୫ହଜାର ଘଣ୍ଟାର ରିସର୍ଚ୍ଚ ଓ ୭୦୦ ପୀଡ଼ିତଙ୍କ ସହ କଥା ହେବା ପରେ ନିର୍ମାଣ ହୋଇଛି ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’

ନୂଆଦିଲ୍ଲୀ: ୫ହଜାର ଘଣ୍ଟାର ରିସର୍ଚ ଓ ୭୦୦ ପୀଡ଼ିତଙ୍କ ସହ କଥା ହେବା ପରେ ନିର୍ମାଣ ହୋଇଛି ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’। ଫିଲ୍ମ ରିଲିଜ୍ ପରେ ସାମ୍ବାଦିକ ସମ୍ମିଳନୀରେ ଏଭଳି କହିଛନ୍ତି ଚଳଚ୍ଚିତ୍ରର ନିର୍ମାତା ବିବେକ ଅଗ୍ନିହୋତ୍ରୀ। ଫିଲ୍ମଟି ରିଲିଜ୍ ପରେ ଭଲ ବ୍ୟବସାୟ କରୁଥିବା ବେଳେ ଏଥିରେ କଶ୍ମୀର ପଣ୍ଡିତମାନଙ୍କୁ କେଉଁ ସବୁ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା, ତାହା ଦେଖାଯାଇଛି। ତେବେ ଫିଲ୍ମଟି ଦର୍ଶକଙ୍କୁ ପସନ୍ଦ ଆସୁଥିବା ବେଳେ ଏହାକୁ ନିର୍ମାଣ କରିବା ପାଇଁ କରାଯାଇଥିବା କଷ୍ଟ ବିଷୟରେ ଜଣାଇଛନ୍ତି ବିବେକ ଅଗ୍ନିହୋତ୍ରୀ।

ବିବେକ କହିଛନ୍ତି ଯେ ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ୫୦୦୦ଘଣ୍ଟା ରିସର୍ଚ୍ଚ କରାଯାଇଥିଲା ଓ ୧୫ହଜାର ପୃଷ୍ଠାର ଡକ୍ୟୁମେଣ୍ଟ ସଂଗ୍ରହ କରାଯାଇଥିଲା। ପ୍ରାୟ ଦେଢ଼ ଘଣ୍ଟାର ସାମ୍ବାଦିକ ସମ୍ମିଳନୀରେ ବିବେକ ଅଗ୍ନିହୋତ୍ରୀ ୨୦ମିନିଟର ଏକ ଭିଡିଓ ଦେଖାଇଥିଲେ। ଏହି ଭିଡିଓରେ ସେହି କଶ୍ମୀର ପଣ୍ଡିତମାନଙ୍କ ସହ ଏକ ସାକ୍ଷାତକାର ଥିଲା ଯେଉଁମାନେ ପ୍ରକୃତରେ ହୋଇଥିବା ଅତ୍ୟାଚାରର ସାମ୍ନା କରିଥିଲେ। ବିବେକ କହିଛନ୍ତି ଯେ ସେ ଏବଂ ତାଙ୍କ ପତ୍ନୀ ପଲ୍ଲବୀ ଯୋଶୀ ବିଶ୍ୱର ଅନେକ ଦେଶ ତଥା ଭାରତର ଅନେକ ସହରକୁ ଯାଇ ପ୍ରକୃତ ପୀଡିତ କଶ୍ମୀରୀ ପଣ୍ଡିତଙ୍କୁ ଭେଟିଥିଲେ ଏବଂ ୭୦୦ରୁ ଅଧିକ ପୀଡିତ କଶ୍ମୀରୀ ପଣ୍ଡିତଙ୍କ ସାକ୍ଷାତକାର ରେକର୍ଡ କରିଥିଲେ। ଏହି ଚଳଚ୍ଚିତ୍ରକୁ ନିର୍ମାଣ କରିବା ପାଇଁ ତାଙ୍କୁ ୪ବର୍ଷ ସମୟ ଲାଗିଥିଲା ବୋଲି ସେ କହିଛନ୍ତି।

ବିବେକ ଆହୁରି ମଧ୍ୟ କହିଛନ୍ତି ଯେ, ପୀଡ଼ିତମ‌ାନେ ଘଟିଥିବା ଘଟଣାକୁ ନେଇ ଫିଲ୍ମ ତିଆରି କରିବାକୁ ଅନେକ ଅନୁରୋଧ କରିଥିଲେ ବି ବଲିଉଡର କୌଣସି ଫିଲ୍ମ ନିର୍ମାତା ଏହାକୁ କରିବାକୁ ରାଜି ହୋଇନଥିଲେ। ସେ ସମୟରେ ସରକାର ମଧ୍ୟ କଶ୍ମୀର ପଣ୍ଡିତମାନଙ୍କ ଦୁଃଖକୁ ଦେଶବାସୀଙ୍କଠାରୁ ଲୁଚାଇବା ପାଇଁ ସେ ବିଷୟରେ ବିଶେଷ ଆଲୋଚନା ମଧ୍ୟ କରିନଥିଲେ। ତେବେ ବିବେକ ଏହା ଉପରେ ଫିଲ୍ମ ନିର୍ମାଣ କରିଥିବା ବେଳେ ପରେ ଏହାକୁ ନେଇ ୱେବ ସିରିଜ୍ ତିଆରି କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର