ସୁନ୍ଦରୀ ତାପସୀ ପନ୍ନୁ ବର୍ତ୍ତମାନ ତାଙ୍କର ନୂଆ ଫିଲ୍ମ ‘ମୁଲ୍କ୍’ର ସୁଟିଂରେ ବ୍ୟସ୍ତ ଅଛନ୍ତି। କିନ୍ତୁ ତା’ରି ଭିତରେ ନିର୍ଦ୍ଦେଶକ ସାଦ୍ ଅଲ୍ଲୀଙ୍କ ଆଗାମୀ ଫିଲ୍ମ ପାଇଁ ମଧ୍ୟ ନିଜକୁ ପ୍ରସ୍ତୁତ କରୁଛନ୍ତି। ସେ ଫିଲ୍ମରେ ତାପସୀଙ୍କ ଭୂମିକା ହେଉଛି ଅଲମ୍ପିକ୍ରେ ଭାରତକୁ ପ୍ରତିନିଧିତ୍ୱ କରିଥିବା ଜଣେ ମହିଳା ହକି ଖେଳାଳୀ। ସେ ଭୂମିକା ପାଇଁ ନିଜକୁ ପ୍ରସ୍ତୁତ କରିବାଲାଗି ତାପସୀ ସମୟ କାଢ଼ି ନିୟମିତ ହକି ଅଭ୍ୟାସ କରୁଛନ୍ତି। ତା’କୁ ସେ ଖୁବ୍ ଉପଭୋଗ ବି କରୁଛନ୍ତି।
ଉଲ୍ଲେଖନୀୟ କଥା ହେଉଛି, ତାପସୀଙ୍କ ବାପା ମଧ୍ୟ ଜଣେ ପୂର୍ବତନ ହକି ଖେଳାଳି। ସେ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ହକି ଦଳରେ ଥିଲେ। ତେଣୁ ଘରେ ସବୁବେଳେ ହକି ସଂପର୍କରେ ଚର୍ଚ୍ଚା ହେଉଥିବାର ତାପସୀ ପିଲାଟିବେଳୁ ଦେଖି ଆସିଛନ୍ତି। ତେବେ ହକିକୁ ସେ ଭଲ ପାଉଥିଲେ ମଧ୍ୟ ନିଜେ କେବେ ଖେଳି ନ ଥିଲେ କି କେବେ ହକି ଷ୍ଟିକ୍ ହାତରେ ଧରିବେ ବୋଲି ଚିନ୍ତା କରି ନ ଥିଲେ। ତାପସୀ ଖୁସି ଯେ ତାଙ୍କର ଏଇ ଫିଲ୍ମଟିକୁ ନେଇ ତାଙ୍କ ବାପା ଖୁବ୍ ଖୁସିହେବେ।
ଶୁଣା ଯାଉଛି, ଏଇ ଫିଲ୍ମର କାହାଣୀ ବିଶିଷ୍ଟ ହକି ଖେଳାଳି ସନ୍ଦୀପ ସିଂହଙ୍କ ଜୀବନୀ ଉପରେ ଆଧାରିତ। ଏଥିରେ ତାପସୀଙ୍କ ସହିତ ଅଭିନୟ କରିବେ ଦଲ୍ଜିତ୍ ଦୋସଂଝ୍ ଓ ଅଙ୍ଗଦ ଦେବୀ ପ୍ରମୁଖ।