ପୁଣି ପ୍ରେମ ତ୍ରିକୋଣକୁ ନେଇ ଆସୁଛି ଆଉ ଏକ ଓଡ଼ିଆ ସିନେମା। କଲେଜ ସମୟର ପ୍ରେମ ଓ ପରେ ଆଉ ଜଣେ ଯୁବତୀଙ୍କ ସହ ନାୟକର ଆକସ୍ମିକ ପ୍ରଣୟକୁ ନେଇ ଗଢ଼ିଉଠିଛି କାହାଣୀ। ଜଣେ ପ୍ରତିଷ୍ଠିତ ଗାୟକର ଦୁଇ ପ୍ରେମିକାଙ୍କୁ ନେଇ ଗତିଶୀଳ ହୋଇଥିବା‌ କାହାଣୀ ସମୟାନ୍ତରରେ କେଉଁ ମୋଡ଼ ନେଉଛି ଏବଂ ଶେଷରେ କ’ଣ ଘଟୁଛି, ତାହା ଦେଖିବାକୁ ମିଳିବ ମୁକ୍ତି ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ତୁ ମୋ କମ୍‌ଜୋରି’ରେ। 

Advertisment

ଏହି ସିନେମାର ପ୍ରେମ ତ୍ରିକୋଣ ହେଲେ ରାକେଶ, ଲିପିକା ଓ ଅନୁଭା। ବଡ଼ ପରଦାରେ ଏ ତିନିଜଣଙ୍କୁ ପ୍ରଥମ ଥର ଭେଟିବେ ଦର୍ଶକ। ଅବଶ୍ୟ ଲିପିକା ଆଗରୁ ରାକେଶଙ୍କ ସହ ଟେଲି ସିନେମା ‘ପାରି କରିବେ ଭୋଳାଶଙ୍କର ୨’ରେ ନଜର ଆସିଛନ୍ତି। 
‘ତୁ ମୋ କମ୍‌ଜୋରି’ରେ ଦେବ, ଆଶିଷ, ସୋମୁ, ବର୍ଷା, ଜ୍ୟୋତି, ନଟିଆ, ଜୋଜୋ, ଗୀତିମୟ ନନ୍ଦ ଓ ବିଜୁ ବଡ଼ଜେନା ପ୍ରମୁଖ ବି ଅଛନ୍ତି ଗୁରୁତ୍ବପୂର୍ଣ୍ଣ ଭୂମିକାରେ। ସୁପ୍ରିମ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ‘ଲଭ୍ ପ୍ରମିଜ୍’ ଫେମ୍ ସନ୍ତୋଷ ବିଶ୍ୱାଳ। ପ୍ରେମ ଆନନ୍ଦ ଏହାର ସଙ୍ଗୀତକାର ଏବଂ ଡକ୍ଟର ନିର୍ମଳ ନାୟକ ଓ ବସନ୍ତରାଜ ସାମଲ ଗୀତିକାର। ଶୁଭମ୍ ନନ୍ଦ ଏହାର ସିନେମାଟୋଗ୍ରାଫର୍।