ମୁମ୍ବାଇ: ଅଭିନେତ୍ରୀ ଅଦା ଶର୍ମାଙ୍କ ଅଭିନୀତ 'ଦି କେରଳ ଷ୍ଟୋରି' ୨୦୨୩ର ଦ୍ବିତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ପାଲଟିଛି। ଦୀର୍ଘ ୨ ମାସ ଧରି ଥିଏଟର୍ରେ ଫିଲ୍ମଟିକୁ ସଫଳତା ମିଳିଥିବା ବେଳେ ଦର୍ଶକ ଫିଲ୍ମଟିକୁ ଓଟିଟିରେ ଦେଖିବାକୁ ଆଶା ବାନ୍ଧି ବସିଥିଲେ। ଏବେ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ଯେ ଫିଲ୍ମଟି ଡିଜିଟାଲ୍ ପ୍ଲାଟ୍ଫର୍ମରେ ଟିକେ ବିଳମ୍ବରେ ଦେଖିବାକୁ ମିଳିବ।
ସିନେମାଟିର ନିର୍ଦ୍ଦେଶକ ସୁଦୀପ୍ତ ସେନ ଏକ ଅନଲାଇନ୍ ପୋର୍ଟାଲକୁ କହିଛନ୍ତି ଯେ ‘ଫିଲ୍ମର ବକ୍ସ ଅଫିସରେ ସଫଳତା ଅନେକଙ୍କୁ ଉତ୍ସାହିତ କରିଛି ଏବଂ ଏହା ଓଟିଟିରେ ଉପଯୁକ୍ତ ସମୟ ଆସିଲେ ରିଲିଜ୍ ହେବ।’
ଏବେ ଫିଲ୍ମର ଅଭିନେତ୍ରୀ ଅଦା ଶର୍ମା ରିପବ୍ଲିକ୍ ଡିଜିଟାଲ୍କୁ ସିନେମାଟି କାହିଁକି ଓଟିଟିରେ ଆସିବାକୁ ବିଳମ୍ବ ହେଉଛି ତାହାର କାରଣ ଏକ ସାକ୍ଷାତ୍କାର ଦେଇ କହିଛନ୍ତି। ତାଙ୍କ କହିବା ମୁତାବକ, ‘ଏପର୍ଯ୍ୟନ୍ତ କୌଣସି ଉପଯୁକ୍ତ ପାର୍ଟନର ନମିଳିଥିବାରୁ ଫିଲ୍ମଟିକୁ ଓଟିଟିରେ ରିଲିଜ୍ କରାଇବା ବିଳମ୍ବ ହେଉଛି। ଏହା ଖୁବ୍ ଶୀଘ୍ର ରିିଲିଜ୍ ହେବ ବୋଲି ଆଶା କରାଯାଉଛି।’
ଉଲ୍ଲେଖଯୋଗ୍ୟ,‘ଦି କେରଳ ଷ୍ଟୋରି’ ବକ୍ସ ଅଫିସ୍ରେ ଜବରଦସ୍ତ ରୋଜଗାର କରିଛି। ରିଲିଜ୍ ପୂର୍ବରୁ ନେଇ ରିଲିଜ୍ ହେବା ପରେ ବି ବିବାଦ ମଧ୍ୟରେ ରହିଥିବା ଏହି ଚଳଚ୍ଚିତ୍ରଟି ଅନେକ ଚଳଚ୍ଚିତ୍ରକୁ ରୋଜଗାର କ୍ଷେତ୍ରରେ ପଛରେ ପକାଇଛି। ଆରମ୍ଭରୁ ହିଁ ଏହି ଫିଲ୍ମର ରୋଜଗାର ସଭିଙ୍କୁ ଚକିତ କରିଛି। ନିଷେଧାଦେଶ ତଥା ବିରୋଧର ସମ୍ମୁଖୀନ ହୋଇଥିଲେ ମଧ୍ୟ ଫିଲ୍ମଟି ବକ୍ସ ଅଫିସରେ ୨୦୦ କୋଟିରୁ ଅଧିକ ରୋଜଗାର କରିସାରିଛି। ତେବେ ଆଶା କରାଯାଉଛି ଯେ ଏହା ବଲିଉଡ୍ର ଦ୍ବିତୀୟ ବଡ଼ ଫିଲ୍ମ ବନିପାରେ। ତେବେ ଏବର୍ଷ ୫୦୦ କୋଟିରୁ ଅଧିକ ରୋଜଗାର କରି ଶାହାରୁଖଙ୍କ ‘ପଠାନ୍’ ବଲିଉଡ୍ର ପ୍ରଥମ ବଡ଼ ଫିଲ୍ମ ବନିପାରିଛି।