ସାତ ବର୍ଷ ହେଲା ଦେଖା ନଥିଲା: ପୁଣି ବଡ଼ ପରଦାରେ ଜଲଓ୍ୱା ଦେଖାଇବେ ତିନି ଓଲିଉଡ ସୁନ୍ଦରୀ

ଶିବଶଙ୍କର ଓଝା

ଭୁବନେଶ୍ବର: ଏବେ ଓଲିଉଡକୁ ଫେରୁଛନ୍ତି ତିନି ନାୟିକା। ଏମାନଙ୍କୁ ଗତ କିଛି ବର୍ଷ ହେବ ବଡ଼ ପରଦାରେ ଦେଖିବାକୁ ମିଳିନାହିଁ। ହେଲେ ଏମାନଙ୍କୁ ଖୁବ୍ ଶୀଘ୍ର ବଡ଼ ପରଦାରେ ଦେଖିବାକୁ ପାଇବେ ସିନେପ୍ରେମୀ। ଆସନ୍ତୁ ଜାଣିବା ଏହି ତିନି ନାୟିକାଙ୍କ ସଂପର୍କରେ…


ପ୍ରିୟା: ଓଲିଉଡର ଚୁଲୁବୁଲି ନାୟିକା ଭାବେ ପରିଚିତ ପ୍ରିୟା ପ୍ରସାଦ ପ୍ରଡକସନ୍ ବ୍ୟାନରରେ ତିଆରି ହୋଇଥିବା ଓଡ଼ିଆ ସିନେମା ‘ଡ୍ରିମଗାର୍ଲ’ରେ ନାୟିକା ଭାବେ ପ୍ରଥମେ ବଡ଼ ପରଦାକୁ ଆସିଥିଲେ। ପ୍ରିୟାଙ୍କ ଦ୍ୱିତୀୟ ସିନେମା ‘ଅଭିମନ୍ୟୁ’ ରିଲିଜ୍ ହେବାପରେ ସେ ଷ୍ଟାର୍ ବନିଥିଲେ। ଏହାପରେ ସେ ‘ଆଲୋ ମୋର କଣ୍ଢେଇ’, ‘ଚାନ୍ଦିନୀ ଆଇ ମିସ୍ ୟୁ’, ‘ଦୋସ୍ତି’, ହିରୋ ଏକ ପ୍ରେମ କଥା, ରୁମକୁ ଝୁମାନା, ମିତ ବସିଛି ମୁଁ ଭୂତ ସାଥୀରେ ଓ ‘ତୋ ବାଟ ଚାହିଁଛି ରାତିସାରା’ ଆଦି ସିନେମାରେ ନଜର ଆସିଥିଲେ।

ଏବେ ସେ ପ୍ରାୟ ସାତ ବର୍ଷ ପରେ ପ୍ରିୟା ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’ ଜରିଆରେ ଫେରୁଛନ୍ତି ବଡ଼ ପରଦାକୁ। ଏଥିରେ ନାୟକ ଅମ୍ଳାନଙ୍କ ସହ ତିନି ନାୟିକା ଭାବେ ଅବତୀର୍ଣ୍ଣ ହେଇଛନ୍ତି ରୀୟା, ପ୍ରିୟା ଓ ରାଗିଣୀ। ଏମାନଙ୍କ ବ୍ୟତୀତ ପପି ସନ୍ତୁକା ଓ ବବି ମିଶ୍ର ମଧ୍ୟ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି। ଏହାର ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ଦିଲୀପ୍ ପଣ୍ଡା। ଏହାର ସଙ୍ଗୀତକାର ହେଲେ ବୈଦ୍ୟନାଥ ଦାଶ।


ମେଘା: ଲଭ ଡଟକମ୍, ଲୁଚକାଳି, ଚାନ୍ଦିନୀ ଆଇ ମିସ୍ ୟୁ, ଶଶୁର ଘର ଜିନ୍ଦାବାଦ, ମୋଷ୍ଟ ୱାଣ୍ଟେଡ, ଦୋସ୍ତି ଏବଂ ହରି ଓମ୍ ହରି ଆଦି ଓଡ଼ିଆ ଛବିରେ ନାୟିକା ଭୂମିକାରେ ଅଭିନୟ କରିଥିବା ମେଘା ଏବେ ‘ହିରୋଗିରି’ ଜରିଆରେ ବଡ଼ ପରଦାକୁ ଫେରୁଛନ୍ତି। ତେବେ ପ୍ରାୟ ଆଠ ବର୍ଷ ହେବ ତାଙ୍କୁ କୌଣସି ଓଡ଼ିଆ ଛବିରେ ଦେଖିବାକୁ ମିଳିନାହିଁ।
‘ହିରୋଗିରି’ ପ୍ରଥମ ଥର ଲାଗି ଦର୍ଶକ ମେଘାଙ୍କ ସହ ଆକାଶଙ୍କୁ ଦେଖିବାକୁ ପାଇବେ।  ‘ହିରୋଗିରି’ ରେ ଆକାଶ-ମେଘା ଯୋଡ଼ିଙ୍କ ବ୍ୟତୀତ ମୀନକେତନ ଓ ସଲିଳ ମିତ୍ର ପ୍ରମୁଖଙ୍କୁ ବି ଦେଖିବାକୁ ମିଳିବ। ଅଶ୍ବିନୀ ଗଡ଼ନାୟକ ଏହାର ନିର୍ଦ୍ଦେଶକ ଓ ଅଭିଜିତ ମଜୁମଦାର ସଙ୍ଗୀତକାର।


ବନ୍ଦନା : ୨୦୧୪ରେ ରିଲିଜ୍ ହୋଇଥିବା ଓଡ଼ିଆ ସିନେମା ‘ତୁ ଆଉ ମୁଁ’ରେ ପ୍ରଥମ ଥର ଲାଗି ନାୟିକା ଭୂମିକାରେ ନଜର ଆସିଥିଲେ ବନ୍ଦନା। ‘ତୁ ଆଉ ମୁଁ’ର ନିର୍ଦ୍ଦେଶନା ଦେଇଥିଲେ ନିଶିକାନ୍ତ ଦଳବେହେରା। ଏହାପରେ ଆଉ କୌଣସି ସିନେମାରେ ବନ୍ଦନାଙ୍କୁ ଦେଖିବାକୁ ମିଳିନାହିଁ। ହେଲେ ସେ ପ୍ରାୟ ସାତ ବର୍ଷ ପରେ ଖୁବ୍ ଶୀଘ୍ର ପରଦାକୁ ଆସିବେ। ସେ ଯେଉଁ ଛବି ମାଧ୍ୟମରେ ବଡ଼ ପରଦାକୁ ଫେରୁଛନ୍ତି, ତାହା ହେଲା ‘ଲଭ୍ ଫିଭର୍’। ଏହି ସିନେମାରେ ରାଜବୀର, ଅଶ୍ରୁମୋଚନ, ମୀନକେତନ, ପୁଷ୍ପା ପଣ୍ଡା ଏବଂ ଅସିତ ପତି ପ୍ରମୁଖଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଚନ୍ଦନ ଜାନା ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଶାନ୍ତ ପାଲ୍ ସଙ୍ଗୀତ ନିର୍ଦ୍ଦେଶକ।

ସମ୍ବନ୍ଧିତ ଖବର