ଅଭିନେତ୍ରୀ ମଲାଇକା ଅରୋଡ଼ା ଓ ଅରବାଜ ଖାଁଙ୍କ ବିବାହ ବିଚ୍ଛେଦକୁ ପାଞ୍ଚ ବର୍ଷ ବିତିଗଲାଣି। ଛାଡ଼ପତ୍ର ପରେ ସେମାନଙ୍କର ସମ୍ପର୍କରେ ଆଶ୍ଚର୍ଯ୍ୟଜନକ ଭାବେ ଉନ୍ନତି ହୋଇଛି ବୋଲି ମଲାଇକା ପ୍ରଘଟ କରିଛନ୍ତି। ସେହି କାରଣରୁ ଉଭୟ ଅଲଗା ରହୁଥିଲେ ବି ଏକମାତ୍ର ପୁତ୍ର ଆରହାନର ଲାଳନପାଳନ ଦାୟିତ୍ବ ଦୁଇଜଣ ସୁଚାରୁ ରୂପେ ତୁଲାଇପାରୁଛନ୍ତି। ତେବେ ବର୍ତ୍ତମାନ ଉଭୟ ବ୍ୟକ୍ତିଗତ ଭାବେ ଭିନ୍ନ ଭିନ୍ନ ସଂପର୍କରେ ଆଗକୁ ବଢ଼ିଗଲେଣି। ମଲାଇକା, ଅର୍ଜୁନ କପୁରଙ୍କ ସହ ପ୍ରେମ ସମ୍ପର୍କରେ ଥିବା ବେଳେ ଅରବାଜ ଖାଁ, ଜିୟୋର୍ଜିଆ ଏଣ୍ଡ୍ରିୟାନିଙ୍କ ସହିତ ନିବିଡ଼ ସମ୍ପର୍କରେ ଆବଦ୍ଧ ହୋଇସାରିଛନ୍ତି। ମଲାଇକା ବିବାହ ବିଚ୍ଛେଦର ନିଷ୍ପତ୍ତି ସମ୍ପର୍କରେ ମଧ୍ୟ ମୁହଁ ଖୋଲିଛନ୍ତି। ନିଜକୁ ପ୍ରାଥମିକତା ଦେବାର ନିଷ୍ପତ୍ତି ନେବା ପରେ ମଲାଇକା ଛାଡ଼ପତ୍ର କଥା ଚିନ୍ତା କରିଥିଲେ।

Advertisment

ଏହି ସାହସିକ ନିଷ୍ପତ୍ତି ନେଇଥିବାରୁ ତାଙ୍କର କୌଣସି ଅବସୋସ ନାହିଁ, ବରଂ ଯେଉଁ ମହିଳାମାନେ ନିଜ ବିବାହ ନେଇ ଖୁସି ନାହାନ୍ତି କିନ୍ତୁ ଛାଡ଼ପତ୍ର ପାଇଁ ସାହସ ଜୁଟାଇ ପାରୁନାହାନ୍ତି ସେମାନଙ୍କୁ ସେ ଉପଦେଶ ଦେଉଛନ୍ତି ଯେ ଭୟ ନ କରି ନିଜ ହୃଦୟର କଥା ଶୁଣ। ବିବାହ ବିଚ୍ଛେଦ ପରେ ମଲାଇକା ଅଧିକ ସୁଖଦ ଜୀବନ କାଟୁଥିବା କଥା ସେ ପ୍ରକାଶ କରିଛନ୍ତି। ପୁଅ ସହିତ ତାଙ୍କ ସମ୍ପର୍କରେ ମଧ୍ୟ ଉନ୍ନତି ଘଟିଛି। ଅରବାଜଙ୍କ ସହିତ ସମ୍ପର୍କର ସମୀକରଣରେ ଯେଉଁ ଉନ୍ନତି ହୋଇଛି ତାହାର ଫଳସ୍ବରୂପ ଉଭୟ ଅଧିକ ନମ୍ର, ସୁଖୀ ଓ ପରିପକ୍ବ ହୋଇଯାଇଛନ୍ତି। ଅରବାଜ ବହୁତ ଭଲ, କିନ୍ତୁ ବେଳେବେଳେ ଦୁଇଜଣ ଭଲ ଲୋକ ଏକାଠି ଖୁସିରେ ରହିପାରନ୍ତି ନାହିଁ ବୋଲି ମଲାଇକା ବିଶ୍ବାସ କରନ୍ତି। ୨୦୧୯ ମସିହାରେ ମଲାଇକା ଓ ଅର୍ଜୁନ ପ୍ରେମ ସମ୍ପର୍କରେ ଆବଦ୍ଧ ହୋଇଥିବା ଘୋଷଣା କରିଥିଲେ। ଏବେ ସେମାନେ ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଯୋଡ଼ିରେ ପରିଣତ ହୋଇଛନ୍ତି।