ବ୍ୟାବସାୟିକ ଦୃଷ୍ଟିକୋଣରୁ ଓଲିଉଡ୍ ପାଇଁ ଦଶହରା ଏକ ଗୁରୁତ୍ବପୂର୍ଣ୍ଣ ପର୍ବ। ଏହି ଅବସରରେ ପ୍ରତିବର୍ଷ ଏକାଧିକ ଓଡ଼ିଆ ଛବି ମୁକ୍ତିଲାଭ କରିଥାଏ। ଆଉ ପୂଜା ସମୟରେ ରିଲିଜ୍ ହୋଇଥିବା ସିନେମାରୁ କ୍ୟାରିୟର୍ ଆରମ୍ଭକରି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ଏହି ପାଞ୍ଚ ନାୟିକା।
ଶିବଶଙ୍କର ଓଝା
ଅର୍ଚ୍ଚିତା
ପ୍ରଭାଂଶୁ ସାମନ୍ତରାୟଙ୍କ ପ୍ରଯୋଜିତ ତଥା ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ୨୦୦୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ଓ ମାଇଁ ଲଭ୍’ ଜରିଆରେ ଅର୍ଚ୍ଚିତା ସାହୁ ନାୟିକା ଭାବେ କ୍ୟାରିୟର୍ ଆରମ୍ଭ କରିଥିଲେ। ସଂଯୋଗବଶତଃ ଏହା ସେହିବର୍ଷ ଦୁର୍ଗାପୂଜା ସମୟରେ ରିଲିଜ୍ ହୋଇଥିଲା। ଏହାପରେ ସେ ନିୟମିତ ଭାବେ ନାୟିକା ଭୂମିକାରେ ନଜର ଆସୁଛନ୍ତି। ଚଳିତ ବର୍ଷ ଅର୍ଚ୍ଚିତାଙ୍କ ଅଭିନୀତ ‘ପାଦେ ଆକାଶ’, ‘ବୋଉ ବୁଟୁ ଭୂତ’ ଓ ‘ଡେଲିଭରି ବୟ୨’ ଆଦି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଇତିମଧ୍ୟରେ ସେ ପାଖାପାଖି ୪୦ଟି ଓଡ଼ିଆ ଛବିରେ ଅଭିନୟ କରିସାରିଲେଣି।
ମେଘା
ଏକଦା ଓଡ଼ିଆ ଛବିରେ ଖୁବ୍ ଜଣାଶୁଣା ଥିଲେ ବଙ୍ଗୀୟ ନାୟିକା ମେଘା ଘୋଷ। ୨୦୦୯ ଦଶହରା ଅବସରରେ ମୁକ୍ତିଲାଭ କରିଥିବା ‘ଲଭ୍ ଡଟ୍କମ୍’ ସିନେମା ଜରିଆରେ ସେ ଓଲିଉଡ୍ରେ ପ୍ରବେଶ କରିଥିଲେ। ଏହାପରେ ସେ ‘ଶଶୁର ଘର ଜିନ୍ଦାବାଦ୍’, ‘ଲୁଚକାଳି’, ‘ଚାନ୍ଦିନୀ ଆଇ ମିସ୍ ୟୁ’, ‘ଦୋସ୍ତି’, ‘ମୋଷ୍ଟ୍ ୱାଣ୍ଟେଡ୍’, ହରି ଓମ୍ ହରି’, ‘ଆଶିକ୍ ଆୱାରା’ ଓ ‘ହିରୋଗିରି’ ଆଦି ଓଡ଼ିଆ ଛବିରେ ନାୟିକା ଭୂମିକାରେ ନଜର ଆସିଛନ୍ତି। ଯଦିଓ ସେ ଅନେକ ସଫଳ ଛବି ଦର୍ଶକଙ୍କୁ ଉପହାର ଦେଇଛନ୍ତି, କିନ୍ତୁ ଗତ ଦୁଇବର୍ଷ ହେବ ତାଙ୍କର କୌଣସି ଓଡ଼ିଆ ଛବି ମୁକ୍ତିଲାଭ କରିନାହିଁ।
ରୀୟା ଦେ
