ନୂଆଦିଲ୍ଲୀ: ଘୋଷଣା ହେବା ଦିନଠାରୁ ସଂଜୟଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ପଦ୍ମାବତ୍’ ବିବାଦ ଭିତରେ ରହିଆସିଛି।
ରାଜସ୍ଥାନର କର୍ଣ୍ଣି ସେନା ସଦସ୍ୟମାନେ ଚଳଚ୍ଚିତ୍ରଟିକୁ ବିରୋଧ କରି ପୂରାପୂରି ବନ୍ଦ କରିବା ପାଇଁ ଦାବି କରିଛନ୍ତି।
ଯାହାବି ହେଉ, ଅନେକ ତର୍କ ଏବଂ ଆଲୋଚନା ପରେ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍(ସିବିଏଫ୍ସି) ଚଳଚ୍ଚିତ୍ରଟିର ରିଲିଜ୍ ତାରିଖ ଘୋଷଣା କରିଛି।
ଗତବର୍ଷ ଚଳଚ୍ଚିତ୍ରରେ ଦୀପିକା ପାଦୁକୋନ ନୃତ୍ୟ କରିଥବା ‘ଘୁମର’ ଗୀତଟିକୁ ନିର୍ମାତା ୟୁଟ୍ୟୁବ୍ରେ ଅପ୍ଲୋଡ୍ କରିବା ପରେ ମିଲିୟନ୍ରୁ ଊର୍ଧ୍ୱ ଭିୟୁ ଦେଖିବାକୁ ମିଳିଥିଲା। ସେଥିରେ ରାଜସ୍ଥାନର ପାରମ୍ପରିକ ନୃତ୍ୟ ଦେଖିବାକୁ ମିଳିଥିଲା।
ମାତ୍ର ଏହାକୁ ରାଜପୁତମାନେ ଏକ ଅପମାନ ବୋଲି କହିଥିଲେ। ସେ କହିଥିଲେ ଯେ ରାଜପୁତ ମହିଳା ନୃତ୍ୟ କରନ୍ତି ନାହିଁ। ରାଣୀ ପଦ୍ମିନୀଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଦୀପିକା ଏପରି ନୃତ୍ୟ ପ୍ରଦଶର୍ନ କରିବା ରାଣୀଙ୍କୁ ଅପମାନ।
ସିବିଏଫ୍ସି ଏହି ଗୀତଟିକୁ ଦେଖିବା ପରେ ଏଥିରେ କିଛିଟା ପରିବର୍ତ୍ତନ ଆଣିବାକୁ ପରାମର୍ଶ ଦେଇଥିଲା। ଆଉ ବିବାଦରେ ନ ରହିବାକୁ ଚିନ୍ତା କରି ନିର୍ମାତା ଭଂସାଲୀ ଗୀତଟିରେ ଟିକେ ପରିବର୍ତ୍ତନ ଆଣିଛନ୍ତି। ବର୍ତ୍ତମାନ ଅଭିନେତ୍ରୀ ଦୀପିକା ସାମ୍ନା ପଟରୁ ଏକ ନାଲି ଓଢ଼ଣି ପକାଇ ତାଙ୍କ ଶରୀରର ଅନାବୃତ ଅଙ୍ଗକୁ ସଂପୂର୍ଣ୍ଣ ଭାବରେ ଢାଙ୍କି ଦେଇଥିବାର ଦେଖିବାକୁ ମିଳୁଛି।
ପୂର୍ବରୁ ଭଂସାଲୀ କହିଥିଲେ, ‘ପଦ୍ମାବତ୍ ମୋ ପାଇଁ ଏକ ସ୍ୱପ୍ନ ପରି। ଏଇ କାହାଣୀରେ ମୁଁ ଖୁବ୍ ମୋହିତ। ରାଜପୁତ ଯୋଦ୍ଧାଙ୍କ ବୀରତ୍ୱର କଥା ସବୁବେଳେ ମୋତେ ଆନ୍ଦୋଳିତ କରେ। ଏଇ ଚଳଚ୍ଚିତ୍ର ଥିଏଟର୍କୁ ଆସିଲେ ମୋ ସ୍ୱପ୍ନ ସାକାର ହୋଇଯିବ।’
ଉଲ୍ଲେଖଯୋଗ୍ୟ, ଚଳିତମାସ ୨୫ ତାରିଖରେ ଚଳଚ୍ଚିତ୍ରଟି ପରଦାକୁ ଆସିବ ବୋଲି ଘୋଷଣା ହୋଇଛି।