ଓଲିଉଡ୍ରେ ଶିଶୁ କଳାକାରରୁ ନାୟକ ଭାବେ ବଡ଼ ପରଦାରେ ନଜର ଆସିଥିବା ଅଭିନେତାଙ୍କ ସଂଖ୍ୟା କମ୍। ଏମାନଙ୍କ ଭିତରେ ବିଗତ ଦିନର ନାୟକ ପ୍ରଶାନ୍ତ ନନ୍ଦ, ସୂରଜ କୁମାର ଓ ଏବେକାର ସ୍ବରାଜ ବାରିକଙ୍କୁ ନିଆଯାଇପାରେ। ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ଲୋହିତାକ୍ଷ ପଟ୍ଟନାୟକ। ୨୦୦୮ରେ ମୁକ୍ତିଲାଭ କରିଥିବା ଅଶୋକ ପତିଙ୍କ ନିର୍ଦ୍ଦେଶିତ ତଥା ସବ୍ୟସାଚୀ ଓ ପ୍ରିୟା ଅଭିନୀତ ‘ଡ୍ରିମ୍ ଗାର୍ଲ’ରେ ପ୍ରଥମେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ ଲୋହିତାକ୍ଷ। ଏହାପରେ ତାଙ୍କୁ ୧୪ଟି ଓଡ଼ିଆ ଛବିରେ ଶିଶୁ କଳାକାର ଭାବେ ଦେଖିବାକୁ ମିଳିଥିଲା।
ଏବେ ଲୋହିତାକ୍ଷ ନାୟକ ଭାବେ ପରଦାକୁ ଆସୁଛନ୍ତି। ଆକ୍ସନ୍ ପ୍ୟାକ୍ଡ୍ ଲଭ୍ଷ୍ଟୋରି ‘ଲଢ଼େଇ’ ତାଙ୍କ ପଦାର୍ପଣ ଛବି। ଲୋହିତାକ୍ଷଙ୍କ ପିତା ଦେବାଶିଷ ପଟ୍ଟନାୟକ ପ୍ରଯୋଜକ ସାଜି ପୁଅଙ୍କୁ ହିରୋ ଭାବେ ଲଞ୍ଚ୍ କରିଛନ୍ତି। ଆଉ ଏଥର ବି ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଶୋକ ପତି। ନବାଗତା ଅଭିଲିପ୍ସା ନାୟିକା ଭୂମିକାରେ ଥିବା ବେଳେ ବିଭାସ, କେକେ ଓ ଉଦିତ ଗୁରୁ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଅଛନ୍ତି। ଭରଦ୍ବାଜ ପଣ୍ଡା ‘ଲଢ଼େଇ’ର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି। ଗୌରବ ଆନନ୍ଦ ଓ ସୋମେଶ ଶତପଥୀ ଏହାର ସଙ୍ଗୀତକାର।
ତେବେ ଅଭିନୟରେ ସଂପୂର୍ଣ୍ଣ ନୂଆ ନୁହନ୍ତି ଲୋହିତାକ୍ଷ। ପୂର୍ବରୁ ମୁରଲୀକ୍ରିଷ୍ଣାଙ୍କ ନିର୍ଦ୍ଦେଶିତ ‘ରୁଦ୍ରାଣୀ’ରେ ସେ ଅଭିନେତ୍ରୀ ଝିଲିକଙ୍କ ଭାଇ ଭୂମିକାରେ ନଜର ଆସିଛନ୍ତି। ଏହାଛଡ଼ା ତାଙ୍କୁ କଞ୍ଚାଲଙ୍କାରେ ଷ୍ଟ୍ରିମିଂ ହୋଇଥିବା ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ଟୁ ଚକ୍ଲେଟ୍’ରେ ବି ନାୟକ ଭୂମିକାରେ ଦେଖିବାକୁ ମିଳିଛି। ସୋନି ଟିଭିର ପପୁଲାର୍ ସୋ’ ‘କ୍ରାଇମ୍ ପାଟ୍ରୋଲ୍’, ‘ଆହଟ୍’, ‘ସିଆଇଡି’ ଓ କଲର୍ସରେ ପ୍ରସାରିତ ଧାରାବାହିକ ‘ବେଇନ୍ତହା’ରେ ବି ଅଭିନୟ କରିଛନ୍ତି ସେ। ସଂପ୍ରତି ଲୋହିତାକ୍ଷ ଭୁବନେଶ୍ବରର ଏକ ବେସରକାରୀ ମେଡିକାଲ୍ କଲେଜରେ ଏମ୍ବିବିଏସ୍ ପଢୁଛନ୍ତି। ଲୋହିତାକ୍ଷ କହନ୍ତି, ‘‘ଉଭୟ ଡାକ୍ତର ଓ ଅଭିନେତା ଭାବେ ଜୀବନକୁ ଆଗେଇ ନେବାକୁ ଚାହେ।’’