ଫେରୁଛି ଓଡ଼ିଆ ସିନେମା କ୍ରେଜ୍‌, ରାଜ୍‌ କରୁଛି ‘ମହାବାହୁ’, ‘ଏଡିୟୁ ଗୋଦାର’

ସାମାଜିକ ଗଣମାଧ୍ୟମରେ ଦିନତମାମମ୍‌ ଚର୍ଚ୍ଚା

ଭୁବନେଶ୍ବର: ସିନେମା ହଲ୍‌କୁ ଫେରିଛି ଓଡ଼ିଆ ଚଳଚ୍ଚିତ୍ରର କ୍ରେଜ୍‌। ଗତକାଲି ଦୁଇ ଦୁଇଟି ଓଡ଼ିଆ ଚଳଚ୍ଚିତ୍ର ‘ମହାବାହୁ’ ଓ ‘ଏଡିୟୁ ଗୋଦାର’ ମୁକ୍ତିଲାଭ କରିଥିବା ବେଳେ ଆଜି ଦିନତମାମ୍‌ ସାମାଜିକ ଗଣମାଧ୍ୟମରେ ଏହି ଦୁଇ ଚଳଚ୍ଚିତ୍ରର ନିର୍ମାଣଶୈଳୀ ଓ ମୌଳିକତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। କରୋନା ପରେ ସିନେମା‌ ହଲ୍‌କୁ ପ୍ରାୟ ଚଳଚ୍ଚିତ୍ର ଆସୁ ନଥିବା ବେଳେ ଏକାସଙ୍ଗେ ଏହି ଦୁଇ ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ଓଡ଼ିଆ ସିନେପ୍ରେମୀଙ୍କୁ ଆନନ୍ଦିତ କରିଛି।

ଶ୍ରୀତମ ଦାସଙ୍କ ନିର୍ଦ୍ଦେଶନା ଓ ରମେଶ ବାରିକଙ୍କ ପ୍ରଯୋଜନାରେ ପ୍ରସ୍ତୁତ ‘ମହାପ୍ରଭୁ’ରେ ଓଡ଼ିଆଙ୍କ ଇଷ୍ଟଦେବତା ଶ୍ରୀଜଗନ୍ନାଥଙ୍କ ପ୍ରତି ଭକ୍ତର ଆସ୍ଥା, ବିଶ୍ବାସ, ଭକ୍ତି ଓ ସାଧନା ଝଲସିଛି। ମୁଖ୍ୟ ଭୂମିକାରେ ଅଭିନେତା ଆକାଶ ଦାସନାୟକ ଏଥିରେ ଶୁଭମ୍‌ (ଠାକୁର ଆଜ୍ଞା) ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି। ରାଜ୍ୟର ପାଖାପାଖି ୨୫ଟି ସିନେମା ହଲ୍‌ରେ ଏହି ମୁକ୍ତିଲାଭ କରିଥିବା ବେଳେ ଭୁବନେଶ୍ବରର ଏସ୍‌ କମ୍ପ୍ଲେକ୍ସ ଓ କଟକ ବୃନ୍ଦାବନ ହଲ୍‌ରେ ଦୈନିକ ଏହାର ୨ଟି ସୋ’ ପ୍ରଦର୍ଶିତ ହେଉଛି। ଏ ସଂପର୍କରେ ଆକାଶ କହିଛନ୍ତି, ବହୁ ବର୍ଷ ପରେ ଆମ ଠାକୁର, ଆମ ନିଜସ୍ବ କାହାଣୀ ଓ ଭାବାବେଗକୁ ନେଇ ଚଳଚ୍ଚିତ୍ରଟିଏ କରିଥିବାରୁ ଖୁସି ଲାଗୁଛି। ଏ ଚଳଚ୍ଚିତ୍ର ପ୍ରତି ଦର୍ଶକଙ୍କ ଭଲ ପାଇବା ବି ମୋତେ ଅଧିକ ଉତ୍ସାହିତ କରୁଛି। ଚଳଚ୍ଚିତ୍ରରେ ଦର୍ଶକଙ୍କୁ ଡ୍ରାମା, ରୋମାନ୍ସ, ହସ, କାନ୍ଦ ଓ ଭକ୍ତିଭାବ ସବୁ ମିଳିବ। ଏଥିସହ ଚଳଚ୍ଚିତ୍ରର ଟାଇଟଲ୍‌ ଗୀତ ‘ହାତ ନଥାଇ ତୁ କେମିତି ଦେଉରେ… ଭଜନ ଓଡ଼ିଆଙ୍କୁ ବେଶ୍‌ ଛୁଇଁବ। ଏ ଭଜନଟି କାଳଜୟୀ ‌ହୋଇ ରହିବ ବୋଲି ସେ କହିଛନ୍ତି।
ସେହିପରି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ବହୁ ସଫଳତା ସାଉଁଟିବା ପରେ ଗତକାଲି ସର୍ବଭାରତୀୟ ସ୍ତରରେ ଚଳଚ୍ଚିତ୍ର ‘ଏଡିୟୁ ଗୋଦାର’ ମୁକ୍ତିଲାଭ କରିଛି। ଭୁବନେଶ୍ବରର ସିନେ ପଲିସ୍‌ ଓ ଆଇନକ୍ସ, କଟକର ଆଇନକ୍ସ ଓ ରାଉଲକେଲାର ପିଭିଆର୍‌ ଆଦି ସିନେମା ହଲ୍‌ରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିଛି।

