୨୦୨୪ ଥିଲା ଓଡ଼ିଆ ସିନେମା ଲାଗି ଏକ ଚର୍ଚ୍ଚିତ ବର୍ଷ। ପ୍ରାୟ ୫୦ଟି ଓଡ଼ିଆ ସିନେମା ମୁକ୍ତିଲାଭ କରିଥିଲା ବେଳେ ଅଧିକାଂଶ ଛବିରେ ନୂଆ ଯୋଡ଼ିଙ୍କୁ ଦେଖିବାକୁ ପାଇଛନ୍ତି ଦର୍ଶକ। ଆସନ୍ତୁ ଏ ବର୍ଷର ଚର୍ଚ୍ଚିତ ନୂଆ ଯୋଡ଼ିଙ୍କ ଉପରେ ନଜର ପକାଇବା...
ଶିବଶଙ୍କର ଓଝା
୨୦୨୪ରେ ସର୍ବାଧିକ ବ୍ୟାବସାୟିକ ସଫଳତା ପାଇଥିବା ଓଡ଼ିଆ ସିନେମା ‘କର୍ମ’ରେ ଦୁଇଟି ନୂଆ ଯୋଡ଼ିଙ୍କୁ ଦେଖିବାକୁ ମିଳିଥିଲା। ଅନୁଭବ-ସୂର୍ଯ୍ୟମୟୀ ଏବଂ ନବାଗତ ମନ୍ମୟ-ଦିବ୍ୟାଦିଶା ଯୋଡ଼ିକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ତେଣେ ‘ସିନ୍ଦୂରା’ରେ ପ୍ରଥମ ଥର ଲାଗି ଅଭିଷେକ ଗିରିଙ୍କ ସହ ନଜର ଆସିଥିଲେ ସୁପ୍ରିୟା। ଚଳିତ ବର୍ଷର ଅନ୍ୟତମ ଚର୍ଚ୍ଚିତ ସିନେମା ‘ତ୍ରିକନ୍ୟା’ରେ ତିନି ନୂଆ ଯୋଡ଼ିଙ୍କ ଆବିର୍ଭାବ ହୋଇଥିଲା। ଏହି ଛବିର ମନୋଜ ମିଶ୍ର-ବର୍ଷା ପଟ୍ଟନାୟକ, ସୁକାନ୍ତ ରଥ-ନିଭି ଓ ନିଶାନ୍ତ ମଜିଠିଆ-ଶ୍ରଦ୍ଧା ପାଣିଗ୍ରାହୀଙ୍କ ଯୋଡ଼ି ବି ଦର୍ଶକୀୟ ଶ୍ରଦ୍ଧା ଲାଭ କରିଥିଲା। ପୁଣି ‘ଦୁର୍ଗା’ରେ ଅଭିଷେକ-ପୁନମ୍ ଯୋଡ଼ି ବି ପ୍ରଥମଥର ଲାଗି ଦର୍ଶକଙ୍କୁ ସାମ୍ନା କରିଥିଲା।
ଏହି କ୍ରମରେ ଆସନ୍ତି ‘ଆଇ ଲଭ୍ ୟୁ ୨’ରେ ନବାଗତ ଆଦିତ୍ୟ ମହାପାତ୍ର ଓ ଅପ୍ସରା ରାଣୀଙ୍କ ଯୋଡ଼ି। ଠିକ୍ ସେମିତି ‘କୁହୁଡ଼ି’ରେ ଦୀପନ୍ବିତ-ପ୍ରକୃତି ଯୋଡ଼ିକୁ ଦର୍ଶକ ଭେଟିଥିଲେ। ‘କେମିତି ଏ ସଂପର୍କ’ରେ ଆକାଶ-ଏଲିନାଙ୍କ ଯୋଡ଼ି, ‘ଖୋକା ଭାଇ ତମ ପାଇଁ’ର ସ୍ବରାଜ-ଲକି ମନୀଷା ଏବଂ ସରୋଜ-ଉପାସନାଙ୍କ ରୋମାଣ୍ଟିକ୍ ଯୋଡ଼ି ବି ଚର୍ଚ୍ଚାରେ ଥିଲେ। ଏଥିସହ ‘ବାବାଜୀକା ଠୁଲୁ’ରେ ଦେବରାଜ-ସ୍ୱାତୀ ଯୋଡ଼ି ଏବଂ ‘ଅପରାହ୍ଣର ସୂର୍ଯ୍ୟ’ରେ ନବାଗତ ସୁସଂଧ୍ୟା-ସୋମନାଥଙ୍କ ଯୋଡ଼ି ବି ଦର୍ଶକଙ୍କ ପାଇଁ ସଂପୂର୍ଣ୍ଣ ନୂଆ ଥିଲା। ବର୍ଷ ଆରମ୍ଭରେ ‘ସମୟ କହିବ କିଏ କାହାର’ରେ ଅମ୍ଳାନ-ତୃପ୍ତି ମୀରାମ୍ବିକା, ଓମ୍କାର-ତୃପ୍ତି ମୀରାମ୍ବିକା ଓ ଅମ୍ଳାନ-ସୋନମ୍ ଯୋଡ଼ିକୁ ଦର୍ଶକ ପସନ୍ଦ କରିଥିଲେ। ପୁଣି ‘ଚନ୍ଦ୍ରବଂଶୀ’ରେ ପ୍ରଥମ ଥର ଲାଗି ରାଜ୍ ରାଜେଶ-ଜସ୍ମିନ୍ ରଥ ଓ ପ୍ରୀତମ୍-ଲିପ୍ସାଙ୍କ ଯୋଡ଼ି ଦେଖିବାକୁ ପାଇଥିଲେ ଦର୍ଶକ। ଭିନ୍ନସ୍ବାଦର ଛବି ‘ଅପରେସନ୍ ୧୨/୧୭’ରେ ଶ୍ରେୟାନ୍-ଭୂମିକାଙ୍କ ନୂଆ ଯୋଡ଼ି ବି କିଛିଟା ଚର୍ଚ୍ଚା ସାଉଁଟି ଥିଲା। ‘ଆଶିକ୍ ସରେଣ୍ଡର୍ ହେଲା’ରେ ସମ୍ଭବ ମାନସିଂହ-ଜୟା ବିଶ୍ବାସଙ୍କ ରୋମାଣ୍ଟିକ୍ ଯୋଡ଼ି ଏବଂ ‘ମୋ କାହାଣୀରେ ତୋରି ନାଆଁ’ରେ ଲୁବୁନ୍ ଓ ଅଙ୍କିତା ଦାଶଙ୍କ ଯୋଡ଼ି ବି ଦୃଷ୍ଟି ଆକର୍ଷଣ କରିଥିଲା।
ଚବିଶର ଅନ୍ୟତମ ଚର୍ଚ୍ଚିତ ଚଳଚ୍ଚିତ୍ର ‘ଡିଅର୍ ପୁରୁଷ’ରେ ପ୍ରଥମ ଥର ପାଇଁ ବବି ମିଶ୍ର-ବିଏମ୍ ବୈଶାଳୀ, ଦେବାଶିଷ-ଅନୁରାଧା ଏବଂ ଦୀପନ୍ବିତ ଦାସ ମହାପାତ୍ର-ଦିବ୍ୟାଙ୍କ ଯୋଡ଼ି ବଡ଼ ପରଦାରେ ନଜର ଆସିଥିଲେ। ସେହିପରି ‘ଆଶ୍ରମ’ରେ ଅଭିଷେକ-ସୂର୍ଯ୍ୟମୟୀ ଓ ସୌମ୍ୟ-ତନୁଶ୍ରୀଙ୍କ ଯୋଡ଼ିକୁ ବି ଦର୍ଶକ ପସନ୍ଦ କରିଥିଲେ। ‘ଟିକେ ଟିକେ ଅଚିହ୍ନା ତୁ’ରେ ଶୁଭମ୍-ଭୂମିକା ଯୋଡ଼ି ଏବଂ ‘ମିଶିରି’ରେ ବିଭାସ-ରୂପଶ୍ରୀଙ୍କ ଯୋଡ଼ିକୁ ପ୍ରଥମ ଥର ବଡ଼ ପରଦାରେ ଭେଟିଥିଲେ ଦର୍ଶକ। ସେହିପରି ‘ଭଗିଆ ଭାରିଯା’ରେ ହରି-ଦେବଯାନୀ ଯୋଡ଼ି ଚର୍ଚ୍ଚିତ ହୋଇଥିଲେ। ଅନ୍ୟପକ୍ଷରେ ‘ତୁ ମୋ କମ୍ଜୋରି’ରେ ରାକେଶ-ଅନୁଭା, ରାକେଶ-ଲିପିକା, ‘ପ୍ରେମୀ ଆୱାରା’ରେ ଓମ୍କାର-ଅଙ୍କିତା ଦାଶ ଏବଂ ‘ସଲାମ୍ ଭୁବନେଶ୍ବର’ରେ ରାଜବୀର୍-ସାନଲିସା ପଟେଲ୍ଙ୍କ ଯୋଡ଼ିକୁ ପ୍ରଥମ ଥର ଦେଖିଥିଲେ ଦର୍ଶକ। ୨୦୨୪ରେ ପାଖାପାଖି ୫୦ଟି ଓଡ଼ିଆ ସିନେମା ମୁକ୍ତିଲାଭ କରିଥିଲେ ହେଁ, କୌଣସି ଗୋଟିଏ ଯୋଡ଼ିର ଦୁଇଟି ସିନେମା ଆସିନାହିଁ।