ଶିବଶଙ୍କର ଓଝା

Advertisment

ଓଲିଉଡ୍‌ର ଏଭଳି କେତେକ ଲୋକପ୍ରିୟ ନାୟିକା ଅଛନ୍ତି, ଯେଉଁମାନେ ସେମାନଙ୍କ ପ୍ରଥମ ସିନେମାର ନିର୍ଦ୍ଦେଶକଙ୍କ ସହ ଏଯାଏ ଦ୍ବିତୀୟ ଥର କାମ କରିବାର ସୁଯୋଗ ପାଇନାହାନ୍ତି।

ଓଲିଉଡ୍‌ର  ଅନ୍ୟତମ ଲୋକପ୍ରିୟ ନାୟିକା ରୀୟା ଦେ ‘ପ୍ରେମ ଅଢ଼େଇ ଅକ୍ଷର’ ସିନେମାରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ସୁଧାକର ବସନ୍ତ ଥିଲେ ଏହାର ନିର୍ଦ୍ଦେଶକ। କିନ୍ତୁ ଗତ ୧୪ ବର୍ଷ ଭିତରେ ତାଙ୍କୁ ସୁଧାକରଙ୍କ ନିର୍ଦ୍ଦେଶିତ ଅନ୍ୟ କୌଣସି ଓଡ଼ିଆ ଛବିରେ ଦେଖିବାକୁ ମିଳିନାହିଁ। ଠିକ୍ ସେହିପରି ପ୍ରତିଭାସଂପନ୍ନ ନାୟିକା ଏଲିନାଙ୍କ ପ୍ରଥମ ସିନେମା ଥିଲା ‘ଇଶ୍କ ତୁ ହି ତୁ’। ଏହାର ନିର୍ଦ୍ଦେଶନା ଦେଇଥିଲେ ତାପସ ସରଘରିଆ। ହେଲେ ଏହାପରେ ଏଲିନା ଆଉ ତାପସଙ୍କ ନିର୍ଦ୍ଦେଶିତ ଅନ୍ୟ କୌଣସି ଛବିରେ କାମ କରିନାହାନ୍ତି। ଏଣେ ଝିଲିକ୍‌ ଏସ୍‌. କେ ମୁରଲୀଧରନ୍‌ଙ୍କ ନିର୍ଦ୍ଦେଶିତ ‘ଟାର୍ଗେଟ୍‌’ରେ ଡେବ୍ୟୁ କରିଥିଲେ। ଏଯାବତ୍‌ ଝିଲିକ୍‌ ତାଙ୍କ ପ୍ରଥମ ସିନେମାର ନିର୍ଦ୍ଦେଶକଙ୍କ ସହ ଆଉ କାମ କରିନାହାନ୍ତି। ଆଜିକାର ଲୋକପ୍ରିୟ ନାୟିକା ପୁନମ୍‌ ମିଶ୍ର ବି ଏହି ତାଲିକାରୁ ବାଦ୍ ଯିବେ ନାହିଁ। ସେ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ବାଇଶି ପାହାଚେ ଖେଳିବ ମୀନ’ ସିନେମାରୁ କ୍ୟାରିଅର୍ ଆରମ୍ଭ କରିଥିଲେ। କିନ୍ତୁ ଇତିମଧ୍ୟରେ ୧୩ ବର୍ଷ ବିତିଗଲାଣି, ସଞ୍ଜୟ ନାୟକଙ୍କ ଅନ୍ୟ କୌଣସି ସିନେମାରେ ପୁନମ୍‌ ଅଭିନୟ କରିନାହାନ୍ତି।

