‘ଛି ଛି ଛିରେ ନନୀ... ଧନ୍ କେ ଦେଖ୍ଲୁ ତୁଇ ନନୀ ସିନା ମନ୍କେ ଚିହ୍ନଲୁ ନାଇଁ; ସୁନା କେ ଚିହ୍ନଲୁ ବାନାକେ ଚିହ୍ନଲୁ ମୁନୁଷ ଚିହ୍ନଲୁ ନାହିଁ.... ଛି ଛି ଛିରେ ନନୀ ଛି ଛି..’’
୩୨ ବର୍ଷ ତଳେ ରେକର୍ଡ ହେଇଥିବା କୋରାପୁଟର ଏହି ଦେଶୀଆ ଗୀତ ଏବେ ସୋସିଆଲ୍ ମଡିଆରେ ଟ୍ରେଣ୍ଡ୍ କରୁଛି। ଏହାକୁ ନେଇ ରିଲ୍ସ ଓ ସର୍ଟସ୍ ଭର୍ତ୍ତି ହୋଇଯାଇଛି। ଏହି ଗୀତ ଭାଇରାଲ୍ ହେବା ପରେ ବହୁ ଶ୍ରୋତା ସମ୍ପୂର୍ଣ୍ଣ ଗୀତ ଶୁଣିବାକୁ ୟୁଟ୍ୟୁବ୍ରେ ସର୍ଚ କରିଥିଲେ। ଅଭିନେତା ଓ ଅଭିନେତ୍ରୀଙ୍କ ବାବଦରେ ବି ଜାଣିବାକୁ ଚାହିଥିଲେ। ମାତ୍ର ୟୁଟ୍ୟୁବ୍ରେ ଅପ୍ଲୋଡ୍ ବେଳେ କୌଣସି କାରଣରୁ ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀଙ୍କ ନାଁ ଦିଆଯାଇ ନଥିଲା। ଫଳରେ ଶ୍ରୋତା ଅସନ୍ତୋଷ ପ୍ରକାଶ କରିଥିଲେ। ଅନେକେ ସୋସିଆଲ୍ ମିଡିଆରେ ଗାଳିଗୁଲଜ ବି କରିଥିଲେ। ତା’ପରେ ପୁଣି ସେମାନଙ୍କୁ କ୍ରେଡିଟ୍ ଦିଆଯାଇଥିଲା।
କିନ୍ତୁ ଏହି ଅକସ୍ମାତ୍ ସଫଳତାର ଶ୍ରେୟ ନେବାକୁ ଆମ ଗହଣରେ ନାହାନ୍ତି ଏହାର ଗୀତିକାର-ଗାୟକ ସତ୍ୟନାରାୟଣ ଅଧିକାରୀ। ଇତିମଧ୍ୟରେ ତାଙ୍କର ସ୍ବର୍ଗବାସ ହୋଇଯାଇଛି। ତେବେ ଏଥିରେ ଅଭିନୟ କରିଥିବା ବିଭୂତିଭୂଷଣ ବିଶ୍ବାଳ ଓ ଶୈଳଜା ପଟେଲ ଏବଂ ଭିଡିଓଗ୍ରାଫି କରିଥିବା ମାନଭଞ୍ଜନ ନାୟକ ହଠାତ୍ ଚର୍ଚ୍ଚା ପରିସରକୁ ଆସିଛନ୍ତି। ୧୯୯୨ ମସିହାରେ କୋରାପୁଟ ଜିଲ୍ଲା ଜୟପୁରର କଣ୍ଠଶିଳ୍ପୀ ସତ୍ୟନାରାୟଣ ଅଧିକାରୀଙ୍କ ‘ବାଲିଫୁଲ’ କ୍ୟାସେଟ୍ ବଜାରକୁ ଆସିଥିଲା। ଶ୍ରୀ ଅଧିକାରୀ ‘ଛି ଛି ଛିରେ ନନୀ...’ ଗୀତଟିକୁ ଲେଖିବା ସହ କଣ୍ଠଦାନ କରିଥିଲେ। ସେ ସମୟରେ ଏହି କ୍ୟାସେଟ୍ର ଅଧିକାଂଶ ଗୀତ ଓଡ଼ିଶା ଓ ଆନ୍ଧ୍ରରେ ବହୁତ ଲୋକପ୍ରିୟ ହେଇଥିଲା। କ୍ୟାସେଟ୍ରେ ଥିବା ଅନ୍ୟ ଏକ ଗୀତ ‘ଏ ନନୀ ବିହାରୀ ପାନି...’ ବି ଖୁବ୍ ଚହଳ ପକାଇଥିଲା।
