ମୁମ୍ବାଇ : ଓମ୍ ରାଉତଙ୍କ ‘ଆଦିପୁରୁଷ’ ଚଳଚ୍ଚିତ୍ରକୁ ନେଇ ଏବେ ବଡ଼ ବିବାଦ ସୃଷ୍ଟି ହୋଇଛି । ଚଳଚ୍ଚିତ୍ରଟି ରାମାୟଣ ଉପରେ ଆଧାରିତ, ଯେଉଁଥିରେ ରାମଚନ୍ଦ୍ରଙ୍କ ଭୂମିକାରେ ପ୍ରଭାସ, ସୀତାଙ୍କ ଭୂମିକାରେ କୃତି ସାନୋନ ଏବଂ ଲଙ୍କାପତି ରାବଣ ଭୂମିକାରେ ସୈଫ ଅଲି ଖାନ୍ ଅଭିନୟ କରିଛନ୍ତି। ରାମାୟଣ କାହାଣୀର ସାରମର୍ମ ହେଉଛି ରାମ, ଲକ୍ଷ୍ମଣ ଓ ସୀତାଙ୍କ ବନବାସ, ରାବଣ ଦ୍ବାରା ସୀତାଙ୍କ ହରଣ, ରାବ-ରାବଣ ଯୁଦ୍ଧ ଏବଂ ଯୁଦ୍ଧରେ ରାବଣର ପରାଜୟ ଓ ମୃତ୍ୟୁ। ତେବେ ଏଥିରେ ଅନେକ ପ୍ରସଙ୍ଗକୁ ବିକୃତ କରାଯାଇଥିବା ଅଭିଯୋଗ ହୋଇଛି। ଅକ୍ଟୋବର ୨ ତାରିଖରେ ଅଯୋଧ୍ୟାରେ ପ୍ରଦର୍ଶିତ ଟିଜର ୟୁଟ୍ୟୁବ୍‌ରେ ଭାଇରାଲ ହୋଇଛି। ଏହି ଚଳଚ୍ଚିତ୍ରରେ ପ୍ରଦର୍ଶିତ ପୌରାଣିକ ଚରିତ୍ରମାନଙ୍କର ଆଧୁନିକ ଚେହେରା, ବିଶେଷତଃ ଲଙ୍କାପତି ରାବଣର ଚେହେରାକୁ ନେଇ ଗଣଅସନ୍ତୋଷ ଦେଖାଦେଇଛି। ଅଧିକାଂଶ ଟ୍ବିଟର ବ୍ୟବହାରକାରୀ ରାବଣର ଚେହେରା ଇସଲାମିକ୍ ଅନୁପ୍ରବେଶକାରୀ ଆଲ୍ଲାଉଦ୍ଦିନ ଖିଲିଜି ଓ ଆଉରଙ୍ଗଜେବ କିମ୍ବା ମଙ୍ଗୋଲୀୟ ଆକ୍ରମଣକାରୀ ଚେଙ୍ଗିଜ ଖାନ୍‌ଙ୍କ ପରି ଦେଖାଯାଉଛି ବୋଲି କହିଛନ୍ତି। ଅନ୍ୟ ପକ୍ଷରେ ରାବଣର ପୁଷ୍ପକ ବିମାନ ଟାର୍ଗାରୟେନଙ୍କ ଡ୍ରାଗନ ପରି ଦେଖାଯାଉଛି ବୋଲି ଅନେକେ ମତ ଦେଇଛନ୍ତି।

