ବାପାଙ୍କ ସହ ଲଗାତାର୍ ସିନେମା କରିଥିବା ନିର୍ଦ୍ଦେଶକ ଏବେ ପୁଅ ସହ ହାତ ମିଳାଇବାକୁ ଆଗେଇ ଆସୁନାହାନ୍ତି କାହିଁକି? ଦିବଂଗତ ଅଭିନେତା ମିହିର ଦାସ ଓ ପୁଅ ଅମ୍ଳାନଙ୍କୁ ନେଇ ରୋଚକ ଉପସ୍ଥାପନା।
ଶିବଶଙ୍କର ଓଝା
ଓଡ଼ିଆ ଚଳଚ୍ଚିତ୍ରର ପ୍ରତିଷ୍ଠିତ ଅଭିନେତା ମିହିର ଦାସଙ୍କ ପୁଅ ଅମ୍ଳାନ ୨୦୧୩ରେ ‘ଟାର୍ଗେଟ୍’ ଜରିଆରେ ଓଲିଉଡ୍ରେ ପାଦ ରଖି ବେଶ୍ କେତୋଟି ସଫଳ ଛବି ଦର୍ଶକଙ୍କୁ ଉପହାର ଦେଇଛନ୍ତି। ୧୨ ବର୍ଷ ଧରି ଓଲିଉଡ୍ରେ ସକ୍ରିୟ ରହିଥିବା ଅମ୍ଳାନଙ୍କ ଅଭିନୀତ ଦୁଇଟି ଛବି ମୁକ୍ତି ଅପେକ୍ଷାରେ ଥିବା ବେଳେ ଆଉ ଦୁଇଟି ଫ୍ଲୋର୍ରେ ରହିଛି। ଜାତୀୟ ନାଟ୍ୟ ବିଦ୍ୟାଳୟ (ଏନ୍ଏସ୍ଡି) ନିର୍ଦ୍ଦେଶକ ଚିତ୍ତରଂଜନ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ‘କୁହ ମୁଁ ତୁମରି ପାଇଁ’ ଓ ରାଜେନ୍ଦ୍ର ମହାନ୍ତଙ୍କ ନିର୍ଦ୍ଦେଶିତ ‘କେଶ୍ ୧୮’ର ସମସ୍ତ କାମ ଶେଷ ହୋଇଥିବା ବେଳେ ରିଲିଜ୍ ତାରିଖ ଘୋଷଣାକୁ ଅପେକ୍ଷା କରାଯାଇଛି।
ପ୍ରାୟ ୨୦ଟି ଓଡ଼ିଆ ଛବିରେ ନାୟକ ସାଜିଥିବା ଅମ୍ଳାନଙ୍କୁ ନେଇ ଏକ କୌତୁହଳପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ଯଦିଓ ସେ ସିନେଶିଳ୍ପର ଅନେକ ନାମୀଦାମୀ ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି, କିନ୍ତୁ ତାଙ୍କ ବାପାଙ୍କୁ ନେଇ ଛବି ନିର୍ମାଣ କରିଥିବା ବହୁ ନିର୍ଦ୍ଦେଶକ ଏଯାବତ୍ ତାଙ୍କୁ ସାଥ୍ ଦେଇନାହାନ୍ତି। ୨୦୦୫ରେ ନିର୍ଦ୍ଦେଶନା କ୍ୟାରିୟର୍ ଆରମ୍ଭ କରିଥିବା ଅଶୋକ ପତିଙ୍କ ପ୍ରଥମ ଛବି ‘ବାଜି’ରେ ନେଗେଟିଭ୍ ରୋଲ୍ କରି ବେଶ୍ ଚର୍ଚ୍ଚିତ ହୋଇଥିଲେ ମିହିର ଦାସ। ଏହାପରେ ଦୁଇଟି ସିନେମାକୁ ବାଦ୍ ଦେଲେ ଅଶୋକଙ୍କ ଅବଶିଷ୍ଟ ସିନେମାରେ ମିହିରଙ୍କୁ ଭଲ ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ। କିନ୍ତୁ ଏଯାବତ୍ ଅଶୋକ-ଅମ୍ଳାନ ଏକାଠି କାମ କରିନାହାନ୍ତି।
