବା ଦେଖା ଯାଇଛି । ୧୦୦କୋଟିରେ ଫିଲ୍ମ ପହଞ୍ଚିବାକୁ ଥିବା ବେଳେ ସମସ୍ତ ନକାରାତ୍ମକ କଥାକୁ ଏଡ଼ାଇ ନିଜ ଫିଲ୍ମର ପ୍ରମୋସନ କରିବାରେ ଲାଗିଛନ୍ତି କଙ୍ଗନା ।

ପୂର୍ବରୁ ଅଭିନେତା ଅନୁପମ୍‌ ଖେର୍‌ କଙ୍ଗନାଙ୍କୁ ପ୍ରକୃତ ରକ୍‌ଷ୍ଟାର ବୋଲି କହିଥିବା ବେଳେ ଏବେ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ତାଙ୍କୁ ବଲିଉଡ୍‌ର କୁଇନ୍‌ ବୋଲି କହିଛନ୍ତି । କଙ୍ଗନା ଜଣେ ଏ ପ୍ଲସ୍‌ ପ୍ଲସ୍‌ ଅଭିନେତ୍ରୀ ବୋଲି ପ୍ରମାଣ ହୋଇ ସାରିଥିବା କହିଛନ୍ତି ତନୁଶ୍ରୀ ।

Times of India

ତାଙ୍କ କହିବା ଅନୁଯାୟୀ,”କଙ୍ଗନା ଏକମାତ୍ର ଏମିତି ଅଭିନେତ୍ରୀ,ଯିଏ କାହାର ସାହାଯ୍ୟ ନ ନେଇ ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି । କୌଣସି ହାଇପ୍ରୋଫାଇଲ ସର୍‌ନେମ୍‌ ନ ଥାଇ ମଧ୍ୟ ସେ ଆଜି ବଲିଉଡ୍‌ର କୁଇନ୍‌ ପାଲଟିଛନ୍ତି । ସେ ନିଜକୁ ପ୍ରମାଣ କରିବା ସହ ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି । ଗଡ୍‌ଫାଦର ନ ଥାଇ ମଧ୍ୟ ବଲିଉଡ୍‌ରେ ତିଷ୍ଠି ରହିହେବ ବୋଲି ପ୍ରମାଣ କରିଛନ୍ତି କଙ୍ଗନା । କିଛି ଲୋକ କଙ୍ଗନାଙ୍କ ପ୍ରତିଭାକୁ ନେଇ ଭୟଭୀତ ଥିବାରୁ ସେମାନେ ତାଙ୍କୁ ସମର୍ଥନ କରୁ ନାହାନ୍ତି । ‘ମଣିକର୍ଣ୍ଣିକା’ ସଫଳ ହେବା ସେମାନେ ଦେଖି ପାରୁ ନାହାନ୍ତି । ଯାହା ପାଇଁ ସେମାନେ କଙ୍ଗନାଙ୍କ ବିରୋଧରେ ଗପିବା ଆରମ୍ଭ କରିଛନ୍ତି” ବୋଲି କହିଛନ୍ତି ତନୁଶ୍ରୀ । ତନୁଶ୍ରୀଙ୍କ ଏଭଳି ପ୍ରତିକ୍ରିୟାର ଜବାବ କଙ୍ଗନା କ’ଣ ରଖୁଛନ୍ତି,ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧିତ ଖବର