ଭୁବନେଶ୍ବର: କପି-ପେଷ୍ଟ ଗଳିରେ ଆଣ୍ଠେଇ ପଡ଼ିଥିବା ‘ଓଲିଉଡ୍‌’ ଏବେ ଅଣ୍ଟା ସଳଖୁଛି। ଧୀରେ ଧୀରେ ନିଜ ଦମ୍ଭରେ ଛିଡ଼ା ହେଉଛି। ଆଉ କପି ପେଷ୍ଟ ନୁହେଁ, ବରଂ ଓଡ଼ିଶାର ମାଟି, ପାଣି, ପବନ, କଳା, ସଂସ୍କୃତି, ଐତିହ୍ୟ ଓ ରାଜନୈତିକ ପୃଷ୍ଠଭୂମିକୁ ନେଇ ଗୋଟିଏ ପରେ ଗୋଟିଏ ଚଳଚ୍ଚିତ୍ର ପରଦାକୁ ଆସୁଛି। ‘ଦମନ’, ‘ପ୍ରତୀକ୍ଷା’, ‘ପାବାର’ ଦେଖିବା ପରେ ଓଡ଼ିଆ ସିନେମା ପ୍ରତି ଦର୍ଶକଙ୍କ ଧାରଣା ବଦଳୁଛି। ପୂର୍ବଭଳି ଓଡ଼ିଆଙ୍କ ପର୍ବପର୍ବାଣିକୁ ଟାର୍ଗେଟ କରି ନୂଆ ସିନେମା ତିଆରି ହେବାର ଧାରା ପୁଣି ଆରମ୍ଭ ହୋଇଛି। ଏହି ମର୍ମରେ ଆସନ୍ତା ଦଶହରାରେ ପରଦାକୁ ଆସୁଛି ତିନିଟି ମୌଳିକ କାହାଣୀ ଉପରେ ପର୍ଯ୍ୟବସିତ ଓଡ଼ିଆ ସିନେମା। ସି‌ନେମାର ଫାଷ୍ଟ ଲୁକ୍‌ ଆସିବା ପରେ ଦର୍ଶକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ‌ଦେଖିବାକୁ ମିଳିଛି। ଗୋଟିଏ ଉଲ୍ଲେଖନୀୟ କଥା ହେଉଛି, ଏହି ତିନିଟି ଫିଲ୍ମ ଜରିଆରେ ତିନିପିଢ଼ିର ଓଡ଼ିଆ ସୁପର୍‌ଷ୍ଟାର୍‌ଙ୍କ ଭିତରେ ଲଢ଼େଇ ଦେଖିବାକୁ ମିଳିବ। ଏହି ତିନିଟି ଫିଲ୍ମ ଦଶହରାରେ ରିଲିଜ୍‌ ହେବାକୁ ଘୋଷଣା ହୋଇଥିବା ବେଳେ ଆହୁରି ଅନେକ ଫିଲ୍ମ ପଛକୁ ପଛ ରହିଛି।

Advertisment

‘କର୍ମ’ରେ ଭିନ୍ନ ଅନ୍ଦାଜରେ ଅନୁଭବ
‘ପ୍ରତୀକ୍ଷା’, ‘ତ୍ରିକନ୍ୟା’ର ଅପୂର୍ବ ସଫଳତା ପରେ ଅମୀୟ ପଟ୍ଟନାୟକ ପ୍ରଡ଼କସନ୍ସ ବ୍ୟାନରରେ ପରଦାକୁ ଆସୁଛି ନୂଆ ଓଡ଼ିଆ ଫିଲ୍ମ ‘କର୍ମ’। ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଅଭିନୀତ ଏହି ବିଗ୍‌ ବଜେଟ୍‌ର ସିନେମା ଆସନ୍ତା ଦୁର୍ଗାପୂଜାରେ ରିଲିଜ୍‌ ହେବ। ଏବେ ଏହି ସିନେମାର ସୁଟିଂ ଜୋର୍‌ଦାର୍‌ ଚାଲିଛି। ପୂର୍ବ ସିନେମାଗୁଡ଼ିକ ପରି ଏ ଫିଲ୍ମକୁ ସବୁଦୃଷ୍ଟିରୁ ଦର୍ଶକାଦୃତ କରିବା ପାଇଁ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଚେଷ୍ଟା ଜାରି ରଖିଛନ୍ତି। ‘କର୍ମ’ର ଫାଷ୍ଟ ଲୁକ୍‌ ଅନୁଭବଙ୍କ ଫ୍ୟାନ୍‌ମାନଙ୍କୁ ବେଶ୍‌ ଉତ୍ସାହିତ କରିଛି। ମାତ୍ର ଗୋଟିଏ ଦିନରେ ଟିଜରକୁ ଲକ୍ଷାଧିକ ଦର୍ଶକ ‌ଦେଖି ସାରିଲେଣି। ଫିଲ୍ମର ଫାଷ୍ଟ ଲୁକ୍‌ରେ ଅନୁଭବଙ୍କ ଲୁକ୍‌କୁ ନେଇ ଚାରିଆଡ଼େ ଚର୍ଚ୍ଚା। ଫିଲ୍ମର ପ୍ରଯୋଜନା ଭାର ଉଭୟ ଅନୁପମ ପଟ୍ଟନାୟକ ଓ ବର୍ଷା ପଟ୍ଟନାୟକ ସମ୍ଭାଳିଛନ୍ତି। ଫିଲ୍ମର ଲେଖକ ମାନସ ପଢ଼ିଆରୀ, କ୍ୟାମେରାମ୍ୟାନ ଦୀପକ କୁମାର, ସଙ୍ଗୀତ ନିର୍ଦ୍ଦେଶକ ଆଶିଷ ପ୍ରଧାନ, ସାଉଣ୍ଡ ଡିଜାଇନର ଶକ୍ତି ସ୍ୱରୂପ ଦ୍ବିବେଦୀ, ସମ୍ପାଦକ ରଶ୍ମି ରଞ୍ଜନ ଦାଶ, ଲାଇନ ପ୍ରଡ୍ୟୁସର ଗୋପାଳ ଚନ୍ଦ୍ର ଘଡ଼ାଇ, କ୍ରି୍ଏଟିଭ ହେଡ୍‌ ପ୍ରଣୟ ଜେଠୀ ରହିଛନ୍ତି। ମୁଖ୍ୟ ଚରିତ୍ରଗୁଡିକରେ ଅନୁଭବଙ୍କ ସହ ଚୌଧୁରୀ ଜୟପ୍ରକାଶ ଦାସ, ସୂର୍ଯ୍ୟମୟୀ, ନିଶାନ୍ତ ମଜିଥିଆ, ମନ୍ମୟ ଦେ, ଉଦିତ ଗୁରୁ ଓ ଦିବ୍ୟା ପ୍ରମୁଖ ରହିଛନ୍ତି।

‘ପରବ’ରେ ସିଦ୍ଧାନ୍ତଙ୍କ ପୁନରାବିଷ୍କାର
‘‘କେମିତି ଲାଗିବ, ଯଦି ତୁମ ମା’ର ହାତ ଦି’ଟାକୁ କାଟି ଛତିଶଗଡ଼ର ଅନ୍ଧାରୀ ଜଙ୍ଗଲ ଭିତରେ ଫୋପାଡ଼ି ଦିଆଯିବ! କେମିତି ଲାଗିବ, ଯଦି ତୁମର ମା’ର ମୁଣ୍ଡକୁ କାଟି କଲିକତାର ଗଳିରେ ନିଲାମ କରାଯିବ! କେମିତି ଲାଗିବ, ଯଦି ତୁମ ମା’ର ଗୋଡ଼ ଦି’ଟାକୁ ଛିଣ୍ଡେଇ ଆନ୍ଧ୍ରର ସମୁଦ୍ରରେ ବିସର୍ଜନ କରିଦେବ...!!’’ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ଗମ୍ଭୀର ସ୍ବରରେ ଏଇ କେଇପଦ କଥା ଓଡ଼ିଆଙ୍କୁ ଆନ୍ଦୋଳିତ କରିଛି। ଆଉ ଅନୁ ଚୌଧୁରୀଙ୍କ ବି‌ଦ୍ରୋହ ଡାକରାର କେଇପଦ କଥା ‘‘ଇତିହାସ ଜାଣିଛି। ସେ କୃଷ୍ଣଙ୍କର ଛଳ ହେଉ କି ଅଶୋକଙ୍କର ବଳ, ଲଢ଼ିଛୁ, କେବେ ମୁଣ୍ଡ ନୁଆଁଇନୁ। ଶପଥ ଗଜପତିଙ୍କର। ଛୁଇଁବା ତ ଦୂରର କଥା, ଛାଇ ବି ପଡ଼ିଲେ ବିଦ୍ରୋହ ହେବ। ଏଠି କଥା ମୋ’ ମା’ର...। କଥା ଓଡ଼ିଶାର...।’’ ଏସବୁ ସଂଳାପ ଓଡ଼ିଆଙ୍କ ଭିତରେ ନିଆଁ ଜଳାଇବାରେ ସକ୍ଷମ। ଜେପି ମୋସନ୍‌ ପିକ୍ଚର ବ୍ୟାନରରେ ଦଶହରାରେ ପରଦାକୁ ଆସିବାକୁ ଥିବା ‘ପରବ’ର ଟିଜର୍‌ ରିଲିଜ୍‌ ହେବା ପରେ ଗୋଟିଏ ହଲଚଲ ସୃଷ୍ଟି ହୋଇଯାଇଛି। ମୁଖ୍ୟତଃ ମହାନଦୀ ଜଳ ବିବାଦ, କୋରାପୁଟ, ମାଲକାନଗିର ଓ ଗଜପତି ଭଳି ଜିଲ୍ଲାମାନଙ୍କରେ ଉପୁଜିଥିବା ସୀମା ବିବାଦର କାହାଣୀ ଭରି ରହିଛି ‘ପରବ’ରେ। ଏଥି‌ରେ ଅଭିନେତା ସିଦ୍ଧାନ୍ତଙ୍କ ଚରିତ୍ରଟି ଏମିତି ହୋଇଛି ଯେ ତାଙ୍କ ଭିତରେ ଥିବା କଳାକାରର ପୁନରାବିଷ୍କାର କରିବାଭଳି ମନେହେବ ବୋଲି ଚର୍ଚ୍ଚା ହେଉଛି। ଫିଲ୍ମଟି ଓଡ଼ିଆ ଭାଷା ସହ ତେଲଗୁ ଓ ହିନ୍ଦୀରେ ଡବ୍‌ ହେବ। ଓଡ଼ିଶାରେ ନୂଆ ଟ୍ରେଣ୍ଟ ସେଟ୍‌ କରିଥିବା ଓଡ଼ିଆ ଫିଲ୍ମ ‘ଦମନ’ର ଟିମ୍‌ ଏହି ଫିଲ୍ମରେ କାମ କରୁଥିବାରୁ ଫିଲ୍ମଟି ପୁଣି ସୁପରହିଟ୍‌ ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛନ୍ତି। ସିଦ୍ଧାନ୍ତ ଓ ଅନୁଙ୍କ ବହୁପରୀକ୍ଷିତ ଓ ସଫଳ ଯୋଡ଼ି ସହ ଦୀପନ୍ବିତ ଦାଶମହାପାତ୍ର, ସୂର୍ଯ୍ୟମୟୀ ମହାପାତ୍ର, ପ୍ରଣବ ଓ ପ୍ରସନ୍ନ ରଥଙ୍କ ଚମତ୍କାର ଅଭିନୟ ଏ ଫିଲ୍ମରେ ଦେଖିବାକୁ ମିଳିବ। ଫିଲ୍ମକୁ ଚିନ୍ମୟ ଦାସ ନିର୍ଦ୍ଦେଶନା ଦେଇଛନ୍ତି। ପ୍ରଯୋଜନା ଭାର ନେଇଛନ୍ତି ଦୀପେନ୍ଦ୍ର ସାମଲ।

