ଗତ ଡିସେମ୍ବର ୨୪ ତାରିଖରେ ମହାରାଷ୍ଟ୍ରର ନଇଗାଓଁ ସ୍ଥିତ ଏକ ଅସ୍ଥାୟୀ ଷ୍ଟୁଡିଓରେ ନବାଗତା ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ଖବର ଦର୍ଶକ ସମାଜକୁ ସ୍ତବ୍‌ଧ କରିଦେଇଛି। ସେଠାରେ ଆଗାମୀ ଟିଭି ଧାରାବାହିକ ‘ଆଲି ବାବା: ଦସ୍ତାନ-ଇ-କବୁଲ’ର ସୁଟିଂ ଅବସରରେ ସହଅଭିନେତା ସିଜାନ୍‌ ମହମ୍ମଦ ଖାଁଙ୍କ ପ୍ରସାଧନ କୋଠରିର ଶୌଚାଳୟ ଭିତରେ ତୁନିଶା ବେକରେ ରଶି ଲଗାଇଦେବା ଘଟଣାକୁ ସହଜରେ କେହି ଗ୍ରହଣ କରିପାରିନାହାନ୍ତି। ଅବଶ୍ୟ ତାଙ୍କ ମାଆଙ୍କ ଅଭିଯୋଗ କ୍ରମେ ତୁନିଶାଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିବା ଅପରାଧରେ ସିଜାନ୍‌ ଏବେ ଗିରଫ ହୋଇ ବିଚାରାଧୀନ ବନ୍ଦୀ। ତେବେ ସିଜାନ୍‌ ଓ ତୁନିଶାଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ଏବଂ ଡିସେମ୍ବର ଶେଷ ସପ୍ତାହର ସେହି ଅଘଟଣ ପୂର୍ବରୁ ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ବୋଲି ଶୁଣିବାକୁ ମିଳୁଛି। କାରଣ ଯାହା ହେଉ ନା କାହିଁକି, ତୁନିଶାଙ୍କ ପରି ଜଣେ ଉଦୀୟମତୀ ତାରକାଙ୍କ ଅବର୍ତ୍ତମାନରେ ପ୍ରିୟ ଦର୍ଶକ ଏବେ ତାଙ୍କୁ ଝୁରି ହେଉଛନ୍ତି। ତାଙ୍କର ଏପରି ଅକାଳ ମତ୍ୟୁ ସାରା ମନୋରଂଜନ ଦୁନିଆକୁ ଆଲୋଡ଼ିତ କରିବା ସହ ଲକ୍ଷ ଲକ୍ଷ ସାମାଜିକ ଗଣମାଧ୍ୟମ ଅନୁଗାମୀମାନଙ୍କୁ ଶୋକାଭିଭୂତ କରିଦେଇଛି। ମରଣର ଅଳ୍ପ ସମୟ ପୂର୍ବରୁ ନିଜ ଇନ୍‌ଷ୍ଟାଗ୍ରାମରେ ସେ ଛାଡ଼ିଥିବା ‘ଯେଉଁମାନେ ନିଜ ଯୋଶ ଦ୍ବାରା ପରିଚାଳିତ, ସେମାନଙ୍କୁ କେବେ ଅଟକାଯାଇ ପାରିବ ନାହିଁ’ ଶୀର୍ଷକ ଅଭିବ୍ୟକ୍ତିକୁ ଆଠ ଲକ୍ଷରୁ ଅଧିକ ଅନୁଗାମୀ ପସନ୍ଦ କରିବା ସହ ଅନେକ ଭାବପୂର୍ଣ୍ଣ ଟିପ୍ପଣୀ କରିଛନ୍ତି।

Advertisment

ଏଭଳି ସକାରାତ୍ମକ ମନୋଭାବ ପୋଷଣ କରୁଥିବା ବ୍ୟକ୍ତି କେବେ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଇପାରିବେ ନାହିଁ ବୋଲି ଅନେକ ମନ୍ତବ୍ୟ ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୦୨ ଜାନୁଆରି ୪ ତାରିଖରେ ଚଣ୍ଡୀଗଡ଼ ସହରରେ ଜନ୍ମ ନେଇଥିବା ତୁନିଶା କିଶୋରୀ ବୟସରୁ ଅଭିନେତ୍ରୀ ହେବା ପାଇଁ ସଂକଳ୍ପ କରିଥିଲେ। ୧୩ ବର୍ଷ ବୟସ ବେଳୁ ସେ ବିଭିନ୍ନ ଟିଭି କାର୍ଯ୍ୟକ୍ରମରେ ଭାଗ ନେବା ଆରମ୍ଭ କରିଥିଲେ। ୨୦୧୫ରେ ସୋନି ଟିଭିରେ ପ୍ରସାରିତ ‘ଭାରତ କା ବୀରପୁତ୍ର- ମହାରାଣା ପ୍ରତାପ’ ଧାରାବାହିକରେ ପ୍ରଥମ ପଦାର୍ପଣ କରି ଚାନ୍ଦ କଁଵାର ଭୂମିକାରେ ସେ ଦର୍ଶକଙ୍କୁ ମୁଗ୍‌ଧ କରିଦେଇଥିଲେ। ସେହିପରି କଲର୍ସ ଟିଭିର ‘ଚକ୍ରବର୍ତ୍ତୀ ଅଶୋକ ସମ୍ରାଟ’ ଧାରାବାହିକରେ ରାଜକୁମାରୀ ଅହଙ୍କାରା ଭୂମିକା ହେଉ ବା ‘ଶେର-ଇ-ପଞ୍ଜାବ: ମହାରାଜା ରଣଜିତ୍‌ ସିଂହ’ ଧାରାବାହିକରେ ମହତାବ କୌର ଚରିତ୍ର ହେଉ ଅଥବା ‘ଇଣ୍ଟରନେଟ୍‌ଵାଲା ଲଭ୍‌’ର ଆଦ୍ୟା ବର୍ମା ଭୂମିକା ହେଉ, ପ୍ରତିଟି ଅବତାରରେ ସେ ଦର୍ଶକଙ୍କୁ ଭରପୂର ମନୋରଂଜନ ଯୋଗାଇପାରିଥିଲେ। ସେହିପରି ବଡ଼ ପରଦାରେ ତାଙ୍କ ପ୍ରଥମ ସିନେମା ‘ଫିତୂର’ ସମେତ ପରବର୍ତ୍ତୀ ‘ବାର ବାର ଦେଖୋ’, ‘କ୍ରିନା’ ଓ ‘ଦବଙ୍ଗ ୩’ ଆଦି ଫିଲ୍ମରେ ମଧ୍ୟ ସେ ଆଶାତୀତ ଲୋକପ୍ରିୟତା ସାଉଁଟିଥିଲେ। ଚଳିତବର୍ଷ ଆସିବାକୁ ଥିବା ଆବ୍ବାସ-ମସ୍ତାନଙ୍କ ସିନେମା ‘୩ ମଙ୍କିଜ୍‌’ରେ ମଧ୍ୟ ସେ ଅଭିନୟ କରିବାକୁ ଚୁକ୍ତିବଦ୍ଧ ହୋଇଥିଲେ। ମାତ୍ର ଏହି ଅଗ୍ରଣୀ କଳାକାରଙ୍କର ଜୀବନଦୀପ ଏପରି ଅକସ୍ମାତ୍‌ ନିର୍ବାପିତ ହୋଇଯିବ ବୋଲି କେହି କଳ୍ପନା ସୁଦ୍ଧା କରିନଥିଲେ।