କୋଲକାତା: ରାଜ କପୁରଙ୍କ ଲୋକପ୍ରିୟ ଚଳଚ୍ଚିତ୍ର ‘ବୁଟ୍ ପଲିସ୍’ର କ୍ୟାମେରାମ୍ୟାନ୍ ବୈଦ୍ୟନାଥ ବସାକ୍ଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ବୟସାଧିକ୍ୟ ରୋଗରେ ପୀଡ଼ିତ ଥିଲେ। ଅର୍ଥାଭାବ ହେତୁ ସେ ଚିକିତ୍ସିତ ହୋଇପାରୁ ନଥିଲେ। ଗତ ଚାରିଦିନ ପୂର୍ବେ ହଠାତ୍ ସେ ପାରାଲିଟିକ୍ ଆଟାକ୍ରେ ଆକ୍ରାନ୍ତ ହୋଇଥିଲେ। ଲକ୍ ଡାଉନ୍ ଯୋଗୁଁ ତାଙ୍କୁ କୌଣସି ହସ୍ପିଟାଲକୁ ନେବା ସମ୍ଭବ ହୋଇ ନଥିଲା। ହେଲେ ଜଣେ ଡାକ୍ତର ସେ ରହୁଥିବାଭଡ଼ା ଘରକୁ ଆସି ତାଙ୍କୁ ଚିକିତ୍ସା କରିଥିଲେ ହେଁ ତାଙ୍କ ଶରୀରର ଗୋଟିଏ ପଟ ଗୋଡ଼ହାତ ଅଚଳ ହୋଇ ଯାଇଥିଲା। ସେ ଆଜି ଭୋର୍ ୩ଟାରେ ଶେଷ ନି!ଶ୍ବାସ ତ୍ୟାଗ କରିଥିବା ତାଙ୍କ ପରିବାର ସୂତ୍ରରୁ ପ୍ରକାଶ।
ବୈଦ୍ୟନାଥ ମନୋଜ କୁମାରଙ୍କ ‘ହରିୟାଲି ଔର୍ ରାସ୍ତା’ ଓ କିତ୍ନେ ଦୂର୍ କିତ୍ନେ ପାଶ୍ରେ ମଧ୍ୟ କାମ କରିଥିଲେ। ମୁମ୍ବାଇରେ ଅଧିକ କାର୍ଯ୍ୟଭାର ପଡ଼ିବାରୁ ସେ କୋଲକାତା ପଳାଇ ଆସିଥିଲେ। ଏଠାରେ ସେ ଉତ୍ତମ କୁମାରଙ୍କ ଖୋକା ବାବୁର୍ ପ୍ରତ୍ୟାବର୍ତ୍ତନ, ସାବର ଉପରେ, ଛଦ୍ମବେଶୀ, ପାର ଭଳି ଲୋକପ୍ରିୟ ବଙ୍ଗଳା ସିନେମାରେ ସିନେମାଟୋଗ୍ରାଫର୍ ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ବଙ୍ଗଳା ସିନେ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।