ସେହିପରି ଓଲିଉଡ୍ର ଓଣ୍ଡର୍ବୟ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ପ୍ରଥମ ସିନେମା ‘ରାକ୍ଷୀ ବାନ୍ଧିଲି ମୁଁ ରଖିବି ମାନ’ରେ ମିହିର ଦାସ ଥିଲେ ମୁଖ୍ୟ କଳାକାର। ପରେ ତାଙ୍କର ଅନେକ ଛବିରେ ମିହିର ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। କିନ୍ତୁ ଏଯାଏ ସଞ୍ଜୟ-ଅମ୍ଳାନ ଯୋଡ଼ି ହୋଇନାହାନ୍ତି। ଏବେକାର ଆଗଧାଡ଼ିର ନିର୍ଦ୍ଦେଶକ ତାପସ ସରଘରିଆଙ୍କ ଡେବ୍ୟୁ ଫିଲ୍ମ ‘ପହିଲି ରଜ’ରୁ ନେଇ ତାଙ୍କ ନିର୍ଦ୍ଦେଶିତ ବହୁ ଛବିରେ ମିହିର କାମ କରିଥିଲେ। କିନ୍ତୁ ଏଯାଏ ଅମ୍ଳାନଙ୍କୁ ତାପସଙ୍କ କୌଣସି ସିନେମାରେ ଦେଖିବାକୁ ମିଳିନାହିଁ। ସୁଧାକର ବସନ୍ତଙ୍କ କଥା ବି ସମାନ। ତାଙ୍କର ପ୍ରଥମ ଓଡ଼ିଆ ଛବି ‘ପ୍ରେମ ଅଢ଼େଇ ଅକ୍ଷର’ ସମେତ ବେଶ୍ କେତେଟି ଛବିରେ ମିହିର ଥିଲେ ମୁଖ୍ୟ ଆକର୍ଷଣ। ହେଲେ ଏଯାଏ ଅମ୍ଳାନଙ୍କ ସାଥ୍ ପାଇନାହାନ୍ତି ସେ। ‘ଏ ମନ ମାନେନା’ରୁ କ୍ୟାରୟର୍ ଆରମ୍ଭ କରିଥିବା ନିର୍ଦ୍ଦେଶକ ଏନ୍ ପାଢ଼ୀ ମିହିରଙ୍କୁ ଅଧିକାଂଶ ସିନେମାରେ କାଷ୍ଟ୍ କରିଥିଲେ ହେଁ ଆଜିଯାଏ ଅମ୍ଳାନଙ୍କୁ ନେଇ କୌଣସି ଛବି ତିଆରି କରିନାହାନ୍ତି। ଠିକ୍ ସେହିପରି ‘କି ହେବ ଶୁଆ ପୋଷିଲେ’ରୁ ନେଇ ଏଯାଏ ୨୦ରୁ ଅଧିକ ସିନେମା ନିର୍ମାଣ କରିଥିବା ବରିଷ୍ଠ ନିର୍ଦ୍ଦେଶକ ବସନ୍ତ ସାହୁଙ୍କ ଫେବରାଇଟ୍ କଳାକାର ମିହିର ହୋଇଥିବା ବେଳେ ସେ ଏଯାଏଁ ଅମ୍ଳାନଙ୍କୁ କାଷ୍ଟ୍ କରିନାହାନ୍ତି। ସବ୍ୟସାଚୀ ମହାପାତ୍ର, ଶ୍ରୀତମ ଦାସ, ରମେଶ ରାଉତ ଓ ରଞ୍ଜନ ମିଶ୍ରଙ୍କ ଭଳି ଜଣାଶୁଣା ନିର୍ଦ୍ଦେଶକଙ୍କ କ୍ଷେତ୍ରରେ ବି ଏହା ପ୍ରଯୁଜ୍ୟ।