ପରଦା: ଘରେ ମେକ୍‌ଅପ ନେଇ ସେଟ୍‌କୁ ଆସିବେ କଳାକାର

ସମଗ୍ର ଦେଶରେ ଲକ୍‌ଡାଉନ ପରେ ବଲିଉଡ୍‌ରେ ବି ତାଲା ଝୁଲୁଛି। ତେବେ ଅନେକ ସୁଟିଂ ଟ୍ରାକ୍‌କୁ ଫେରିବା ସହ କାମ ଆରମ୍ଭ କରିବା ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଏକ ନିଉଜ୍‌ ପୋର୍ଟାଲର ସୂଚନା ମୁତାବକ, ପ୍ରଯୋଜକ ସିଦ୍ଧାର୍ଥ ରୟ କପୁର ଲକ୍‌ଡାଉନ ପରେ ସୁରକ୍ଷିତ ବ୍ୟବସ୍ଥା ସହ ସୁଟିଂ ଫ୍ଲୋରକୁ ଓହ୍ଲାଇବେ ବୋଲି ଶୁଣିବାକୁ ମିଳିଛି। କଳାକାର ଓ ଅନ୍ୟ କ୍ରିଉ ସଦସ୍ୟମାନେ ସୁଟିଂକୁ ଆସିବା ପୂର୍ବରୁ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା, ତାପମାତ୍ରା ମାପ ହେବା ସହିତ କିଛିଦିନ ପର୍ଯ୍ୟନ୍ତ ୟୁନିଟ୍‌ରେ ଜଣେ ଡାକ୍ତର ଓ ନର୍ସଙ୍କୁ ନେଇ କାମ କରାଯିବ ବୋଲି ସ୍ଥିର ହୋଇଛି। ଫେ‌ଡେରେସନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜ୍‌ର ସଭାପତି ବି.ଏନ ତିୱାରୀ କହିଛନ୍ତି, ଜୁଲାଇ ପରେ ବୋନି କପୁରଙ୍କ ‘ମୈଦାନ’ ଓ ସଂଜୟ ଲୀଲା ଭଁସାଲିଙ୍କ ‘ଗଙ୍ଗୁବାଇ କାଠିୱାଡ଼ି’ର ସୁଟିଂ ପୁନଃ ଆରମ୍ଭ ହେବ। ଏଥିସହ ସିନେ ଓ ଟିଭି ଆର୍ଟିଷ୍ଟ ସଂଘ ସରକାରଙ୍କ ଗାଇଡ୍‌ଲାଇନ ବାବଦରେ ଆଲୋଚନା କରିଛନ୍ତି। ନୂଆ ନିୟମ ମୁତାବକ, କଳାକାରମାନେ ଘରୁ ମେକଅପ ନେଇ ସେଟ୍‌କୁ ଯାଇ ରିପୋର୍ଟ କରିବେ। କ୍ରିଉ ସଦସ୍ୟଙ୍କୁ ୧୨ ଘଣ୍ଟାର ସୁଟିଂ ସମୟରେ ୪ଟି ମାସ୍କ ପ୍ରଦାନ କରାଯିବ। ୬୦ ବର୍ଷରୁ ଅଧିକ ବୟସର ସଦସ୍ୟଙ୍କୁ କାମରୁ ପ୍ରଥମ ପର୍ଯ୍ୟା‌ୟରେ ବାଦ ଦିଆଯିବ।

ସମ୍ବନ୍ଧିତ ଖବର