କିମିଆ କରିବ ବାବୁଶାନ୍‌ଙ୍କ ‘ସୋନକ’
ସୁପରଷ୍ଟାର ବାବୁସାନ ତାଙ୍କ ଜନ୍ମଦିନରେ ନୂଆ ଫିଲ୍ମ ନାମ ଘୋଷଣା କରିଛନ୍ତି। ଫିଲ୍ମ ‘ସୋନକ’ର ପ୍ରଥମ ପୋଷ୍ଟର ରିଲିଜ୍‌ ହେବା ପରେ ବାବୁଙ୍କ ଲୁକ୍‌କୁ ନେଇ ସସ୍‌‌ପେନ୍ସ ଜାରି ରହିଛି। ଯଦିଓ ଫିଲ୍ମର କାହାଣୀ ଏଯାଏ ପ୍ରଯୋଜନା ସଂସ୍ଥା କିମ୍ବା ଅଭିନେତା କେହି ଖୋଲି କହିନାହାନ୍ତି, ତଥାପି ସୁନା କାରବାରକୁ ନେଇ କାହାଣୀ ଗତିଶୀଳ ହୋଇଥିବା ସୂଚନା ମିଳିଛି। ସରଗମ୍ ତ୍ରିପାଠୀଙ୍କ ପ୍ରଯୋଜିତ ତଥା ଶିଶିର କୁମାର ସାହୁ ଓ ପିନାକୀ ସିଂଙ୍କ ନିର୍ଦ୍ଦେଶିତ ‘ସୋନକ’ର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ। କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ବିଶ୍ବଭୂଷଣ ମହାପାତ୍ର। ସିନେମାଟୋଗ୍ରାଫର ଅଛନ୍ତି ବିଭୂତି ଭୂଷଣ ବିଶ୍ୱାଳ। ଚିତ୍ରନାଟ୍ୟ ଅମିତ୍ କୁମାର ଦାଶ ଓ ଅନିଲ ବାରିକ ଲେଖିଥିବା ବେଳେ ସଂଳାପ ରଚନା କରିଛନ୍ତି ପ୍ରଣବ ପ୍ରସନ୍ନ ରଥ। ବିଜିଏମ୍ ଦାୟିତ୍ୱରେ ଅଛନ୍ତି ଜେରି ସିଲଭରଷ୍ଟାର ଭିନସେଣ୍ଟ। ସାଉଣ୍ଡ ଡିଜାଇନର ଜିତାମିତ୍ର ଜେନା, ସମ୍ପାଦନାରେ ରଶ୍ମି ରଞ୍ଜନ ଦାସ, କ୍ରିଏଟିଭ ହେଡ୍‌ ପୁପୁନ ଜେନା, ଲାଇନ୍ ପ୍ରଡ୍ୟୁସର ସମ୍ବିତ ଜେନା ଦାୟିତ୍ବରେ ରହିଛନ୍ତି। ବାବୁସାନ୍‌ଙ୍କ ସହ ଦୀପନ୍ୱିତ ଦାସ ମହାପାତ୍ର, ରବି ମିଶ୍ର, ବବି ମିଶ୍ର, କେ.କେ ଓ ଚୌଧୁରୀ ଜୟ ପ୍ରକାଶ ଦାସ ପ୍ରମୁଖ ମୁଖ୍ୟ ଚରିତ୍ରରେ ଅଛନ୍ତି।