ଶିବଶଙ୍କର ଓଝା

୨୦୨୫ରେ ଅନେକ ନୂଆଯୋଡ଼ିଙ୍କୁ ବଡ଼ ପରଦାରେ ଦେଖିବାକୁ ପାଇଛନ୍ତି ଦର୍ଶକ। ପୁଣି କେତେକ ଯୋଡ଼ି ଚଳିତବର୍ଷ ଫେରିଛନ୍ତି। ଆଉ ଦେଢ଼ସପ୍ତାହ ପରେ ସରିବ ବର୍ଷ ୨୦୨୫। ବେଶ୍‌ ଘଟଣାବହୁଳ ଥିବା ବିଦାୟୀ ବର୍ଷରେ ଓଡ଼ିଆ ଦର୍ଶକ ନାୟକ-ନାୟିକାଙ୍କ ଅନେକ ନୂଆ ଯୋଡ଼ିଙ୍କୁ ପରଦାରେ ଭେଟିଛନ୍ତି। କେଉଁ ଯୋଡ଼ିକୁ ଭଲପାଇବା ଦେଇଛନ୍ତି ତ କାହାକୁ ପସନ୍ଦ କରିନାହାନ୍ତି। ୨୦୨୫ର ଅନ୍ୟତମ ଚର୍ଚ୍ଚିତ ସିନେମା ‘ଚାରିଧାମ’ରେ ପ୍ରଥମଥର ନଜର ଆସିଛନ୍ତି ଅନୁଭବ-ଅନୁରାଧା ଯୋଡ଼ି। ତେଣେ ‘ଅନନ୍ତା’ରେ ପ୍ରଥମଥର ଲାଗି ସବ୍ୟସାଚୀଙ୍କ ସହ ନଜର ଆସିଛନ୍ତି ସୂର୍ଯ୍ୟମୟୀ। ଠିକ୍ ସେହିପରି ଏ ବର୍ଷ ନାୟିକା ସୂର୍ଯ୍ୟମୟୀ ଅଭିଷେକ ଗିରିଙ୍କ ବିପକ୍ଷରେ ‘ଭାବାନ୍ତର’, ଅଂଶୁମାନଙ୍କ ବିପକ୍ଷରେ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ଓ ମଣ୍ଟୁଙ୍କ ବିପକ୍ଷରେ ‘ରଙ୍ଗଶୂର’ରେ ପ୍ରଥମଥର ଅଭିନୟ କରିଛନ୍ତି। ୨୦୨୫ ବର୍ଷର ଅନ୍ୟତମ ଚର୍ଚ୍ଚିତ ସିନେମା ‘ଚ୍ୟାଲେଞ୍ଜ୍‌’ରେ ନୂଆଯୋଡ଼ି ଅର୍ଦ୍ଧେନ୍ଦୁ-ଏଲିନାଙ୍କୁ ଦେଖିବାକୁ ମିଳିଛି। ସେହିପରି ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ରେ ଜ୍ୟୋତି-ଶିବାନୀଙ୍କ ଯୋଡ଼ି ବି ଦର୍ଶକଙ୍କ ପାଇଁ ନୂଆ। ରୋମାଣ୍ଟିକ୍ ଫିଲ୍ମ ‘ମିଶିରି’ରେ ବିଭାସ-ରୂପଶ୍ରୀ ଥିଲେ ନୂଆଯୋଡ଼ି। ‘ଆଜିର ରେବତୀ’ରେ ବଙ୍ଗୀୟ ନାୟକ ବନି ସେନଗୁପ୍ତା ଓ ଶୀତଲଙ୍କ ନୂଆଯୋଡ଼ି ବି ନଜର ଆସିଛନ୍ତି। 

Advertisment

UAE Floods: ଅବିଶ୍ରାନ୍ତ ବର୍ଷା ପରେ ୟୁଏଇରେ ବନ୍ୟା ପରିସ୍ଥିତି: ବୁଡ଼ିଲା ରାସ୍ତା, ବିମାନ ବାତିଲ, ଜଳବନ୍ଦୀ ଜୀବନ…

ଏତିକି ନୁହେଁ, ‘ଦର୍ପଣ’ରେ ଅଙ୍କିତ-ତୃପ୍ତି ମୀରାମ୍ବିକା ଓ ଭାରତ-ହିରଣ୍ମୟୀଙ୍କ ପରି ଦୁଇଟି ନୂଆଯୋଡ଼ିକୁ ଦର୍ଶକ ପସନ୍ଦ କରିଛନ୍ତି। ଠିକ୍ ସେହିପରି ‘ଡଷ୍ଟ୍‌ବିନ୍’ରେ ପ୍ରଥମଥର ପାଇଁ ପପୁ ପମ୍‌ପମ୍-ପ୍ରାଚୀ ଓ ‘ଆଇ ଆମ୍ କାଳିଆ’ରେ ହରି-ଅନିୟା ଆଣ୍ଡ୍ରିଭା ଯୋଡ଼ିଙ୍କୁ ଦେଖିବାକୁ ମିଳିଛି। ତେଣେ ‘ଶମ୍ଭୁ’ରେ ଶୁଭମ୍-ତମନ୍ନାଙ୍କ ଯୋଡ଼ିକୁ ପ୍ରଥମଥର ଲାଗି ଭେଟିଛନ୍ତି ଦର୍ଶକ। ‘ସାର୍’ରେ ଅଭିଷେକ ରଥ-ଅର୍ଲିନ୍‌ ଅଙ୍କିତାଙ୍କ ନୂଆଯୋଡ଼ି ପରଦାକୁ ଆସିଥିବା ବେଳେ ‘ରାକେଟ୍’ରେ ଦୁଷ୍ମନ୍ତ-ଅର୍ଲିନ୍ ଅଙ୍କିତା ଓ ହେମନ୍ତ ପାତ୍ର-ନମ୍ରତା ଥାପ୍ପାଙ୍କ ଯୋଡ଼ି ଅଭିନୟ କରିଛନ୍ତି। ଏଣେ ‘ବାସ୍ତବ’ରେ ତୁଷାର ବେଦୀ ଓ ଅଙ୍କିତା ଦାଶଙ୍କ ଯୋଡ଼ି ବି ଆସିଛନ୍ତି।