୨୦୧୦ ପୂଜାରେ ମୁକ୍ତିଲାଭ କରିଥିବା ‘ପ୍ରେମ ଅଢ଼େଇ ଅକ୍ଷର’ ସିନେମା ଜରିଆରେ ରୀୟା ନାୟିକା ଭାବେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପରେ କ୍ୟାରିୟର୍ ଆରମ୍ଭ କରିଥିଲେ। ଆଉ ଏହି ସିନେମା ଲାଗି ଶ୍ରେଷ୍ଠ ଅଭିନେତ୍ରୀ ଭାବେ ତାଙ୍କୁ ମିଳିଥିଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଏହାପରେ ରୀୟା ଆଉ ପଛକୁ ଫେରି ଚାହିଁନାହାନ୍ତି। ଏବେ ତାଙ୍କ ଅଭିନୀତ ‘ଆଶିକ୍ ଦିୱାନା’, ‘ପବିତ୍ର ବନ୍ଧନ’ ଓ ‘ଯୋଉଠି ଥିଲେ ବି ତୁ ମୋର’ ଆଦି ଫିଲ୍ମ ରିଲିଜ୍ ଅପେକ୍ଷାରେ ରହିଛି। ରୀୟା ୩୦ରୁ ଅଧିକ ଓଡ଼ିଆ ଛବିେର ଅଭିନୟ କରିଛନ୍ତି।
ସୂର୍ଯ୍ୟମୟୀ
ସୂର୍ଯ୍ୟମୟୀଙ୍କ ପ୍ରଥମ ସିନେମା ଥିଲା ୨୦୧୫ ପୂଜା ବଜାରରେ ମୁକ୍ତିପ୍ରାପ୍ତ ‘ଭଲ ପାଏ ତତେ ଶହେରୁ ଶହେ’। ଏହାପରେ ସେ ‘ଆଖି ଖୋଲିଲେ ତୁ ହି ତୁ’, ‘ଶକ୍ତି’, ‘ମିଷ୍ଟର୍ ମଜ୍ନୁ’, ‘ନିର୍ଣ୍ଣୟ’, ‘ମାଲ୍ୟଗିରି’, ‘ଆଶ୍ରମ’, ‘ଟିକେ ଟିକେ ଅଚିହ୍ନା ତୁ’, ‘କର୍ମ’, ‘ପରବ’, ‘ଡାଲଚିନି’, ‘ଭାବାନ୍ତର’, ‘ରଙ୍ଗଶୁର’, ‘ଶିମ୍ଲୀ’ ଓ ‘ଅନନ୍ତା’ ଆଦି ସିନେମାରେ ନଜର ଆସିଛନ୍ତି। ଏଥିମଧ୍ୟରୁ ୨୦୧୯ରେ ‘ମିଷ୍ଟର୍ ମଜନୁ’, ୨୦୨୩ରେ ‘ମାଲ୍ୟଗିରି’ ଓ ୨୦୨୪ରେ ‘କର୍ମ’ ପୂଜା ବଜାରରେ ରିଲିଜ୍ ହୋଇଥିଲା। ୧୦ ବର୍ଷର କ୍ୟାରିୟର୍ ଭିତରେ ସୂର୍ଯ୍ୟମୟୀ ପ୍ରାୟ ୧୫ଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।
ସୁପ୍ରିୟା
ଏଣେ ସୁପ୍ରିୟାଙ୍କ ପ୍ରଥମ ଓଡ଼ିଆ ଛବି ବି ପୂଜା ବଜାରରେ ମୁକ୍ତିଲାଭ କରିଥିଲା। ୨୦୧୬ରେ ମୁକ୍ତିଲାଭ କରିଥିବା ‘ଲଭ୍ ପାଇଁ କୁଛ୍ ଭି କରେଗା’ରୁ ସେ କ୍ୟାରିୟର୍ ଆରମ୍ଭ କରିଥିଲେ। ଏହାପରେ ତାଙ୍କୁ ‘ବିଜୁବାବୁ’, ‘ଓନଲି ପ୍ୟାର୍’, ‘ଶଙ୍କର’, ‘ବାପା ସୁପର୍ମ୍ୟାନ୍’, ‘ପୁଷ୍କରା’, ‘କୁହୁଡ଼ି’, ‘କାଇଁଚମାଳି’, ‘ସିନ୍ଦୂରା’, ‘ବିଗୁଲ୍’ ଆଦି ଓଡ଼ିଆ ଛବିରେ ଦେଖିବାକୁ ମିଳିଛି। ‘ହାତକଡ଼ି’ ସମେତ ସୁପ୍ରିୟାଙ୍କର କେତୋଟି ଓଡ଼ିଆ ସିନେମା ପାଇପ୍ଲାଇନ୍ରେ ରହିଛି।