କୁସୁମ କୋଳି ଚୋରି କରିବାକୁ ଯାଇ ଭାଇର ହାତ ଭାଙ୍ଗିଥିଲା

ଆମ ମୟୂରଭଞ୍ଜ ଆଡ଼େ ମିଳେ କୁସୁମ କୋଳି। ପାଟିକୁ ଭାରି ସୁଆଦ। ଖଟା ମିଠା ସ୍ବାଦ ତା’ର। ପୁଣି ସେ ଏକ ଖରାଦିନିଆ କୋଳି। ଖରା ଛୁଟି ହେଲେ ଆମେ ସବୁ ଗାଁକୁ ଯାଉ। ଆଉ ଖରା ବେଳେ ଲୁଚି ଲୁଚି ସେଇ କୁସୁମ କୋଳି ଚୋରି କରିବା ମିସନ୍‌ରେ ଭାଇ ଭଉଣୀ ବାହାରି ପଡ଼ୁ। ଦିନେ ସେମିତି ଏକ ଖରା ବେଳେ ଆମେ ୩ ଭାଇ ଓ ୨ ସାନ ଭଉଣୀ ମିଶି କୋଳି ଚୋରା ଅଭିଯାନରେ ବାହାରିଥିଲୁ। ଅତି ମିଠା ଲାଗୁଥିବା କୋଳି ଗଛଟି ଦୂର ହୋଇଥିଲେ ବି ସେହି ଗଛ ପାଖକୁ ଗଲୁ। ମୁଁ ଓ ମୋର ଗୋଟେ ସାନ ଭାଇ ଗଛରେ ଚଢ଼ି କୋଳି ତୋଳୁଛୁ, ହଠାତ୍‌ ସେ ଗଛରୁ ପଡ଼ିଗଲା। ଆଘାତ ବାଜିବା ଫଳରେ ତା’ର ହାତଟି ଜୋର୍‌ରେ ଫୁଲିଗଲା। ଛୋଟ ଥିବାରୁ ଆମେମାନେ ତା’ ହାତ ଭାଙ୍ଗିବା କଥା ଜାଣିପାରିନଥିଲୁ। କିନ୍ତୁ ମାଡ଼ ଖାଇବା ଭୟରେ ଘରକୁ ଫେରିବା ରାସ୍ତାରେ ନିଷ୍ପତ୍ତି ନେଲୁ ଘରେ ମିଛ କହିବାକୁ। ପୋଖରୀରେ ଗୋଡ଼ ଖସି ପଡ଼ିଯାଇଥିବା ବାହାନା ‌ଦେଖାଇବା ବୋଲି ସବୁ ଭାଇ ଭଉଣୀ କଥା ହେଲୁ। ଆମର ସବା ସାନ ଭଉଣୀକୁ ବି ଶିଖେଇଲୁ ଯଦି ତୁ ମିଛ କହିବୁ ‌ତେବେ ତତେ ଆମେ ଚକୋଲେଟ୍ ଦେବୁ। ସେ ବି ହଁ ମାରିଲା। ଘରେ ପହଞ୍ଚିଲୁ। ଘରେ ପଚାରିବାରୁ ଆମେ ସମସ୍ତେ ପୋଖରୀରେ ଗୋଡ଼ ଖସିବା କଥା କହିଲୁ। କିନ୍ତୁ ଆମ ସାନ ଭଉଣୀକୁ ଘରେ ଚକୋଲେଟ୍‌ ଲୋଭ ଦେଖାଇବାରୁ ସେ ସବୁ ସତ କହିଦେଲା। ତା‌’ ପରେ ଓଃ କି ମାଡ଼ ଥିଲା… କୋଳି ନିଶା ପୂରା ଛାଡ଼ିଗଲା ଆମମାନଙ୍କର।

ସମ୍ବନ୍ଧିତ ଖବର