ଦକ୍ଷିଣ ସିନେମାର ଆକର୍ଷଣ ନୂଆ ନୁହେଁ, ଏବେ ପୂରା ଭାରତରେ ପହଞ୍ଚିଛି : ଶ୍ରୁତି

କିଛି ବର୍ଷ ମଧ୍ୟରେ ଦକ୍ଷିଣ ଭାରତୀୟ ସିନେମା ଭାରତର କୋଣଅନୁକୋଣକୁ ପ୍ରସାରିତ ହୋଇ ବ୍ୟାପକ ଦର୍ଶକଙ୍କ ନିକଟରେ କେବଳ ପହଞ୍ଚିନାହିଁ, ଏହା ଦର୍ଶକଙ୍କ ମନରେ ବଲିଉଡ୍‌ର ସ୍ଥାନ ନେବାକୁ ମଧ୍ୟ ବସିଲାଣି। ଏହି କାରଣରୁ ବଲିଉଡ୍‌ ଶିଳ୍ପ ଏବେ ଏକ ଗଭୀର ସଙ୍କଟ ଦେଇ ଗତି କରୁଛି। ଏହା ପଛର କାରଣ ସମ୍ପର୍କରେ ଶ୍ରୁତି ହାସନଙ୍କ ଭଳି ଅଭିନେତ୍ରୀଙ୍କର ବ୍ୟାଖ୍ୟା ପ୍ରଣିଧାନଯୋଗ୍ୟ, କାରଣ ସେ ଉଭୟ ହିନ୍ଦୀ ଓ ଦକ୍ଷିଣ ଭାରତୀୟ ସିନେ ଶିଳ୍ପରେ କାମ କରିସାରିଛନ୍ତି। ତାଙ୍କ କହିବା କଥା, ବର୍ତ୍ତମାନର ସ୍ଥିତି ଦର୍ଶାଉଛି ଯେ ଦକ୍ଷିଣ ଭାରତୀୟ ସିନେମା ଆଗରୁ ମଧ୍ୟ ବ୍ୟାପକ ଦର୍ଶକଙ୍କୁ ଆକୃଷ୍ଟ କରୁଥିଲା। ସେତେବେଳେ ଅବଶ୍ୟ ଲୋକେ ଭାଷା ଡବ୍‌ ହୋଇଥିବା ସିଡି ଅଥବା ଟିଭି ପ୍ରସାରଣ ଉପରେ ନିର୍ଭର କରୁଥିଲେ। ତେବେ ଏହି କିଛି ବର୍ଷ ହେଲା ଦକ୍ଷିଣ ଭାରତୀୟ ସିନେମାର ମାର୍କେଟିଂ ଉପରେ ଧ୍ୟାନ ଦିଆଗଲା, ଯେଉଁ କାରଣରୁ ଏବେ ସିନେମା ବଜାରରେ ଏହାର ଅଭୂତପୂର୍ବ ଚହଳ ଦେଖିବାକୁ ମିଳୁଛି।

ଏହା ପଛର ମୂଳ କାରଣ ଭାବେ ଶ୍ରୁତି ଯାହା ସବୁ ଉତ୍‌ଥାପନ କରିଛନ୍ତି ସେଗୁଡ଼ିକ ହେଉଛି ଓଟିଟି ମଞ୍ଚ ଏବଂ ‘ବାହୁବଳୀ’ ଭଳି ଚଳଚ୍ଚିତ୍ରର ସଫଳତା, ଯାହା ଦକ୍ଷିଣ ଭାରତୀୟ ସିନେମା ପାଇଁ ଏକ ବିସ୍ତୃତ ପଥ ପରିଷ୍କାର କରିଦେଇଥିଲା। ଶ୍ରୁତି ମୂଳତଃ ଦକ୍ଷିଣ ଭାରତୀୟ ଶିଳ୍ପରୁ ଆସିଥିଲେ ମଧ୍ୟ ସେ ହିନ୍ଦୀ ଓ ଦକ୍ଷିଣୀ ସିନେମା ମଧ୍ୟରେ ବାଛବିଚାର କରନ୍ତି ନାହିଁ। ଏଭଳି ମନୋଭାବ କେବଳ ଯେ ଅଭିନେତାଙ୍କ ପାଇଁ ଲାଭଦାୟକ ତାହା ନୁହେଁ, ଏହା ସମଗ୍ର ଚଳଚ୍ଚିତ୍ର ଶିଳ୍ପ ଲାଗି ମଧ୍ୟ ହିତକର ବୋଲି ଶ୍ରୁତି ଗୁରୁତ୍ବାରୋପ କରିଛନ୍ତି। ତେବେ ଆଜି ସଭିଙ୍କ ମନରେ ଦକ୍ଷିଣ ଭାରତୀୟ ସିନେମା ଦେଖିବା ଲାଗି ଯେଉଁ ଉଦ୍ଦୀପନା ସୃଷ୍ଟି ହୋଇଛି, ତାହା ତାଙ୍କୁ ଗର୍ବିତ କରୁଛି। ତେବେ ମାଆ ସାରିକା (ଯିଏ ବଲିଉଡ୍‌ରେ ଏକଦା ପ୍ରତିଷ୍ଠିତ ଅଭିନେତ୍ରୀ ଥିଲେ)ଙ୍କ ଯୋଗୁଁ ଶ୍ରୁତିଙ୍କର ହିନ୍ଦୀ ସିନେମା ଶିଳ୍ପ ସହିତ ମଧ୍ୟ ନିବିଡ଼ ଆବେଗ ଜଡ଼ିତ। ସେଥିପାଇଁ ସେ ଏହା କହିବାକୁ ଚାହାଁନ୍ତି ନାହିଁ ଯେ ଗୋଟିଏ ଶିଳ୍ପ ଅନ୍ୟଟିରୁ ଭଲ ପ୍ରଦର୍ଶନ କରୁଛି। ସାମଗ୍ରିକ ଭାବେ ଭାରତୀୟ ସିନେ ଶିଳ୍ପ ଉନ୍ନତି କରିବା ଏବେ ଆମର ଲକ୍ଷ୍ୟ ହେବା ଉଚିତ। ଦର୍ଶକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ସେମାନଙ୍କ ମନୋରଂଜନ ପାଇଁ ବିବିଧ ପ୍ରକାର ଚଳଚ୍ଚିତ୍ରର ବିପଣି ମେଲାଇବା ହେଉଛି ଏ ଶିଳ୍ପର କାମ। ଆଜିର ମନୋରଂଜନ ପ୍ରିୟ ସିନେ ଦର୍ଶକମାନେ ଶ୍ରୁତିଙ୍କର ଏ ଆଭିମୁଖ୍ୟ ସହିତ ଅସହମତ ହେବାର କୌଣସି କାରଣ ନାହିଁ।

ସମ୍ବନ୍ଧିତ ଖବର