ଭୋପାଳ: ଶୁକ୍ରବାର ଦିନ ରିଲିଜ୍‌ ହୋଇଥିବା ଚଳଚ୍ଚିତ୍ର ‘ଦି କେରଳ ଷ୍ଟୋରି’କୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍‌ ଆଜି ମଧ୍ୟପ୍ରଦେଶ ରାଜ୍ୟରେ କରମୁକ୍ତ ଘୋଷଣା କରିଛନ୍ତି।

Advertisment

ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ ଚୌହାନ୍‌ ଲେଖିଛନ୍ତି: ଆତଙ୍କବାଦର ଭୟାବହ ସତ୍ୟତାକୁ ଉନ୍ମୁକ୍ତ କରିଥିବା ‘ଦି କେରଳ ଷ୍ଟୋରି’ ଚଳଚ୍ଚିତ୍ରକୁ ମଧ୍ୟପ୍ରଦେଶରେ କରମୁକ୍ତ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିସହିତ ସେ ନିଜସ୍ବ ଭିଡିଓ ମଧ୍ୟ ସେୟାର୍‌ କରିଛନ୍ତି।

‘ଦି କେରଳ ଷ୍ଟୋରି’ ଚଳଚ୍ଚିତ୍ରକୁ ମଧ୍ୟପ୍ରଦେଶରେ କରମୁକ୍ତ କରିବା ଲାଗି ପୂର୍ବରୁ ‘ବିଜେପି’ ଏବଂ ହିନ୍ଦୁ ସଙ୍ଗଠନ ସବୁ ମୁଖ୍ୟମନ୍ତ୍ରୀ ଚୌହାନଙ୍କ ନିକଟରେ ଦାବି କରିଥିଲେ। ରାଜ୍ୟରେ ‘ଦି କେରଳ ଷ୍ଟୋରି’ ଚଳଚ୍ଚିତ୍ରକୁ କରମୁକ୍ତ କରିବା ଲାଗି ରାଜ୍ୟ ମନ୍ତ୍ରୀ ରାହୁଲ୍‌ କୋଠାରି ମଧ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ପତ୍ର ଲେଖିଥିଲେ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ସ୍ପର୍ଶକାତର ବିଷୟବସ୍ତୁ ଆଧାରିତ ହୋଇଥିବାରୁ ସୁଦୀପ୍ତ ସେନ ନିର୍ଦେଶିତ ଓ ଅଦା ଶର୍ମା ଅଭିନୀତ ଚଳଚ୍ଚିତ୍ର ‘ଦି କେରଳ ଷ୍ଟୋରି’କୁ କେନ୍ଦ୍ର କରି ବହୁ ବାଦବିବାଦମୂଳକ ଖବର ସମ୍ବାଦପତ୍ରମାନଙ୍କରେ ପ୍ରକାଶ ପାଇ ଆସୁଛି।

ଶେଷରେ ମେ ୫ ତାରିଖରେ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କେତେକ ଏହାକୁ ପ୍ରଚାରସର୍ବସ୍ବ ଚଳଚ୍ଚିତ୍ର କହୁଥିବା ବେଳେ ଆଉ କ‌େତେକ ଅସାଧାରଣ ବୋଲି ଅଭିହିତ କରିଛନ୍ତି।

କେରଳରେ ହିନ୍ଦୁ ତରୁଣୀମାନଙ୍କୁ ଚରମପନ୍ଥୀ ମାର୍ଗକୁ ଅଣାଯାଇ ଧର୍ମାନ୍ତରିତ କରାଯିବା ପରେ ଆତଙ୍କବାଦୀ ସଙ୍ଗଠନ ‘ଇସ୍‌ଲାମିକ୍‌ ଷ୍ଟେଟ୍‌’ରେ ଭର୍ତ୍ତି କରାଯିବା କାହାଣୀ ଉପରେ ଏହି ଚଳଚ୍ଚିତ୍ର ପର୍ଯ୍ୟବେଶିତ।