ନୂଆଦିଲ୍ଲୀ: ବିବାହର ୨୩ବର୍ଷ ପରେ ପରସ୍ପରଠାରୁ ଅଲଗା ହେବେ ସାଉଥ ସୁପରଷ୍ଟାର ଥଲପତି ବିଜୟ ଓ ପତ୍ନୀ ସଙ୍ଗୀତା। ଦୁହେଁ ପରସ୍ପରକୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇସାରିଥିବା ଚର୍ଚ୍ଚା ହେଉଛି। ଦୁହିଁଙ୍କ ବିବାହକୁ ୨୩ବର୍ଷରୁ ଅଧିକ ସମୟ ବିତିଥିବା ବେଳେ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ପୁଅର ନାଁ ଜାସନ୍ ଏବଂ ଝିଅଙ୍କ ଦିବ୍ୟା। ଅଭିନେତା ତାଙ୍କର ଆଗାମୀ ଚଳଚ୍ଚିତ୍ର 'ବାରିସୁ'ର ପ୍ରଚାରରେ ବ୍ୟସ୍ତ ଥିବା ବେଳେ ଫିଲ୍ମର ଟ୍ରେଲର ଓ ଗୀତକୁ ଦର୍ଶକ ବହୁତ ପସନ୍ଦ କରୁଥିବା ଦେଖାଯାଇଛି। ଏମଧ୍ୟରେ ଅଭିନେତାଙ୍କ ଛାଡ଼ପତ୍ର ଖବର ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଛି।
ସଙ୍ଗୀତା, ଅଟଲିଙ୍କ ପତ୍ନୀ ପ୍ରିୟାଙ୍କ ବେବି ସାୱାର ଏବଂ ଫିଲ୍ମ 'ବାରିସୁ'ର ମ୍ୟୁଜିକ୍ ଲଞ୍ଚରେ ବିଜୟଙ୍କ ସହ ନଜର ଆସିନଥିଲେ। ଏହି କାରଣରୁ ଦୁହେଁ ଅଲଗା ହେଉଥିବା ଚର୍ଚ୍ଚା ଜୋର ଧରିଥିଲା। ତେବେ ଏହି ଦମ୍ପତିଙ୍କ ନିକଟ ସୂତ୍ର ପିଙ୍କଭିଲ୍ଲାଙ୍କୁ କହିଛି ଯେ, ଛାଡପତ୍ର ଖବର ସତ୍ୟ ନୁହେଁ। ସଙ୍ଗୀତା ପିଲାମାନଙ୍କ ସହ ଆମେରିକାରେ ଛୁଟି କାଟୁଛନ୍ତି। ସେଥିପାଇଁ ସେ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇପାରୁନାହାନ୍ତି।
ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୨୫, ୧୯୯୯ରେ ବିଜୟ-ସଙ୍ଗୀତା ବିବାହ କରିଥିଲେ। ସେମାନେ ଉଭୟ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ପରମ୍ପରାରେ ବିବାହ କରିଥିଲେ। ବିଜୟ ଏବଂ ସଙ୍ଗୀତା ସେମାନଙ୍କର ପ୍ରଥମ ସନ୍ତାନ ଜେସନ ସଞ୍ଜୟଙ୍କୁ ବିବାହର ବର୍ଷେ ପରେ ସ୍ୱାଗତ କରିଥିଲେ ଏବଂ ସେପ୍ଟେମ୍ବର ୨୦୦୫ରେ ସେମାନେ ଝିଅ ଦିବ୍ୟା ସାଶାଙ୍କ ମାତାପିତା ହୋଇଥିଲେ। ସେମାନେ ବର୍ତ୍ତମାନ ୨୩ବର୍ଷରୁ ଅଧିକ ସମୟ ଧରି ଏକାଠି ଅଛନ୍ତି ।