ଅଭିନେତ୍ରୀ ସୁଚିତ୍ରା କୃଷ୍ଣମୂର୍ତ୍ତି ପ୍ରକାଶ କରିଛନ୍ତି ଯେ ତାଙ୍କ ଝିଅ କାବେରୀ ତାଙ୍କ ​ଫୋନ୍‌ରେ ଏକ ଡେଟିଂ ଆପ୍‌ ଡାଉନ୍‌ଲୋଡ୍‌ କରି ତାହା ଜରିଆରେ ଅନ୍ତତଃ ୧୫ ଥର ଡେଟିଂରେ ଯିବାକୁ ଅନୁରୋଧ କରିଥିଲେ। କାବେରୀ ମାଆଙ୍କ ନିଃସଙ୍ଗ ଜୀବନ ଦେଖି ତାଙ୍କୁ ଏଭଳି କରିବାକୁ କହିଥିଲେ। ୧୯୯୭ରେ ସୁଚିତ୍ରା ଚଳଚ୍ଚିତ୍ର ନିର୍ମାତା ଶେଖର କପୁରଙ୍କୁ ବିବାହ କରିଥିଲେ। କିନ୍ତୁ ୨୦୦୭ରେ ସେମାନଙ୍କ ବିବାହ ବିଚ୍ଛେଦ ହୋଇଥିଲା। ଏହା ସତ୍ତ୍ବେ ଦୁହେଁ ମିଳିତ ଭାବେ କନ୍ୟା କାବେରୀ କପୁରଙ୍କ ଲାଳନପାଳନ କରିଆସିଛନ୍ତି।

Advertisment

କାବେରୀ ବଡ଼ ହୋଇ ବିଦେଶକୁ ଉଚ୍ଚ ଶିକ୍ଷା ପାଇଁ ଯିବା ଅବସରରେ ଅନୁଭବ କରିଥିଲେ ଯେ ମାଆଙ୍କ ଏକାକୀ ଜୀବନ ଅତ୍ୟନ୍ତ ଦୁଃଖଦାୟକ ହୋଇଯାଇଛି। ତେଣୁ ସେ ମାଆ ସୁଚିତ୍ରାଙ୍କ ମୋବାଇଲ୍‌ରେ ଏକ ଡେଟିଂ ଆପ୍‌ ଡାଉନ୍‌ଲୋଡ୍‌ କରିଦେଇ ସେ ଗଲା ପରେ ତାହାକୁ ଡିଲିଟ୍‌ ନ କରି ବ୍ୟବହାର କରିବାକୁ କହିଥିଲେ। ମନରେ ସଂକୋଚ ଥିବା ସତ୍ତ୍ବେ ଝିଅର କଥା ରଖି ସେ ନୂଆ ନୂଆ ଲୋକଙ୍କ ସହ ଡେଟିଂରେ ଗଲେ। ପ୍ରଥମେ ସେ ନିଜକୁ ପ୍ରଶ୍ନ କରିଥିଲେ ଯେ ସେ ଏ କ’ଣ କରୁଛନ୍ତି? କିନ୍ତୁ ପୁଣି ଭାବିଲେ ଯେ ଏଥିରେ ଲାଜ କରିବାର କିଛି ନାହଁ, ବରଂ ଏଥିପାଇଁ ଗର୍ବ ଅନୁଭବ କରିବା ଉଚିତ। ଡେଟିଂ ଆପ୍‌ ଜରିଆରେ ସେ ଭେଟିଥିବା ଲୋକମାନେ ଏତେ ଭଲ ଥିଲେ ଯେ ସେମାନଙ୍କ ମଧ୍ୟରୁ କିଛି ବ୍ୟକ୍ତି ତାଙ୍କର ବନ୍ଧୁ ପାଲଟିଯାଇଛନ୍ତି ବୋଲି ସୁଚିତ୍ରା ପ୍ରକାଶ କରିଛନ୍ତି।