ଶିବଶଙ୍କର ଓଝା
ଏଇ ମାସ ୧୧ ତାରିଖରେ ଏକା ବେଳକେ ତିନିଟି ଓଡ଼ିଆ ଚଳଚ୍ଚିତ୍ର ପରଦାକୁ ଆସୁଛି। ଏ ବର୍ଷର ପ୍ରଥମ ତ୍ରିମୁଖୀ ଲଢ଼େଇରେ ସାମିଲ ହୋଇଛନ୍ତି ‘ପାଦେ ଆକାଶ’, ‘ଆଜିର ରେବତୀ’ ଓ ‘ଡଷ୍ଟବିନ୍’। ଏକାଠି ମୁକ୍ତିଲାଭ କରୁଥିଲେ ବି ବିଷୟବସ୍ତୁ ଓ ଦର୍ଶକୀୟ ଆବେଦନ ଦୃଷ୍ଟିରୁ ଛବିଗୁଡ଼ିକ ପରସ୍ପରଠାରୁ ସଂପୂର୍ଣ୍ଣ ଭିନ୍ନ। କେଉଁ ଛବିକୁ ଦର୍ଶକ କିଭଳି ସମର୍ଥନ ଦେଉଛନ୍ତି, ତାହା ମୁକ୍ତିଲାଭ ପରେ ଜଣାପଡ଼ିବ।
ଡକ୍ଟର ଶ୍ରୁତି ମହାପାତ୍ରଙ୍କ ଜୀବନୀ ଆଧାରିତ ସିନେମା ‘ପାଦେ ଆକାଶ’ରେ ଅର୍ଚ୍ଚିତା ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ବେଳେ ତାଙ୍କ ବିପକ୍ଷରେ ଅଛନ୍ତି ଅଙ୍କିତ କୁମାର। କାହାଣୀ ଅନୁଯାୟୀ, ନାୟିକା ଦୁର୍ଘଟଣାର ଶିକାର ହୁଅନ୍ତି ଓ ପକ୍ଷାଘାତରେ ପୀଡ଼ିତ ହୋଇଯାଆନ୍ତି। ତା’ପରେ ନାୟିକାଙ୍କ ଜୀବନରେ କ’ଣ ସବୁ ଘଟେ ତାହା ସିନେମାର ବିଷୟବସ୍ତୁ। ଏଥିରେ ଅର୍ଚ୍ଚିତା ପ୍ରଭାବଶାଳୀ ଅଭିନୟ କରିଥିବା ଚର୍ଚ୍ଚା ହେଉଛି। ତରଙ୍ଗ ସିନେ ପ୍ରଡକ୍ସନ୍ ପ୍ରଯୋଜିତ ଏହି ଛବିରେ ଅଙ୍କିତ୍ ନାୟିକାଙ୍କ ଭାବୀ ପତି ଭୂମିକାରେ ଥିବା ବେଳେ ଏଥିରେ ବଲିଉଡ୍ ଅଭିନେତା ରାଜେଶ ଜୈସ୍, ହର ରଥ, ସ୍ମିତା ମହାନ୍ତି, ମୋହନ ମଜିଠିଆ, ମଧୁମିତା ଓ ବିଜୟଲକ୍ଷ୍ମୀ ପ୍ରମୁଖ ଅଭିନୟ କରିଛନ୍ତି। ସୁଶାନ୍ତ ମଣି ନିର୍ଦ୍ଦେଶିତ ‘ପାଦେ ଆକାଶ’ର ସଂଳାପ ଭରଦ୍ବାଜ ପଣ୍ଡା ଲେଖିଥିବା ବେଳେ ଚିତ୍ରନାଟ୍ୟ ରଚନା କରିଛନ୍ତି ବିପ୍ଳବ ସିଂହ ଓ ଦେବୀଦତ୍ତ ମହାନ୍ତି। ପ୍ରେମ୍ ଆନନ୍ଦ ଏହାର ସଙ୍ଗୀତକାର ଓ ଗୀତିକାର ବିଜୟ ମଲ୍ଲ।