MDM: ମଧ୍ୟାହ୍‌ଣ ଭୋଜନ ହେଲା ପିଏମ୍‌ ପୋଷଣ, ସୁଧୁରିନି ଭିତ୍ତିଭୂମି

ବର୍ଷର ଅନ୍ୟତମ ଚର୍ଚ୍ଚିତ ସିନେମା ‘ପାଦେ ଆକାଶ’ରେ ପ୍ରଥମଥର ପାଇଁ ଅଙ୍କିତ କୁମାର-ଅର୍ଚ୍ଚିତାଙ୍କ ଯୋଡ଼ି ନଜର ଆସିଛନ୍ତି। ଏଣେ ‘ଆଞ୍ଜେଲ୍’ରେ ପାର୍ଥ-କାବ୍ୟାକିରଣ, ‘ସନାତନୀ’ରେ ସମ୍ବିତ-ଅର୍ଲିନ୍ ଅଙ୍କିତା, ‘ଶିମ‌ଲୀ’ରେ ମନୋଜ ରାଉତ-ଲିପିକା ଓ ‘ତୋର ମୋର ପ୍ରେମ’ରେ ତୁଷାର ଓ ପୁଣ୍ୟତୋୟାଙ୍କ ଯୋଡ଼ି ପ୍ରଥମଥର ଦେଖିବାକୁ ମିଳିଛନ୍ତି ବଡ଼ ପରଦାରେ। ଆଗାମୀ ୩୧ରେ ରିଲିଜ୍ ହେବାକୁ ଥିବା ‘ଲଢ଼େଇ’ରେ ବି ଲୋହିତାକ୍ଷ-ଅଭିଲିପ୍ସାଙ୍କ ନୂଆଯୋଡ଼ି ଆସୁଛନ୍ତି।

ଫେରନ୍ତା ଯୋଡ଼ି 
ଓଡ଼ିଆ ସିନେଜଗତର ଲୋକପ୍ରିୟ ଯୋଡ଼ି ବାବୁସାନ୍‌-ଅର୍ଚ୍ଚିତାଙ୍କୁ ୨୦୨୫ରେ ଦର୍ଶକ ପ୍ରାୟ ୬ ବର୍ଷ ବ୍ୟବଧାନରେ ‘ବୋଉ ଭୁଟ୍ଟୁ ଭୂତ’ ଜରିଆରେ ବଡ଼ ପରଦାରେ ଦେଖିବାକୁ ପାଇଛନ୍ତି। ସେହିପରି ନାୟକ ଅନୁଭବ ଓ  ନିର୍ଦ୍ଦେଶକ ତାପସ ସରଘରିଆଙ୍କ ଯୋଡ଼ି ‘ପ୍ରେମ କୁମାର’ ଓ ‘ଲଭ୍ ଇନ୍ ଲଣ୍ଡନ୍‌’ ପ‌‌େର ୨୦୨୫ରେ ‘ଚାରିଧାମ’ ଜରିଆରେ ଫେରିଛି। ଠିକ୍ ସେହିପରି ‘ଡଟ୍‌ପେନ୍’ ପରେ ପୁଣି ନାୟକ ଜ୍ୟୋତି-ନିର୍ଦ୍ଦେଶକ ଅଶ୍ବିନୀ ତ୍ରିପାଠୀଙ୍କ ଯୋଡ଼ି ‘ମଟରସାଇକେଲ୍‌’ରେ ଫେରିଛନ୍ତି। ‘ଗୁପ୍‌ଚୁପ୍’ ପରେ ନାୟକ ଅମ୍ଳାନ-ନିର୍ଦ୍ଦେଶକ ପୃଥ୍ୱୀରାଜ ପଟ୍ଟନାୟକ ଯୋଡ଼ିର ଦ୍ବିତୀୟ ସିନେମା ‘ଭାଇ’ ଏ ବର୍ଷ ରିଲିଜ୍ ହୋଇଛି। ‘ଦଶମ’ ପରେ ନାୟକ ଶୈଳେନ୍ଦ୍ର ଓ ନିର୍ଦ୍ଦେଶକ ରାଜା.ଡି ଯୋଡ଼ିର ‘ଘମାଘୋଟ୍’ ବି ଚଳିତ ବର୍ଷ ବଡ଼ ପରଦାକୁ ଆସିଛି। ନିର୍ଦ୍ଦେଶକ ସଂଗ୍ରାମ ମହାନ୍ତି-ନାୟକ ଦୁଷ୍ମନ୍ତଙ୍କ ଯୋଡ଼ି ‘ରାକେଟ୍‌’ ଜରିଆରେ ଏବଂ ନିର୍ଦ୍ଦେଶକ ସୁଧାକର ବସନ୍ତ-ନାୟିକା ବର୍ଷା ପ୍ରିୟଦର୍ଶିନୀ ଯୋଡ଼ି ‘ୱାଇଫ୍’ ଜରିଆରେ ଫେରିଛନ୍ତି। ଏଣେ ଶୈଳେନ୍ଦ୍ର-ଶିବାନୀ ଓ ଶୈଳେନ୍ଦ୍ର-ଦିବ୍ୟା ଯୋଡ଼ି ବି ଫେରିଛନ୍ତି।