ରିଲିଜ୍ର ୧୨ ବର୍ଷ ପରେ ୨୦୦୪ରେ ‘ବାଲିଫୁଲ’ର ଭିଡିଓ ଆଲବମ୍ ପ୍ରସ୍ତୁତ କରି ବଜାରକୁ ଛାଡ଼ିଲା ସାର୍ଥକ ମ୍ୟୁଜିକ୍। ସାର୍ଥକ ବରାଦରେ ସମ୍ବଲପୁରର ମାନଭଞ୍ଜନ ନାୟକ ଏହାର ଭିଡିଓ ପ୍ରସ୍ତୁତ କରିଥିଲେ। ସେଦିନ କଥା ମନେପକାଇ ମାନଭଞ୍ଜନ କହନ୍ତି, ‘‘ସମ୍ବଲପୁର ସହରର ବିନାଖଣ୍ଡି ଓ ଉପଖଣ୍ଡ ଜମାଦାରପାଲି, ବଲବସପୁର, ପିତାପାଲି ଅଞ୍ଚଳରେ ଏହି ଗୀତସବୁ ସୁଟିଂ ହୋଇଥିଲା। କୋରିଓଗ୍ରାଫିରେ ରିଙ୍କି ପଟ୍ଟନାୟକ, କ୍ୟାମେରାରେ ଜୟନ୍ତ ପାତ୍ର ମୋତେ ସହଯୋଗ କରିଥିବା ବେଳେ ଦିଲ୍ଲୀପ ପଣ୍ଡା ପ୍ରଡକ୍ସନ୍ କଥା ବୁଝିଥିଲେ। ସମ୍ବଲପୁରର ବିଭୂତିଭୂଷଣ ଓ ସୁନ୍ଦରଗଡ଼ର ଶୈଳେଜା ଏଥିରେ ଅଭିନୟ କରିଥିଲେ। ଅନେକ କୋରାପୁଟିଆ ଶବ୍ଦ ମୁଁ ବି ବୁଝି ପାରୁ ନଥିଲି। ସତ୍ୟ ଅଧିକାରୀଙ୍କ ସହ ନିୟମିତ ସମ୍ପର୍କରେ ରହି ଏହି ଆଲବମ୍ ତିଆରି କରିଥିଲି। େମାତେ ଲାଗୁଛି, ଗୀତଟି ଯେମିତି କବର ଭିତରୁ ଉଠି ଆସିଛି।’’
ସଂପ୍ରତି ସରକାରୀ ସ୍କୁଲ୍ରେ କଳାଶିକ୍ଷକ ସହ ଆକାଶବାଣୀ କୃଷି ସଂସାର କାର୍ଯ୍ୟକ୍ରମର ଉପସ୍ଥାପକ ଭାବେ କାର୍ଯ୍ୟ କରୁଥିବା ଅଭିନେତା ବିଭୂତିଭୂଷଣ ବିଶ୍ବାଳ କହନ୍ତି, ‘‘ମୁଁ ଜୀବନରେ ଏହି ଗୋଟିଏ ମାତ୍ର ଆଲବମ୍ କରିଥିଲି। କେବେ ଭାବି ନଥିଲି ଯେ ଏତେବର୍ଷ ପରେ ଏ ଗୀତଟି ଏମିତି ଲୋକପ୍ରିୟ ହେବ। ଦିନେ ଗୋଲବଜାରରେ ବୁଲୁଥିବା ବେଳେ ମାନଆଜ୍ଞା (ମାନଭଞ୍ଜନ ନାୟକ)ଙ୍କ ସହ ଦେଖାହେଲା। ସେ କହିଲେ, ତୁମର ଲମ୍ବା ବାଳ ଅଛି, ମେଛା ବି ଠିକ୍ ଅଛି। ପୂରା ଗାଉଁଲିଆ ଦେଖାଯାଉଛ। ଚାଲ ଗୋଟିଏ ଆଲବମ୍ କରିବ। ମୁଁ ତ ନାଟକ କରୁଥିଲି, କେବେ ଆଲବମ୍ କରି ନଥିଲି। ତେଣୁ ଖୁସିରେ ରାଜି ହୋଇଗଲି। ବିନା ପାରିଶ୍ରମିକରେ ଏହି ଗୀତରେ ଅଭିନୟ କରିଥିଲି।’’ ସେହିପରି ଅଭିନେତ୍ରୀ ଶୈଳଜା ପଟେଲ କହନ୍ତି, ‘‘ଛି..ଛି.. ଗୀତର ଲୋକପ୍ରିୟତା ବହୁତ ଖୁସି ଦେଇଛି। ନିର୍ଦ୍ଦେଶକ ମାନଭଞ୍ଜନବାବୁ ମୋତେ ଏଥିରେ ଅଭିନୟର ପ୍ରସ୍ତାବ ଦେଇଥିଲେ। ପୂର୍ବରୁ ମୁଁ କିଛି ଆଲବମ୍ କରିଥିଲି ଏବଂ ସେ ସମୟରେ ସାର୍ଥକର ନାଁ ଥିଲା। ତେଣୁ ମୁଁ ସୁଯୋଗ ହାତଛଡ଼ା କରି ନଥିଲି। ମୁଁ ସୁନ୍ଦରଗଡ଼ରୁ ଆସି ସୁଟିଂ କରିଥିଲି।’’