ରିଆଲିଟି ସୋ’ରେ ସଫଳତା ପାଇ ସିନେମାରେ ଅଭିନୟ କରୁଥିବା ନାୟିକାମାନଙ୍କ ମଧ୍ୟରେ ତନୁଶ୍ରୀ ଅନ୍ୟତମ। ତରଙ୍ଗ ଟିଭିରେ ପ୍ରସାରିତ ‘ବିଗ୍ ବ୍ରେକ୍ ସିଜିନ୍-୨’ର ଫାଇନାଲିଷ୍ଟ ହେବା ପରେ ତାଙ୍କୁ ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଟେଲି ସିନେମା ‘ଅନୁ ଦିଦି ନଟ୍ ଆଉଟ୍’ରେ ଅଭିନୟ କରିବା ଲାଗି ପ୍ରଥମ ସୁଯୋଗ ମିଳିଥିଲା। ଏହାପରେ ତନୁଶ୍ରୀ ଗୋଟିକ ପରେ ଗୋଟିଏ ଟେଲି ସିନେମାରେ ନଜର ଆସିଲେ। ତା’ପରେ ତରଙ୍ଗର ଟେଲି ସିନେମା ‘ଆମେ ତ ମିଡିଲକ୍ଲାସ’ରେ ଅନ୍ୟତମ ନାୟିକା ଭାବେ କାମ କରିଥିଲେ ତନୁଶ୍ରୀ।

Advertisment

ଏହି ସିନେମାରେ ତାଙ୍କର ନାୟକ ଭୂମିକାରେ ଥିଲେ ଶୁଭାଶିଷ(ମଣ୍ଟୁ)। ରାସେଶ ମହାନ୍ତି ନିର୍ଦ୍ଦେଶିତ ଏହି ଛବିରେ ଅନ୍ୟମାନଙ୍କ ମଧ୍ୟରେ ମହାପ୍ରସାଦ କର, ମହିମା ଓ ଅଶ୍ରୁମୋଚନ ପ୍ରମୁଖଙ୍କୁ ଦେଖିବାକୁ ମିଳିଥିଲା। ଏହାଛଡ଼ା ସେ ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ଟେଲି ସିନେମା ‘ପ୍ରେମିକାୟ ନମଃ’ରେ ବି ନାୟିକା ଭୂମିକାରେ ନଜର ଆସିଥିଲେ। ଏଥିରେ ତାଙ୍କର ନାୟକ ଥିଲେ ରିଷି। ତେଣେ ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ଟେଲି ସିନେମା ‘ବୋଉ’ରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ ତନୁଶ୍ରୀ। ଏଥିରେ ବରିଷ୍ଠ ଅଭିନେତ୍ରୀ ସ୍ମିତା ମହାନ୍ତିଙ୍କୁ ଶୀର୍ଷକ ଚରିତ୍ରରେ ଦେଖିବାକୁ ମିଳିଥିଲା। ଏହାଛଡ଼ା ନିର୍ଦ୍ଦେଶକ ନିରଞ୍ଜନ ବେହେରାଙ୍କ ଚଳଚ୍ଚିତ୍ର ‘ସରକାରୀ ଜ୍ବାଇଁ’ରେ ବି ନାୟିକା ଭୂମିକାରେ ଅଭିନୟ କରିଥିଲେ ତନୁଶ୍ରୀ। ଏଣେ ରମେଶ ବାରିକଙ୍କ ପ୍ରଯୋଜିତ ତଥା ଶ୍ରୀତମ୍ ଦାସଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘ମହାବାହୁ’ରେ ବି ଅଭିନୟ କରିଥିଲେ ସେ।

ଅଭିନେତ୍ରୀ ହେବା ଲାଗି ମନସ୍ଥ କରି ପ୍ରତିଯୋଗିତାମୂଳକ ରିଆଲିଟି ସୋ’ ‘ବିଗ୍ ବ୍ରେକ୍ ସିଜିନ୍-୨’ରେ ଅଂଶ ଗ୍ରହଣ କରିଥିଲେ ତନୁଶ୍ରୀ। ଏଥିରେ ଫାଇନାଲିଷ୍ଟ ହେବା ପରେ ଆଉ ପଛକୁ ଫେରି ଚାହିଁନାହାନ୍ତି ସେ। ଏବେ ସେ ଓଲିଉଡ୍‌ର ଜଣେ ଜଣାଶୁଣା ନାୟିକା।

ଏବେ ତନୁଶ୍ରୀ ନିଜର ନୂଆ ସିନେମା ଅପେକ୍ଷାରେ ଅଛନ୍ତି। ତପନ କୁମାର ଦାଶଙ୍କ ପ୍ରଯୋଜିତ ତଥା ସୁଧାଂଶୁମୋହନ ସାହୁଙ୍କ ନିର୍ଦ୍ଦେଶିତ ‘ଆଶ୍ରମ’ରେ ସେ ଅନ୍ୟତମ ନାୟିକା ଭୂମିକାରେ ଅଛନ୍ତି। ତନୁଶ୍ରୀ କହନ୍ତି, ‘‘ଏହି ସିନେମାରେ ମହାଶ୍ବେତା ମ୍ୟାଡାମଙ୍କ ସହ କାମ କରି ମୋର ଏକ ବଡ଼ ସ୍ବପ୍ନ ପୂରଣ ହୋଇଛି। ଏବେ ବି ଆଉ କେତେକ ସିନେମା ଲାଗି ଅଫର୍ ମିଳିଛି। ଖୁବ୍ ଶୀଘ୍ର ତାର ନାମ ଘୋଷଣା ହୋଇପାରେ।’’ ସଂପ୍ରତି ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଯୁକ୍ତ ୩ ବିଏସ୍‌ସି ବିଏଡ୍ ତୃତୀୟ ବର୍ଷର ଛାତ୍ରୀ ତନୁଶ୍ରୀ ଆଗାମୀ ଦିନରେ ଜଣେ ଶିକ୍ଷୟିତ୍ରୀ ହେବାର ଆଶା ରଖିଛନ୍ତି। ଏହାଛଡ଼ା ଅଭିନୟ ଯାତ୍ରାକୁ ଜାରି ରଖିବେ ବୋଲି କହନ୍ତି ତନୁଶ୍ରୀ।
-ଶିବଶଙ୍କର ଓଝା