‘ପାଦେ ଆକାଶ’ ଭଳି ନାରୀ ସଂଘର୍ଷ କାହାଣୀ ସହିତ ଟକ୍କର ଦେବାକୁ ଆସୁଛି ନାରୀ ଶିକ୍ଷା ଉପରେ ଆଧାରିତ ଦ୍ବିଭାଷୀ ଛବି ‘ଆଜିର ରେବତୀ’। ସିନେମାର ମୁଖ୍ୟ ନାରୀ ଚରିତ୍ରର ଶିକ୍ଷାକୁ କେନ୍ଦ୍ରକରି କାହାଣୀ ଗତିଶୀଳ ହୋଇଛି। ରମେଶ ବାରିକଙ୍କ ପ୍ରଯୋଜିତ ତଥା ଶୁଭ୍ରାଂଶୁ ଦାସଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ବଙ୍ଗୀୟ ନାୟକ ବନ୍ନି ସେନଗୁପ୍ତ, ଶୀତଲ୍, ପୃଥ୍ବୀରାଜ ନାୟକ, ଉଷସୀ ମିଶ୍ର ଓ ପୁଷ୍ପା ପଣ୍ଡା ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ବଦ୍ରୀ ମିଶ୍ରଙ୍କ କାହାଣୀ ଆଧାରିତ ଏହି ସିନେମାର ସଂଳାପକାର ହେଲେ ଶ୍ୟାମାପ୍ରସାଦ ମିଶ୍ର। ‘ଆଜିର ରେବତୀ’ରେ ବି ଦର୍ଶକ ପ୍ରେମ୍ ଆନନ୍ଦଙ୍କ ସଙ୍ଗୀତ ଶୁଣିବାକୁ ପାଇବେ। ଏହା ଉଭୟ ଓଡ଼ିଆ ଓ ବଙ୍ଗଳା ଭାଷାରେ ଏକାସଙ୍ଗେ ମୁକ୍ତିଲାଭ କରୁଛି।
ଏହି ଦୁଇ ଛବି ସହ ସମାନ ତାରିଖରେ ପ୍ରେକ୍ଷାଳୟକୁ ଆସୁଛି ଲଭ୍, ରୋମାନ୍ସ ଓ ଆକ୍ସନ୍ରେ ଭରପୂର ସସ୍ପେନ୍ସ ଥ୍ରିଲର୍ ‘ଡଷ୍ଟ୍ବିନ୍’। କେ. କେ. ସାହୁଙ୍କ ପ୍ରଯୋଜିତ ଏହି ସିନେମାର କାହାଣୀ, ଚିତ୍ରନାଟ୍ୟ, ସଂଗୀତ ଓ ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଜଣାଶୁଣା ଅଭିନେତା ପପୁ ପମ୍ପମ୍। ଡ. ଦୀପକ ଜେନା ଏହାର ସଂଳାପ ରଚନା କରିଥିବା ବେଳେ ଡ. ନିର୍ମଳ ନାୟକ, ଡ. ଦୀପକ ଜେନା ଓ ରଞ୍ଜନ ନାୟକ ଗୀତ ରଚନା କରିଛନ୍ତି। ଏଥିରେ ପପୁ ପମ୍ପମ୍ଙ୍କ ବିପକ୍ଷରେ ନବାଗତା ପ୍ରାଚୀ ଥିଲା ବେଳେ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ସୁକୁମାର ଟୁଡୁ, ଦୀପନ୍ୱିତ ଦାସ ମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ସ୍ମିତା ମହାନ୍ତି, ଜୀବନ ପଣ୍ଡା, ଅରବିନ୍ଦ ଷଡ଼ଙ୍ଗୀ, ଟୁକୁନା ଷ୍ଟାଇଲିସ୍ ଓ ମନୋଜ ସ୍ୱାଇଁ ଅଭିନୟ କରିଛନ୍ତି।