ମୁକ୍ତିଲାଭ କରିବାର ପ୍ରଥମ ଦିନରୁ ଏହା ଦର୍ଶକାଦୃତି ହାସଲ କରିଛି। ଗତକାଲିର ସବୁ ସୋ’ ହାଉସ୍‌ଫୁଲ ରହିଥିବା ବେଳେ ଆଜି ସାମାଜିକ ଗଣମାଧ୍ୟମରେ ଏହାର ନିର୍ମାଣ ଶୈଳୀକୁ ନେଇ ଜୋରଦାର୍‌ ଚର୍ଚ୍ଚା ଚାଲିଛି। ତେବେ ଆସନ୍ତା ୯ ତାରିଖରେ ମୁମ୍ବାଇ ଓ କୋଲକାତାର ବିଭିନ୍ନ ପ୍ରେକ୍ଷାଳୟରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ। ‘ସ୍ବସ୍ତିକ ଆର୍ଟ ହାଉସ୍‌ ବ୍ୟାନର୍‌’ରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ରଚନା ଓ ନିର୍ଦ୍ଦେଶନା ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ଦେଇଥିବା ବେଳେ ଅଭିନେତା ଚୌଧୁରୀ ବିକାଶ ଦାସଙ୍କ ଅଭିନୟ ବେଶ୍‌ ଜୀବନ୍ତ ହୋଇପାରିଛି। ପ୍ରଖ୍ୟାତ ଫ୍ରାନ୍ସ ଚଳଚ୍ଚିତ୍ର ନିର୍ମାତା ଜିନ୍‌ ଲୁକ୍‌ ଗୋଦାରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ନିର୍ମିତ ଏହି ଚଳଚ୍ଚିତ୍ରଟି ଏକ ହାସ୍ୟରସାତ୍ମକ ସାମାଜିକ ଓ ସାଂସ୍କୃତିକ ଚଳଚ୍ଚିତ୍ର। ଗୋଦାରଙ୍କ ପ୍ରେମରେ ପଡ଼ି ଓଡ଼ିଶାର ନିପଟ ମଫସଲର ଜଣେ ବୃଦ୍ଧ କିପରି ତାଙ୍କ ଚଳଚ୍ଚିତ୍ରକୁ ନେଇ ଏକ ମହୋତ୍ସବ କରିବାକୁ ଯୋଜନା କରିଛନ୍ତି, ତାହା ଏଥିରେ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର