‘ଦ କେରଳ ଷ୍ଟୋରି’ ଅଭିନେତ୍ରୀଙ୍କ ଏଡିଟେଡ୍ ଫଟୋ ସହ ଲିକ୍ ହେଲା ଫୋନ୍ ନମ୍ବର; ବିକୃତ ମାନସିକତା କହି ନିନ୍ଦା କଲେ ଅଦା ଶର୍ମା
ମୁମ୍ବାଇ: ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ‘ଦି କେରଳ ଷ୍ଟୋରି’। ଫିଲ୍ମଟି ବକ୍ସ ଅଫିସ୍ରେ ଜବରଦସ୍ତ ରୋଜଗାର କରୁଛି। ରିଲିଜ୍ ପୂର୍ବରୁ ନେଇ ରିଲିଜ୍ ହେବା ପରେ ବି ବିବାଦ ମଧ୍ୟରେ ରହିଥିବା ଏହି ଚଳଚ୍ଚିତ୍ରଟି ଅନେକ ଚଳଚ୍ଚିତ୍ରକୁ ରୋଜଗାର କ୍ଷେତ୍ରରେ ପଛରେ ପକାଇଛି। ଆରମ୍ଭରୁ ହିଁ ଏହି ଫିଲ୍ମର ରୋଜଗାର ସଭିଙ୍କୁ ଚକିତ କରିଛି।
ତେବେ ‘ଦି କେରଳ ଷ୍ଟୋରି’ ଫିଲ୍ମଟି ରିଲିଜ ହେବା ଆଗରୁ ବି ଟାର୍ଗେଟରେ ରହିଛନ୍ତି ଏଥିରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଅଦା ଶର୍ମା। ନିକଟରେ ତାଙ୍କ ଫୋନ୍ ନମ୍ବର ତାଙ୍କର ଏକ ନକଲି ଫଟୋ (ମୋର୍ଫେଡ୍ ପିକ୍ଚର) ସହ ଲିକ୍ ହେବା ପରେ ସେ ବେଶ୍ ଦୁଃଖୀ ହୋଇଛନ୍ତି। ଏପରି କରିବା କେବଳ ଜଣେ ବ୍ୟକ୍ତିର ବିକୃତ ମାନସିକତାକୁ ସୂଚାଉଛି ବୋଲି ସେ କହିଛନ୍ତି। ସେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି, ‘କାହାର ନକଲି ଫଟୋରେ ଫୋନ୍ ନମ୍ବର ଦେଇ ଲିକ୍ କରାଇଲେ ବାକି ଅନ୍ୟ ଝିଅ ଯେଉଁଭଳି ଅନୁଭବ କରିଥାନ୍ତେ ମୁଁ ବି ସେପରି ହିଁ ଅନୁଭବ କରୁଛି। ଏହା ମୋତେ ‘ଦି କେରଳ ଷ୍ଟୋରି’ର ଏକ ଦୃଶ୍ୟକୁ ମନେ ପକାଇଦେଲା।’
ମେ ୫ ତାରିଖରେ ମୁକ୍ତିଲାଭ କରିଥିବା ‘ଦି କେରଳ ଷ୍ଟୋରି’ ଅନୁଯାୟୀ କେରଳର ହିନ୍ଦୁ ମହିଳାଙ୍କୁ ପ୍ରେମଜାଲରେ ଫସାଇ ବିବାହ ନାଁରେ ଧର୍ମାନ୍ତରିତ କରିବା ପରେ ସେମାନଙ୍କୁ ଇରାକ ଓ ସିରିଆର ଇସ୍ଲାମିକ୍ ଷ୍ଟେଟ୍ (ଆଇଏସ୍ଆଇଏସ୍)କୁ ଚାଲାଣ କରାଯାଇଥିଲା। କିଛି ଲୋକ ଏହି ଫିଲ୍ମକୁ ଅପପ୍ରଚାରମୂଳକ ବୋଲି ଅଭିଯୋଗ କରିଛନ୍ତି। ଫିଲ୍ମର କିଛି କଳାକାର ଓ କର୍ମଚାରୀଙ୍କୁ ମଧ୍ୟ ଧମକମୂଳକ ବାର୍ତ୍ତା ମିଳୁଥିବା ଜଣାପଡ଼ିଛି। ଚଳିତ ମାସରେ ନିର୍ଦ୍ଦେଶକ ସୁଦୀପ୍ତ ସେନ ତାଙ୍କ କର୍ମଚାରୀଙ୍କୁ ଧମକମୂଳକ ବାର୍ତ୍ତା ଦିଆଯାଉଥିବା ନେଇ ପୁଲିସରେ ଅଭିଯୋଗ କରିଥିଲେ। ପରେ ଏକ ସାକ୍ଷାତ୍କାରରେ ଅଭିନେତ୍ରୀ ଅଦା ଏହି ଫିଲ୍ମକୁ ଏକ ଆନ୍ଦୋଳନ ବୋଲି କହିଥିଲେ।