ଅଭିନେତ୍ରୀ ତାରା ସୁତାରିୟାଙ୍କ ଜୀବନର ସର୍ବପ୍ରଥମ ସ୍ବପ୍ନ ପୂରଣ ହୋଇଛି। ଆସନ୍ତା ସପ୍ତାହରେ ମୁକ୍ତିଲାଭ କରିବାକୁ ଥିବା ‘ଏକ୍ ଭିଲେନ ରିଟର୍ନସ୍’ ଚଳଚ୍ଚିତ୍ରରେ ତାରା ପ୍ରଥମ ଥର ପାଇଁ ଏକ ପ୍ରଚ୍ଛଦ ଗୀତ ଗାଇବାର ସୁଯୋଗ ପାଇଛନ୍ତି। ଅନେକଙ୍କର ହୁଏତ ମନେ ନ ଥିବ ଯେ ସେ ଏକ ସଂଗୀତ କାର୍ଯ୍ୟକ୍ରମରୁ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ। ବାଲ୍ୟକାଳରେ ଜଣେ ପେସାଦାର ଗାୟିକା ଭାବେ ସେ ଡିଜ୍ନି ଇଣ୍ଡିଆର ‘ବିଗ୍ ବଡ଼ା ବୁମ୍’ (୨୦୦୭-୦୮)ରେ ଭାଗ ନେଇଥିଲେ।
ସେ ପାଶ୍ଚାତ୍ୟ ସଂଗୀତରେ ପ୍ରଶିକ୍ଷିତା ଏବଂ ପୃଥିବୀର ବିଭିନ୍ନ ଦେଶରେ ଆୟୋଜିତ କନ୍ସର୍ଟରେ ସେ ଗୀତ ଗାଇସାରିଛନ୍ତି। ତେବେ ସେ ସିନେମାରେ ଅଭିନୟ ଆରମ୍ଭ କରିବା ଦିନରୁ ନିଜ ଅଭିନୀତ ଚଳଚ୍ଚିତ୍ରରେ ଗୀତ ଗାଇବାର ସୁଯୋଗ ଖୋଜୁଥିଲେ। ଅଢ଼େଇ ବର୍ଷ ପୂର୍ବେ ନିର୍ଦେଶକ ମୋହିତ ସୂରୀ ନିଜର ଫିଲ୍ମରେ ଗାୟିକା ଚରିତ୍ରରେ ଅଭିନୟ ପାଇଁ ଜଣେ ଅଭିନେତ୍ରୀଙ୍କୁ ଖୋଜୁଥିଲେ। ଛୋଟ ବେଳୁ ଗୀତ ଗାଇଆସୁଥିବା ତାରା ଏହି ଚରିତ୍ର ପାଇଁ ନିଜକୁ ଉପଯୁକ୍ତ ପ୍ରମାଣିତ କରିବା ପରେ ତାଙ୍କର ସ୍ବପ୍ନ ଚରିତାର୍ଥ ହୋଇଛି। ‘ଏକ୍ ଭିଲେନ୍ ରିଟର୍ନସ୍’ରେ ସେ ଗାଇଥିବା ଗୀତର ଶୀର୍ଷକ ହେଉଛି ‘ଶାମତ’।
ସଂଗୀତ ନିର୍ଦେଶକ ଅଙ୍କିତ ତିଵାରୀଙ୍କ କହିବା ଅନୁସାରେ ତାରା ଏହି ଗୀତ ପାଇଁ ବହୁତ କଠିନ ପରିଶ୍ରମ କରିଛନ୍ତି, ଯାହା ଗୀତଟିର ଲୋକପ୍ରିୟତାରୁ ସ୍ପଷ୍ଟ ମଧ୍ୟ ହୋଇସାରିଛି। ଏହି ଚଳଚ୍ଚିତ୍ରରେ ତାରାଙ୍କ ଅଭିନୀତ ଚରିତ୍ରର ନାମ ହେଉଛି ‘ଆରଭି’, ଯିଏ ଜଣେ ରକ୍ଷ୍ଟାର୍। ଏହି ପରଦା ଚରିତ୍ର ସହିତ ତାରାଙ୍କର ଅନେକ ସାମଞ୍ଜସ୍ୟ ଥିବାରୁ ସେ ଏ ନେଇ ଖୁବ୍ ଉତ୍ସାହିତ। ତାଙ୍କ ସହିତ ଏଥିରେ ଅଭିନୟ କରିଛନ୍ତି ଅଭିନେତ୍ରୀ ଦିଶା ପଟାନୀ। ଦୁଇଜଣ ଯାକ ନିର୍ଭୀକ, ଆତ୍ମବିଶ୍ବାସୀ ଓ ଅପରାଜେୟ ନାରୀ ଭାବେ ଏହି ଚଳଚ୍ଚିତ୍ରରେ ଦେଖାଦେବେ। ସେମାନଙ୍କ ସହିତ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଜନ୍ ଅବ୍ରାହମ ଓ ଅର୍ଜୁନ କପୁର। ୨୦୧୪ର ସୁପର୍ହିଟ୍ ଚଳଚ୍ଚିତ୍ର ‘ଏକ ଭିଲେନ୍’ର ଉତ୍ତରପର୍ବ ଭାବେ ‘ଏକ ଭିଲେନ୍ ରିଟର୍ନସ୍’ ଆସନ୍ତା ୨୯ ତାରିଖରେ ମୁକ୍ତିଲାଭ କରିବ।