ର୍ବତନ ଫ୍ରେଞ୍ଚ ଓପନ୍ ଓ ୱିମ୍ବଲଡନ୍ ଚାମ୍ପିଅନ୍ ତଥା ସ୍ପେନୀୟ ଟେନିସ୍ ତାରକା ଗାର୍ବିନ୍ ମୁଗୁରୁଜା ନିକଟରେ ନିଜ ନିର୍ବନ୍ଧ ସମ୍ପନ୍ନ ହୋଇଥିବା କଥା ଘୋଷଣା କରିଛନ୍ତି। ରୋଚକ କଥା ହେଉଛି ଆସନ୍ତା ବର୍ଷ ସେ ଯାହାକୁ ବିବାହ କରିବାକୁ ଯାଉଛନ୍ତି ସେ ହେଉଛନ୍ତି ତାଙ୍କର ଜଣେ ପ୍ରଶଂସକ। ୨୦୨୧ରେ ସେମାନଙ୍କ ପ୍ରେମ କାହାଣୀ ଏକ ବିଶେଷ ଯୋଗାଯୋଗରୁ ଆରମ୍ଭ ହୋଇଥିଲା। ସେତେବେଳେ ଅତ୍ୟନ୍ତ ପ୍ରତିଯୋଗିତାମୂଳକ ୟୁଏସ୍ ଓପନ୍ ପ୍ରତିଯୋଗିତା ଚାଲିଥିବାରୁ ନ୍ୟୁୟର୍କର ଏକ ହୋଟେଲ୍ରେ ରହୁଥିବା ଗାର୍ବିନ୍ ଚାପମୁକ୍ତ ହେବାକୁ ନିକଟସ୍ଥ ସେଣ୍ଟ୍ରାଲ୍ ପାର୍କ ବୁଲିବାକୁ ଯାଇଥିଲେ। ବାଟରେ ଚାଲିଚାଲି ଯିବା ବେଳେ ଜଣେ ଅଜଣା ପୁରୁଷ ତାଙ୍କୁ ୟୁଏସ୍ ଓପନ୍ ପ୍ରତିଯୋଗିତା ପାଇଁ ‘ଗୁଡ୍ ଲକ୍’ କହି ଏକ ସେଲ୍ଫି ନେବାକୁ ଅନୁରୋଧ କରିଥିଲେ। ତାଙ୍କ ସହ ଫଟୋ ଉଠାଇବା ପରେ ଗାର୍ବିନ୍ ମନେ ମନେ ଭାବିଥିଲେ ଯେ ବ୍ୟକ୍ତିଜଣକ ଖୁବ୍ ସୁନ୍ଦର ଦିଶୁଛନ୍ତି।
ସେହି ଅଜଣା ବ୍ୟକ୍ତି ଥିଲେ ଆର୍ଥର୍ ବୋର୍ଜେସ୍। କ୍ରମେ ସେମାନଙ୍କର ଦେଖାସାକ୍ଷାତ୍ ଓ ମିଳାମିଶା ବଢ଼ିଥିଲା। ଆର୍ଥର୍ଙ୍କ ପ୍ରତି ଗାର୍ବିନ୍ ଆକୃଷ୍ଟ ହେବାର କାରଣ ହେଲା ସେ ଟେନିସ୍ ଖେଳ ସହ ସଂପୃକ୍ତ ନୁହନ୍ତି ବରଂ ଫ୍ୟାସନ୍ ଶିଳ୍ପ ସହ ସଂପୃକ୍ତ। ପୁଣି ଗାର୍ବିନ୍ ଯେମିତି ଅଧା ସ୍ପେନୀୟ ଓ ଅଧା ଭେନିଜୁଏଲାନ୍, ଠିକ୍ ସେମିତି ଆର୍ଥର୍ ସ୍ପେନ୍ରେ ଜନ୍ମ ହୋଇ ଫିନ୍ଲାଣ୍ଡ୍ରେ ପରବର୍ତ୍ତି ଜୀବନ କାଟିଛନ୍ତି। ସେହି କାରଣରୁ ଉଭୟଙ୍କ ମଧ୍ୟରେ ଭଲ ବୁଝାମଣା ରହିଆସିଛି। ପ୍ରାୟ ଦୁଇ ବର୍ଷର ପ୍ରେମ ପରେ ଆର୍ଥର୍ ନିକଟରେ ଗାର୍ବିନ୍ଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ଏବଂ ସେ ତାଙ୍କ ପ୍ରସ୍ତାବରେ ହଁ ଭରିଥିଲେ। ଆସନ୍ତା ବର୍ଷ ସ୍ପେନ୍ରେ ସେମାନଙ୍କ ବିବାହ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।