ବଲିଉଡ୍‌ର ଏକାକୀ ମା’ ଓ ସେମାନଙ୍କ ସନ୍ତାନ : ସାରା ଅଭିନୟରେ, ମାଶାବା ଖ୍ୟାତାନାମା ଫ୍ୟାସନ ଡିଜାଇନର୍

ମୁମ୍ବାଇ: ଅଭିଭାବକ ହେବା ଓ ସନ୍ତାନକୁ ସମସ୍ତ ସୁଖସୁବିଧାର ସହ ଉତ୍ତମ ସଂସ୍କାର ଦେଇ ବଢ଼ାଇବା ନିହାତି ଭାବେ ଏକ କଠିନ କାମ। କିନ୍ତୁ ଏହା ଆହୁରି କଠିନ ହୋଇପଡ଼େ, ଯଦି ଜୀବନସାଥୀ ପରସ୍ପରଠାରୁ ଅଲଗା ହୋଇଯାଇଥା’ନ୍ତି କିମ୍ବା ଅବିବାହିତ ଥା’ନ୍ତି। ଏମିତି ପରିସ୍ଥିତିରେ ଏକାକୀ ଅଭିଭାବକ ହେବାର ଅନୁଭୂତି ଭାରି କଠିନ ଓ ଭୟଙ୍କର। ତେବେ ଏମିତି ଅନେକ ପ୍ରସିଦ୍ଧ ବଲିଉଡ୍‌ ସେଲିବ୍ରିଟି ଅଛନ୍ତି, ଯେଉଁମାନେ ଖାଲି ଏହି ଆହ୍ବାନକୁ ଗ୍ରହଣ କରିନାହାନ୍ତି, ବରଂ ଏଥିରେ ସଫଳ ହୋଇଛନ୍ତି। ବଲିଉଡ୍‌ରେ ଏମିତି ଅନେକ ଦୃଢ଼ମନା ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ନିଜ ସନ୍ତାନଙ୍କୁ ଏକାକୀ ପାଳି ପୋଷି ସଫଳତାର ଶିଡ଼ି ଚଢ଼ାଇବାରେ ସଫଳ ହୋଇଛନ୍ତି। ଅମୃତା ସିଂହ-ସାରା ଅଲ୍ଲୀ ଖାନ୍‌, କରିସ୍ମା କପୁର- ସମାଇରା, ସୁସ୍ମିତା ସେନ୍‌- ଅଲିସା ଓ ରେନୀ ଏବଂ ନୀନା ଗୁପ୍ତା- ମଶାବା ଗୁପ୍ତା ପ୍ରମୁଖ ଏହାର ଏକ ବଳିଷ୍ଠ ଉଦାହରଣ।

ଅମୃତା ସିଂହ ୨୦୦୪ରେ ସ୍ବାମୀ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କଠାରୁ ଅଲଗା ହେବା ପରେ ଝିଅ ସାରା ଅଲ୍ଲୀ ଖାନ୍‌ ଓ ପୁଅ ଇବ୍ରାହିମ୍‌ ଅଲ୍ଲୀଙ୍କ ରକ୍ଷଣାବେକ୍ଷଣର ସମ୍ପୂର୍ଣ୍ଣ ଦାୟିତ୍ବ ପାଇଥିଲେ। ଏହାପରେ ଅମୃତା ଏକାକୀ ନିଜ ଦୁଇ ସନ୍ତାନଙ୍କୁ ପାଳିଥିଲେ। ଆଜି ସାରା ଓ ଇବ୍ରାହମ୍‌ ବଲିଉଡ୍‌ର ଦୁଇ ଚିହ୍ନା ତାରକା-ସନ୍ତାନ ହୋଇଯାଇଛନ୍ତି। ‌ସେହିପରି ବଲିଉଡ୍‌ ସୁନ୍ଦରୀ କରିସ୍ମା କପୁର ଓ ସଂଜୟ କପୁରଙ୍କ ଛାଡ଼ପତ୍ର ପରେ ତାଙ୍କ ଝିଅ ସମାଇରା ଓ ପୁଅ କିଆନ୍‌ ରାଜ୍‌ଙ୍କ ଏକା ସମ୍ଭାଳିଥିଲେ। ‌କରିସ୍ମା ନିଜ ବିବାଦୀୟ ଛାଡ଼ପତ୍ରକୁ ଯେଭଳି ସମ୍ମାନର ସହ ଲଢ଼ିଥିଲେ, ଠିକ୍‌ ସେମିତି ସୁନ୍ଦର ଓ ସମ୍ମାନର ସହ ନିଜ ଦୁଇ ସନ୍ତାନଙ୍କୁ ବଡ଼ କରିଛନ୍ତି। ସୁସ୍ମିତା ସେନ୍‌, ଖାଲି ‘ବ୍ରହ୍ମାଣ୍ଡ ସୁନ୍ଦରୀ’ ନୁହନ୍ତି, ଜଣେ ଆଦର୍ଶ ମହିଳା ଓ ମା’ ମଧ୍ୟ। ସେ ବିବାହ କରିନାହାନ୍ତି କିମ୍ବା କୌଣସି ବ୍ୟକ୍ତିଙ୍କ ସହ ସମ୍ବନ୍ଧରେ ବି ନାହାନ୍ତି, ଦୁଇଟି କନ୍ୟା-ସନ୍ତାନଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ସେ ସେମାନଙ୍କୁ ଲାଳନପାଳନ କରିଛନ୍ତି। ସେମାନଙ୍କ ମଧ୍ୟରେ ଥିବା ମା-ଝିଅର ବନ୍ଧନ ଯେ କେହି ବି ଅନୁଭବ କରିପାରିବ। ୱେଷ୍ଟଇଣ୍ଡିଜ୍‌ କ୍ରିକେଟର୍‌ ଭିଭିଆନ୍‌ ରିଚାର୍ଡ ଓ ନୀନା ଗୁପ୍ତା ଅଲଗା ହେବା ପରେ ଝିଅ ମଶାବା ଗୁପ୍ତାଙ୍କୁ ନୀନା ଏକା ଲାଳନପାଳନ କରିଛନ୍ତି। ମଶାବା ବଲିଉଡ୍‌ର ଏବେ ଜଣେ ଖ୍ୟାତାନାମା ଫ୍ୟାସନ ଡିଜାଇନର୍‌ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

ସମ୍ବନ୍ଧିତ ଖବର