ଆସୁଛି ନୂଆ ଚଳଚ୍ଚିତ୍ର ‘ଜୟୀ ରାଜଗୁରୁ’; ମୁଖ୍ୟଭୂମିକାରେ ବିଶ୍ବରୂପ ଓ ସମ୍ମାନିତା

ନୂଆ ଚଳଚ୍ଚିତ୍ର ‘ଜୟୀ ରାଜଗୁରୁ’ ୨୮ ଦିନର ସୁଟିଂ ପରେ ଏବେ ଏଡିଟିଂ ଓ ଡବିଂ ଟେବୁଲ୍‌ରେ ରହିଛି। ଏଥିରେ ମୁଖ୍ୟ ଚରିତ୍ର ଅର୍ଥାତ ଜୟୀ ରାଜଗୁରୁ ଭୂମିକାରେ ଅଛନ୍ତି ବିଶ୍ବରୂପ ଏବଂ ତାଙ୍କୁ ଭଲପାଉଥିବା ପ୍ରେମିକା ଭୂମିକାରେ ଅଛନ୍ତି ସମ୍ମାନିତା। ରାଜପ୍ରାସାଦରେ ଆଉ କିଛି ଅଭିନୟ ଦୃଶ୍ୟ ଏବଂ ଗୋଟିଏ ଗୀତଦୃଶ୍ୟର ସୁଟିଂ ବାକି ରହିଛି। ଉକ୍ତ ଗୀତର ମୁଖୁଡ଼ା ଲାଇନ୍‌ ରହିଛି ‘ରୂପସୀ ଗୋ ନୀଳନୟନା’। ଗୀତ ଲେଖିଛନ୍ତି ଅରୁତୋଷ ଏବଂ ସ୍ବର ସଜାଇଛନ୍ତି ଶାନ୍ତନୁ ନାୟକ। କୋରିଓଗ୍ରାଫି କରିବେ ରାଜପ୍ରଦୀପ୍ ଅଥବା ରାଜେନ୍ଦ୍ର ମହାନ୍ତ। ସବୁଠୁ ବଡ଼କଥା ହେଉଛି ଚଳଚ୍ଚିତ୍ରରେ ଥିବା ଏକ ବିରାଟ ଯୁଦ୍ଧଦୃଶ୍ୟରେ ଅନ୍ୟୂନ ୪୦୦ ଯୋଦ୍ଧା ସାମିଲ ହେବେ। କୋଭିଡ୍ କଟକଣା ପାଇଁ ଉକ୍ତ ଦୃଶ୍ୟଟିର ଶୁଟିଂ ଏବେ ସମ୍ଭବ ହେଉନାହିଁ। ପୂର୍ବରୁ ‘ବିଶ୍ବରୂପ’ ଓ ‘ଧର୍ମାସୁର’ ପରି ଚଳଚ୍ଚିତ୍ରର ନାୟକ ସାଜି ବିଶ୍ବରୂପ ବେଶ୍ ଚର୍ଚ୍ଚିିତ ହେଇଛନ୍ତି, ସେମିତି ‘ତୁ କହିବୁ ଆଇ ଲଭ୍ ୟୁ’ ସିନେମାରେ ଅଭିନୟ କରିଥିବା ସମ୍ମାନିତାଙ୍କୁ ଶେଫାଳୀ, ମନ ଖୋଜୁଥିଲା ଗୋଟେ ପ୍ରେମିକା, କବୀର ସିଂ ପରି ମ୍ୟୁଜିକ୍ ଭିଡିଓରେ ମଧ୍ୟ ନାୟିକା ଭୂମିକାରେ ଦେଖିବାକୁ ମିଳିଛି।

ଏକ ନାମ ନୁହେଁ ବରଂ ‘ଜୟୀ ରାଜଗୁରୁ’ ଏକ ଆଗ୍ନେୟ ସ୍ଫୁଲିଙ୍ଗ। ଅଗ୍ନିର ପ୍ରତିଟି କଣିକା ଯେପରି ସମସ୍ତଙ୍କୁ ପ୍ରଭାବିତ କରିଥାଏ ସେପରି ଜୟୀ ରାଜଗୁରୁଙ୍କ ପ୍ରତିଭା ଉତ୍କଳରୁ ଦେଶ ବିଦେଶ ପର୍ଯ୍ୟନ୍ତ ସୁଦୂର ପ୍ରସାରିତ। ଯାହାଙ୍କ ବଳିଦାନ ଯୋଗୁ ଉତ୍କଳ ଭୂମି ସ୍ବାଧୀନତାର ସ୍ବାଦ ଚାଖିଛି। ସେଇ ବୀର ସହିଦଙ୍କ ଜୀବନୀକୁ ନେଇ ଜେଏଚ୍‌ବି ଏଣ୍ଟର‌ଟେନ୍‌ମେଣ୍ଟ ପ୍ରାୟ ପାଞ୍ଚବର୍ଷ ଧରି ଗବେଷଣା କରିବା ପରେ ଗ୍ରାମ ଗ୍ରାମ ପରିଭ୍ରମଣ କରି ଜୟୀ ରାଜଗୁରୁଙ୍କ ସମ୍ପର୍କ‌ରେ ତଥ୍ୟ ସଂଗ୍ରହ କରିଛି। ଏଇ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ଜୟସେନ। ଚଳଚ୍ଚିତ୍ରରେ ଯେଉଁ ସାମରିକ କ୍ରୀଡ଼ା କୌଶଳର ଚିତ୍ରଣ ହେଇଛି ଏଥିରେ ପ୍ରଯୋଜକ ୟଣ ମାର୍ଥା ଓ ମହାରଣା ସା‌ର୍‌ଙ୍କ ବିଶେଷ ଅବଦାନ ରହିଛି। ଲିଟନ୍ ପଟ୍ଟନାୟକ ସହଯୋଗୀ ନିଦ୍ଦେର୍ଶକ ଭାବେ ନିଜର ଭୂମିକା ନିର୍ବାହ କରୁଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି କ୍ରିଷ୍ଣା। ଖୁବଶୀଘ୍ର ପରଦାରେ ଦର୍ଶକ ସଂଗ୍ରାମୀ ଜୟୀ ରାଜଗୁରୁଙ୍କ କାହାଣୀ ଦେଖିବାକୁ ପାଇବେ।

ସମ୍ବନ୍ଧିତ ଖବର