ଇମ୍ରାନଙ୍କ ସହ ପ୍ରଥମ ଚୁମ୍ବନ ଦୃଶ୍ୟ ‘ଅଜବ’ ଥିଲା‌; ଦିତୀୟ ବେଳକୁ ସ୍ବାଭାବିକ ହୋଇ ଯାଇଥିଲେ ତନୁଶ୍ରୀ

ମୁମ୍ବାଇ: ଏକ ସମୟରେ ବଲିଉଡ୍‌ ଅଭିନେତା ଇମ୍ରାନ ହାସ୍‌ମି ଓ ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କ ଯୋଡ଼ିକୁ ଲୋକେ ଖୁବ୍ ଭଲପାଇବା ଓଜାଡ଼ି ଦେଇଥିଲେ। ସେମାନଙ୍କ ଫିଲ୍ମ ‘ଆସିକ ବନାୟା ଆପ୍‌ନେ’ର ଚୁମ୍ବନ ଦୃଶ୍ୟ ବଲିଉଡର ଅନ୍ୟତମ ଚର୍ଚ୍ଚିତ ଚୁମ୍ବନ ଦୃଶ୍ୟ ପାଲଟିଥିଲା। ସେ ସମୟରେ ‘ଆସିକ୍ ବନାୟା ଆପ୍‌ନେ’ର ଟାଇଟଲ୍‌ ଟ୍ରାକ୍‌ଟି ଯୁବପିଢ଼ିମାନଙ୍କ ମୁହଁରେ ବସି ଯାଇଥିଲା।

ନିକଟରେ ଅଭିନେତ୍ରୀ ତନୁଶ୍ରୀ ସେହି ଗୀତ ସୁଟିଂ ସମୟରେ ନିଜର ଅଭିଜ୍ଞତା ବିଷୟରେ ବଖାଣିଛନ୍ତି। ତାହାକୁ ସେ ନିହାତି ‘ଅଜବ’ ବୋଲି କହିଛନ୍ତି। ସେ ଏକଥା ବି କହିଛନ୍ତି ଯେ ପରଦା ପଛରେ ଇମ୍ରାନ ଓ ତାଙ୍କ ମଧ୍ୟରେ ସେପରି ଟିକେ ବି ସଂପର୍କ ନଥିଲା।

ତନୁଶ୍ରୀ ଦତ୍ତ ଏବଂ ଇମ୍ରାନ ହାସ୍‌ମିଙ୍କ ସେହି ଚୁମ୍ବନ ଦୃଶ୍ୟ ସେ ସମୟରେ ବିବାଦୀୟ ଓ ଆଲୋଚନାର ବିଷୟ ହୋଇଥିଲା। ଅଭିନେତ୍ରୀ ତନୁଶ୍ରୀ ଦେଇଥିବା ଏକ ସାକ୍ଷାତକାରରେ ଏ ବିଷୟକୁ ସ୍ପଷ୍ଟ କରିଥିଲେ । ସେ କହିଥିଲେ, ‘‘ମୋ ପାଇଁ ଇମ୍ରାନ ପ୍ରଥମ ଦିନରୁ ସବୁବେଳେ ଅଭିନେତା ରହିଆସିଛନ୍ତି। ମୁଁ ତାଙ୍କ ସହିତ ତିନୋଟି ଚଳଚ୍ଚିତ୍ର କରିଥିଲି। ଆମେ ‘ଚକୋଲେଟ’ରେ ମଧ୍ୟ ଏକ ଚୁମ୍ବନ ଦୃଶ୍ୟର ସୁଟିଂ କରିଥିଲୁ, କିନ୍ତୁ ସେମାନେ ଏହାକୁ ଚଳଚ୍ଚିତ୍ରରେ ରଖିନଥିଲେ।’’

ତାଙ୍କ କହିବାନୁସାରେ ପ୍ରଥମ ଥର ଇମ୍ରାନଙ୍କ ସହ କରିଥିବା ଚୁମ୍ବନ ଦୃଶ୍ୟ ସମୟର ଅନୁଭବ ଖୁବ୍‌ ଅଜବ ଥିବା ବେଳେ ଦ୍ବିତୀୟ ଥର ବେଳକୁ ସେ ଟିକେ ସ୍ବାଭାବିକ ହୋଇ ଯାଇଥିଲେ। ଆଉ ଅଡୁଆ ଲାଗି ନଥିଲା। ଉଲ୍ଲେଖଯୋଗ୍ୟ, ତନୁଶ୍ରୀ ଦତ୍ତ ଏବଂ ଇମ୍ରାନ୍ ହାସ୍‌ମି ତିନୋଟି ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି, ତାହା ହେଉଛି ‘ଆସିକ ବନାୟା ଆପନେ’, ‘ଚକୋଲେଟ୍’ ଏବଂ ‘ଡିପ୍‌ ଡାର୍କ ସିକ୍ରେଟ୍‌’।

ସମ୍ବନ୍ଧିତ ଖବର