Advertisment

ତେବେ ପ୍ରକୃତରେ ରାବଣର ଚେହେରା କିପରି ଥିଲା? ଆମେ ଜାଣୁ ରାବଣ ଥିଲା ଦଶାନନ, ବିଂଶବାହୁ ଓ ପର୍ବତୋପମ ବିଶାଳ ବପୁବିଶିଷ୍ଟ। ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟର ସଂସ୍କୃତ ବିଭାଗ ପ୍ରଫେସର ବିଭା ଦୁବେଙ୍କ କହିବା ଅନୁସାରେ ରାବଣ ଥିଲା କଜ୍ଜ୍ବଳ ପରି କଳା, ପାହାଡ଼ ପରି ବିରାଟକାୟ, ଲମ୍ବା କେଶରାଶି ଓ ଲମ୍ବା ଲୋମରାଜିବିଶିଷ୍ଟ ଏବଂ ତା’ର ମୁଣ୍ଡରେ ଥିଲା ସୁନାର ମୁକୁଟ। ରାମଚରିତ ମାନସରେ ବାଳିପୁତ୍ର ଅଙ୍ଗଦ ରାବଣର ଏପରି ଚେହେରାର ବର୍ଣ୍ଣନା ଦେଇଛନ୍ତି। ବାଲ୍ମୀକି ରାମାୟଣ ଅନୁସାରେ ରାବଣ ନୀଳମଣି ସହ ବିଭିନ୍ନ ରତ୍ନ-ଅଳଙ୍କାର ପିନ୍ଧୁଥିଲା। ତା’ର ଦାନ୍ତଗୁଡ଼ିକ ଥିଲା ଉଜ୍ଜ୍ବଳ ଧଳା ଓ ପର୍ବତୋପମ ଶରୀର ସାରା ଥିଲା ଅନେକ ଯୁଦ୍ଧଜାତ କ୍ଷତଚିହ୍ନ।

ଉକ୍ତ ବିଶ୍ବବିଦ୍ୟାଳୟର ଇତିହାସ ବିଭାଗ ପ୍ରଫେସର ଡ. ରାଜୀବ ଶ୍ରୀବାସ୍ତବଙ୍କ କହିବା ଅନୁସାରେ ରାବଣ ଋଷି ବିଶ୍ରବାଙ୍କ ପୁତ୍ର ହୋଇଥିବାରୁ ତା’ର ମୁଣ୍ଡରେ ଥିଲା ଲମ୍ବା କେଶ। ତା’ କପାଳରେ ଶୋଭା ପାଉଥିଲା ତ୍ରିପୁଣ୍ଡ (ଚନ୍ଦନର ତିନି ରେଖା) କାରଣ ସେ ଥିଲା ମହାନ୍ ଶିବଭକ୍ତ। ସେ ରାଜା ହୋଇଥିବାରୁ କାନରେ କୁଣ୍ଡଳ ପିନ୍ଧୁଥିଲା। ସେ ହାଲୁକା ବସ୍ତ୍ର ପିନ୍ଧୁଥିଲା ଏବଂ ତା’ କାନ୍ଧରେ ଶୋଭା ପାଉଥିଲା ଯଜ୍ଞୋପବୀତ। ସେ ମୁଣ୍ଡରେ ସ୍ବର୍ଣ୍ଣ ମୁକୁଟ ପିନ୍ଧିବା ସହ ବହୁ ରତ୍ନ-ଅଳଙ୍କାରରେ ମଣ୍ଡିତ ହେଉଥିଲା। ଶ୍ରୀବାସ୍ତବ କହିଛନ୍ତି, ରାବଣ ଭୂମିକାରେ ଅଭିନୟ କରୁଥିବା ସୈଫ ଅଲି ଖାନ୍ ମଙ୍ଗୋଲୀୟ ଆକ୍ରମଣକାରୀ ଚେଙ୍ଗିଜ ଖାନ୍ ଓ ତୈମୁରଲଙ୍ଗ ପରି ଦେଖାଯାଉଛନ୍ତି।

ଆଦିପୁରୁଷ ୨୦୨୩ ଜାନୁଆରି ୧୨ରେ ଉନ୍ମୋଚିତ ହେବାର ଥିବାବେଳେ ବର୍ତ୍ତମାନର ବିବାଦ ଦୃଷ୍ଟିରୁ ଏହା କେତେଦୂର ଆଦୃତ ହେବ ତାହା ଦେଖିବାକୁ ବାକି ରହିଲା।