sfsfssfsf

ଖ୍ୟାତନାମା ନିର୍ଦ୍ଦେଶକ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଛବି ‘ଆଇ ଲଭ୍ ୟୁ’ରୁ ନମ୍ରତା ଥାପ୍ପା, ‘ଅର୍ଜୁନ’ରୁ ଗାର୍ଗୀ ମହାନ୍ତି, ‘ରୋମିଓ ଦ ଲଭର୍‌ ବୟ’ରୁ ଲଭ୍‌ଲି ନାୟିକା ଭାବେ ଓଲିଉଡ୍‌ରେ ଇନିଂସ୍‌ ଆରମ୍ଭ କରିଥିଲେ। କିନ୍ତୁ ହରଙ୍କ ପରବର୍ତ୍ତୀ କୌଣସି ଛବିରେ ଏମାନଙ୍କୁ ଆଉ ଦେଖିବାକୁ ମିଳି ନଥିଲା। ସୁପରିଚିତ ନିର୍ଦ୍ଦେଶକ ସୁଧାଂଶୁମୋହନ ସାହୁଙ୍କ ନିର୍ଦ୍ଦେଶିତ ‘ମୁଁ ପ୍ରେମୀ ମୁଁ ପାଗଳ’ ଜରିଆରେ ନାୟିକା ଭାବେ ଅନୁଭା ଏବଂ ‘ମୁଁ ରାଜା ତୁ ରାଣୀ’ରୁ ସମ୍ଭାବନା କ୍ୟାରିଅର୍‌ର ଶୁଭାରମ୍ଭ କରିଥିଲେ। ହେଲେ ଏଯାଏ ଦୁଇ ନାୟିକାଙ୍କୁ ସୁଧାଂଶୁମୋହନ ସାହୁଙ୍କ ସହ ଦ୍ବିତୀୟ ଥର କାମ କରିବାର ସୁଯୋଗ ମିଳିନାହିଁ। ଠିକ୍ ସେହିପରି ଅଣଓଡ଼ିଆ ନାୟିକା ଶ୍ରେୟା (ଶତ୍ରୁସଂହାର),  ଯୁକ୍ତା (ସ୍ବୟଂସିଦ୍ଧା) ଓ ବିଦିତା ବାଗ୍ (ଭଉଁରି)ଙ୍କୁ ପରେ ସୁଧାଂଶୁଙ୍କର ଅନ୍ୟ କୌଣସି ଛବିରେ ଦେଖିବାକୁ ମିଳିନାହିଁ। 

ଏକଦା ଆଲ୍‌ବମ୍ କୁଇନ୍ ଭାବେ ପରିଚିତ ଲିପିଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ଥିଲା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ‘ଓମ୍ ଶାନ୍ତି ଓମ୍’(୨୦୦୪)। ଏହାପରେ ଲିପି ଆଉ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ଅନ୍ୟ କୌଣସି ଛବିରେ କାମ କରିନାହାନ୍ତି। ଠିକ୍ ସେହିପରି ଶିଶୁ କଳାକାରରୁ ନାୟିକା ବନିଥିବା ପ୍ରକୃତି ମିଶ୍ରଙ୍କ କ୍ଷେତ୍ରରେ ବି ସମାନ କଥା ଘଟିଛି। ନାୟିକା ଭାବେ ପ୍ରକୃତି ମିଶ୍ର ପ୍ରଶାନ୍ତ ନନ୍ଦଙ୍କ ‘ଥୁକୁଲ୍‌’ରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ। ପ୍ରକୃତି ଏହାପରେ ଆଉ ପ୍ରଶାନ୍ତଙ୍କ ସିନେମାରେ ସୁଯୋଗ ପାଇନାହାନ୍ତି। ଅବଶ୍ୟ ପ୍ରଶାନ୍ତ ନନ୍ଦ ‘ଥୁକୁଲ୍’ ପରେ ଆଉ ଓଡ଼ିଆ ଛବି ନିର୍ମାଣ କରିନାହାନ୍ତି। ଏହିକ୍ରମରେ ଆମେ ମାମା ମିଶ୍ରଙ୍କୁ ବି ନେଇପାରିବା। ସେ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ‘ବାପା’ ଜରିଆରେ ସିନେଜଗତରେ ପ୍ରବେଶ କରିଥିଲେ। ପରେ କିଛି ବର୍ଷ ଓଡ଼ିଆ ସିନେଜଗତରେ ନାୟିକା ଭାବେ ସକ୍ରିୟ ରହିଲେ, ହେଲେ ଆଉ ପ୍ରଶାନ୍ତଙ୍କ ସହ ଅନ୍ୟ କୌଣସି ଛବିରେ କାମ କରିନାହାନ୍ତି। ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ହେଲୋ’ରୁ କ୍ୟାରିଅର୍ ଆରମ୍ଭ କରିଥିବା ନାୟିକା ସୁଶ୍ରୀଙ୍କୁ ପରବର୍ତ୍ତୀ କାଳରେ ସୁଶାନ୍ତଙ୍କର କୌଣସି ସିନେମାରେ ଦେଖିବାକୁ ମିଳିନାହିଁ। ତେଣେ ହିମାଂଶୁ ପରିଜା (ଚଣ୍ଡୀ)ଙ୍କ ନିର୍ଦ୍ଦେଶିତ ‘ଲଭ୍ ୟୁ ହମେଶା’ରୁ ବଡ଼ ପରଦାରେ ପ୍ରଥମେ ନାୟିକା ଭୂମିକାରେ ନଜର ଆସିଥିଲେ ଅନିଶା। ତାଙ୍କୁ ହିମାଂଶୁ ପରିଜାଙ୍କ ଅନ୍ୟ କୌଣସି ସିନେମାରେ ନାୟିକା ଭାବେ ଦେଖିବାକୁ ମିଳିନାହିଁ।