‘ମୁଁ ମଲ୍ଟିପ୍ଲେକ୍ସର ଭୁଲ୍ ସ୍କ୍ରିନ୍କୁ ପଶି ଆସିନାହିଁ ତ?’- ସିନେମା ଆରମ୍ଭ ହେବାର କିଛି ମିନିଟ୍ ପରେ ଏଭଳି ସଂଶୟ ଓ ଉଦ୍ବେଗ ଖୁବ୍ କମ୍ ଚଳଚ୍ଚିତ୍ର କ୍ଷେତ୍ରରେ ଅନୁଭୂତ ହୁଏ। ‘ହିଅର୍’ (Here) ସେହିଭଳି ଏକ ସିନେମା। ପ୍ରାରମ୍ଭିକ ଦୃଶ୍ୟଗୁଡ଼ିକ ନେସ୍ନାଲ୍ ଜିଓଗ୍ରାଫିକ୍ ଦ୍ବାରା ଅନୁପ୍ରାଣିତ ଏକ ସିନେମାର ଭ୍ରମ ସୃଷ୍ଟି କରୁଥିବା ବେଳେ ଖୁବ୍ ଶୀଘ୍ର ଦୃଶ୍ୟରେ ଅଭିନେତାମାନେ ଅବତୀର୍ଣ୍ଣ ହୋଇ ଏକ ମଞ୍ଚ ନାଟକର ଧାରଣା ସୃଷ୍ଟି କରନ୍ତି। ସେକ୍ସପିଅର୍ଙ୍କ ପ୍ରସିଦ୍ଧ ଉକ୍ତି- ‘ପୃଥିବୀଟା ଏକ ମଞ୍ଚ, ଆଉ ସବୁ ପୁରୁଷ ଓ ମହିଳା ଜଣେ ଜଣେ ଅଭିନେତା ମାତ୍ର’କୁ ‘ଫରେଷ୍ଟ ଗମ୍ପ୍’ର ପ୍ରସିଦ୍ଧ ନିର୍ଦେଶକ ଓ କଳାକାରମାନେ ଏକ ଅରଖ ନୂଆ ଶୈଳୀରେ ଯଥାର୍ଥ ଦର୍ଶାଇବାକୁ ଉଦ୍ୟମ କରିଛନ୍ତି। ଏହି ହୃଦୟସ୍ପର୍ଶୀ ଚଳଚ୍ଚିତ୍ରରେ ଆନନ୍ଦ, ଆଶା, କ୍ଷତି, ପ୍ରେମ, ଜୀବନ, ସବୁକିଛି ଘରର ଗୋଟିଏ ପ୍ରକୋଷ୍ଠରେ ଚିତ୍ରିତ ହେଉଛି। ଡାଇନୋସର୍ ଯୁଗରୁ ନେଇ କୋଭିଡ୍ ମହାମାରୀ ଯାଏ ସମୟକୁ ମାତ୍ର ଘଣ୍ଟାଏ ୪୫ ମିନିଟ୍ ଭିତରେ ହୃଦୟସ୍ପର୍ଶୀ ଢଙ୍ଗରେ ପ୍ରଦର୍ଶନ କରାଯାଇଛି।
ବିଂଶ ଶତାବ୍ଦୀରେ କାହାଣୀର ଘରଟି ନିର୍ମିତ ହେବା ପରେ ସମୟକ୍ରମେ ଏକାଧିକ ପରିବାର ଏଠାରେ ରହୁଛନ୍ତି। ଟମ୍ ହାଙ୍କ୍ ଓ ରବିନ୍ ରାଇଟ୍ଙ୍କ ଦ୍ବାରା ଅଭିନୀତ ରିଚାର୍ଡ ଓ ମାର୍ଗାରେଟ୍ଙ୍କ ପରିବାର ଏହାର କେନ୍ଦ୍ରରେ ଅଛି। ଅସମାନ୍ତରାଳ ଭାବେ ଚିତ୍ରିତ ଏହି କାହାଣୀର ଦିଗ ବୁଝିବାରେ ପ୍ରଥମେ ସମସ୍ୟା ହୋଇଥାଏ, ତେବେ କ୍ରମେ ସଂଳାପ ଓ ଚିତ୍ରନାଟ୍ୟ ଜରିଆରେ କେଉଁ କାଳର କାହାଣୀ କେତେବେଳେ ଦେଖିବାକୁ ମିଳୁଛି ତାହା ବାରିବା ସହଜ ହୁଏ। ଧୀରେ ଧୀରେ ଚରିତ୍ରମାନଙ୍କ ପ୍ରତି ଦର୍ଶକ ମନରେ ସହାନୁଭୂତି ବିକଶିତ ହୁଏ। ଯୁଦ୍ଧ, ଅର୍ଥନୈତିକ ସଂକଟ, ଉଦ୍ଭାବନ ଭଳି ଐତିହାସିକ ଘଟଣାମାନ ଆମେରିକୀୟ ଜନଜୀବନ ଓ ଅର୍ଥନୀତିକୁ କିପରି ପ୍ରଭାବିତ କରିଥିଲା ତାହାର ଚିତ୍ରଣ ‘ହିଅର୍’ର ଏକ ବୈଶିଷ୍ଟ୍ୟ। ସେଠାକାର ମହିଳାମାନେ ଗୃହିଣୀ ହେବାର ବାଧ୍ୟବାଧକତାରୁ ବାହାରି ଉଚ୍ଚଶିକ୍ଷିତା ପେସାଧାରୀ ହେବା ଲାଗି କିପରି ପିଢ଼ି-ପିଢ଼ି ଧରି ଅପେକ୍ଷା କରିବାକୁ ପଡ଼ିଛି ତାହା ମଧ୍ୟ ଚଳଚ୍ଚିତ୍ରର ଅନ୍ୟ ଏକ ବିଶେଷ ବିନ୍ଦୁ।
ଏହି ଚଳଚ୍ଚିତ୍ରର ଅଭିନବତ୍ବ ସତ୍ତ୍ବେ ଏହାକୁ ନାପସନ୍ଦ କରିବାର ଅନେକ କାରଣ ଅଛି। ସେଭଳି ଗୋଟିଏ ପ୍ରମୁଖ କଥା ହେଲା ବୟସ୍କମାନଙ୍କ ଭାବପ୍ରବଣତାକୁ ଉଦ୍ରେକ କରିବା ଛଡ଼ା ଏହାର ଅନ୍ୟ କୌଣସି ଆକର୍ଷଣୀୟ ବିଭାବ ନାହିଁ। ସବୁ ସମୟରେ କ୍ୟାମେରା ସ୍ଥିର ଥିବାରୁ ଏହା ଏକ ନାଟକର ଭ୍ରମ ସୃଷ୍ଟି କରିଥାଏ, ଯାହା ଚିତ୍ତଚାଞ୍ଚଲ୍ୟ ପସନ୍ଦ କରୁଥିବା ଯୁବପିଢ଼ିକୁ ନିରାଶ କରିବା ଖୁବ୍ ସମ୍ଭବ।
୧୯୯୪ର ‘ଫରେଷ୍ଟ ଗମ୍ପ୍’ ପାଇଁ ଶ୍ରେଷ୍ଠ ନିର୍ଦେଶକ ଭାବେ ଓସ୍କାର ପାଇଥିବା ରବର୍ଟ ବର୍ତ୍ତମାନ ୭୨ ବର୍ଷରେ ଉପନୀତ। ଏ ବୟସରେ ବି ସେ ଚଳଚ୍ଚିତ୍ର ନିର୍ମାଣ ଶୈଳୀକୁ ବଦଳାଇବାରେ ସମର୍ଥ! ସେ ଦୃଷ୍ଟିରୁ ତାଙ୍କ କାହାଣୀର କାଳଖଣ୍ଡ ଯେତେ ପୁରୁଣା ହେଲେ ବି ତାଙ୍କ ‘ହିଅର୍’ ଚଳଚ୍ଚିତ୍ରରୁ ମଣିଷ ଜୀବନକୁ ଦେଖିବାର ନୂଆ ଦୃଷ୍ଟିଭଙ୍ଗୀ ମିଳିଥାଏ। ଅଭିନୟ ଦକ୍ଷତା ଓ ବୈଷୟିକ ପାରଙ୍ଗମତା ଦୃଷ୍ଟିରୁ ଏହି ଚଳଚ୍ଚିତ୍ର ନିଖୁଣ ଶ୍ରେଣୀର, ଏଥିରେ ସନ୍ଦେହ ନାହିଁ। ଶେଷ ଦୃଶ୍ୟଟି ଭାବପ୍ରବଣ ଦର୍ଶକଙ୍କୁ ଲୋତକାର୍ଦ୍ର କରିଦେବା ସହିତ କ୍ୟାମେରାଟି ପ୍ରଥମ ଥର ପାଇଁ ନିଜ ସ୍ଥାନରୁ ବାହାରି ଦୂରରୁ ସଂପୂର୍ଣ୍ଣ ଘରଟିର ଚିତ୍ର ଦେଖାଇଛି।