ମୁମ୍ବାଇ : ୨୦୧୮ରେ ଖୁବ୍ ସକ୍ରିୟ ହୋଇଥିଲା #ମି ଠୁ ଅଭିଯାନ । ଏହି ଅଭିଯାନ ଜରିଆରେ ବିଭିନ୍ନ କଳାକାର ନିଜ ସହ ହୋଇଥିବା ଯୌନ ଅସଦାଚରଣର ଅଭିଯୋଗ ଆଣିଥିଲେ । ଅନେକ ଦିଗ୍ଗଜ ନେତାଙ୍କ ଅସଲ ମୁଖା ଖୋଲିଥିଲା । ପ୍ରଥମେ ଭାରତରେ ଏହାକୁ ସକ୍ରିୟ କରିଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଏବେ ମଧ୍ୟ ନ୍ୟାୟ ପାଇଁ ଲଢ଼େଇ କରୁଛନ୍ତି । ବଲିଉଡ୍ ଅଭିନେତା ନାନା ପାଟେକରଙ୍କ ଉପରେ ଯୌନ ଅସଦାଚରଣର ଅଭିଯୋଗ ଆଣିଥିବା ବେଳେ ଏ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳି ନାହିଁ । ଏହି ଘଟଣାକୁ ନେଇ ଚର୍ଚ୍ଚା ଥମି ଆସୁଥିବା ବେଳେ କେବିସିରେ ଏ ସମ୍ବନ୍ଧିତ ପ୍ରଶ୍ନ ପଚାରି ବିଗ୍ ବି ପୁଣି ଏହାକୁ ଚର୍ଚ୍ଚିତ କରିଛନ୍ତି ।
କେବିସି-୧୧କୁ ଆସିଥିବା ଜଣେ ପ୍ରତିଯୋଗୀଙ୍କୁ ତନୁଶ୍ରୀଙ୍କ ଶବ୍ଦ ଶୁଣାଯାଇଥିଲା । ଯେଉଁଥିରେ ସେ ନିଜ ସହ ଘଟିଥିବା ଯୌନ ଅସଦାଚରଣ ବିଷୟରେ କହୁଥିଲେ । ଶବ୍ଦ ଶୁଣାଇ ସ୍ୱରଟି କାହାର ବୋଲି ପ୍ରତିଯୋଗୀଙ୍କୁ ପ୍ରଶ୍ନ କରିଥିଲେ ବିଗ୍ ବି । ଏହାର ୪ଟି ବିକଳ୍ପ ଥିଲା ତନୁଶ୍ରୀ ଦତ୍ତା, ଟିନା ଦତ୍ତା, କଙ୍ଗନା ରାଣାଓ୍ଵତ୍ ଓ ମନ୍ଦନା କରିମି । ବିକଳ୍ପ ଶୁଣିବା ପରେ ତନୁଶ୍ରୀଙ୍କ ନାଁ କହି ପୁରସ୍କାର ରାଶି ଜିତିଥିଲେ ପ୍ରତିଯୋଗୀ । ପରେ ବିଗ୍ ବି ତନୁଶ୍ରୀଙ୍କ ପ୍ରଶଂସା କରିବା ସେ ବହୁତ ବାହାଦୂର ବୋଲି କହିଥିଲେ । ଯାହାର ଭିଡିଓ ତନୁଶ୍ରୀଙ୍କୁ ତାଙ୍କର ଜଣେ ବନ୍ଧୁ ପଠାଇବା ପରେ ସେ ଖୁସି ହେବା ସହ ବିଗ୍ ବିଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।
/sambad/media/post_attachments/02f80722b1674ebde296f6102babed8f4a8e24beffa54fe4afb3284f981de34f.jpeg)
ବିଗ୍ ବିଙ୍କ ପ୍ରଶଂସା ଶୁଣି ତନୁଶ୍ରୀ କହିଛନ୍ତି କି, ମୁଁ ଏ ପର୍ଯ୍ୟନ୍ତ ସେ ଅଧ୍ୟାୟ ଦେଖି ନାହିଁ । କିନ୍ତୁ ମୋର ଜଣେ ବନ୍ଧୁ ସେହି ଭିଡିଓ କ୍ଲିପ୍ଟି ପଠାଇଥିଲେ । ଏତେ ବଡ଼ ସୋ’ରେ ମୋର ସ୍ୱର ଏବଂ କଥା ଲୋକଙ୍କ ପାଖରେ ପହଞ୍ଚିଲା ଏବଂ ବିଗ୍ ବି ମୋତେ ପ୍ରଶଂସା କଲେ, ଯାହା ପାଇଁ ମୁଁ ବହୁତ ଖୁସି ।