ଏପର୍ଯ୍ୟନ୍ତ ‘ମ୍ୟାଡକ୍ ହରର୍‌ କମେଡି ୟୁନିଭର୍ସ’ ଅନ୍ତର୍ଗତ ମୁକ୍ତିଲାଭ କରିଥିବା ସମସ୍ତ ଚଳଚ୍ଚିତ୍ର (ସ୍ତ୍ରୀ, ଭେଡିୟା ଓ ମୁଞ୍ଜା)ର କାହାଣୀ ଓ ଭୌତିକ ଚରିତ୍ର ଭାରତୀୟ ଲୋକକଥା ଉପରେ ଆଧାରିତ ଥିଲା। ସେଥିରେ ଏକ ବ୍ୟତିକ୍ରମ ଭାବେ ଯୋଡ଼ି ହୋଇଛି ‘ଥାମା’। ବ୍ୟତିକ୍ରମ ଏଥିପାଇଁ ଯେ ଏଥିରେ ଯେଉଁ ଭୌତିକ ଚରିତ୍ରମାେନ ଅଛନ୍ତି ସେମାନେ ହେଉଛନ୍ତି ୟୁରୋପୀୟ ଲୋକକଥାର ‘ଭାମ୍ପାୟାର’ମାନଙ୍କ ସିଧାସଳଖ ନକଲ। ଚଳଚ୍ଚିତ୍ରରେ ‘ଭାମ୍ପାୟାର’ର ନାମକୁ ବଦଳାଇ ରଖାଯାଇଛି ‘ବେତାଳ’, ଯେତେବେଳେ କି ‘ବିକ୍ରମ ବେତାଳ’ କାହାଣୀର ବେତାଳ ସହିତ ସିନେମାର ଚରିତ୍ରମାନଙ୍କର କୌଣସି ସାମଞ୍ଜସ୍ୟ ନାହିଁ। କାହାଣୀ ରଚନାରେ ଏହି ଆଳସ୍ୟ ଏହାର ସଂଳାପ ଓ ହାସ୍ୟରସକୁ ମଧ୍ୟ ଆକ୍ରାନ୍ତ କରିଥିବାର ସ୍ପଷ୍ଟ ବାରିହୋଇ ପଡ଼ିଲା। ଫଳସ୍ବରୂପ ‘ମୁଞ୍ଜା’ ଚଳଚ୍ଚିତ୍ରରେ ନୂଆ ଅଭିନେତାମାନଙ୍କୁ ନେଇ ନିର୍ଦେଶକ ଆଦିତ୍ୟ ସରପୋତଦାର ଓ କାହାଣୀ ଲେଖକ ନିରେନ ଭଟ୍ଟ ଯେଉଁ ଚମତ୍କାର ଅଭିଜ୍ଞତା ପ୍ରଦାନ କରିଥିଲେ, ସେମାନଙ୍କ ନିର୍ଦେଶନା ଓ ରଚନା ତଥା ପ୍ରବୀଣ ଅଭନେତାମାନଙ୍କ ଉପସ୍ଥିତି ସତ୍ତ୍ବେ ‘ଥାମା’ ନିରାଶାଜନକ ମନେ ହେଲା। 

Advertisment

ଏହି କାହାଣୀରେ ସାମ୍ବାଦିକ ଆଲୋକ (ଆୟୁଷ୍ମାନ ଖୁରାନା) ଜଙ୍ଗଲରେ ବୁଲୁଥିବା ବେଳେ ଏକ ଭାଲୁ ଆକ୍ରମଣ କରିବା ପରେ ତାଙ୍କୁ ରକ୍ଷା କରୁଛି ତାଡ଼କା (ରଶ୍ମିକା ମନ୍ଦାନା)। ତାଡ଼କା ଜଣେ ବେତାଳ ଏବଂ ବେତାଳମାେନ ହେଉଛନ୍ତି ମଣିଷଙ୍କ ଦୁନିଆରୁ ଅଲଗା ହୋଇ ରହୁଥିବା ଏକ ସମ୍ପ୍ରଦାୟ। ୧୯୪୭ରେ ଦେଶ ବିଭାଜନକାଳୀନ ଦଙ୍ଗାରେ ମଣିଷମାନେ ପରସ୍ପରଙ୍କୁ ହତ୍ୟା କରିବା ଦୃଶ୍ୟରେ ମର୍ମାହତ ହୋଇ ବେତାଳମାନେ ଏକ ନିୟମ କରିଛନ୍ତି ଯେ ସେମାନେ ବିଷାକ୍ତ ମଣିଷମାନଙ୍କ ରକ୍ତ ପିଇବେ ନାହିଁ। ଏହି ନିୟମ ଭାଙ୍ଗିଥିବାରୁ ‘ଥାମା’ ବା ବେତାଳମାନଙ୍କ ମୁଖିଆ ଯକ୍ଷାସନ (ନଵାଜୁଦ୍ଦୀନ ସିଦ୍ଦୀକୀ) ଏକ ଶତାବ୍ଦୀର କାରାବରଣ କରୁଛି। ତାଡ଼କା ଆଲୋକ ପ୍ରତି ଏତେ ଆକୃଷ୍ଟ ହୋଇଯାଉଛି ଯେ ସେ ନିୟମ ଭାଙ୍ଗି ଆଲୋକ ସହିତ ମଣିଷମାନଙ୍କ ଦୁନିଆକୁ ଚାଲିଆସୁଛି ଏବଂ ଆଲୋକର ଜୀବନ ରକ୍ଷା କରିବା ପାଇଁ ଶହେ ବର୍ଷ କାରାବରଣର ଦଣ୍ଡକୁ ସ୍ବୀକାର କରିନେଉଛି। ତେବେ ଏମାନଙ୍କ ପ୍ରେମକାହାଣୀ ଏତେ ନିବିଡ଼ ହେବାର ପ୍ରକ୍ରିୟାକୁ ବିଶ୍ବସନୀୟ ଢଙ୍ଗରେ ପ୍ରଦର୍ଶନ କରାଯାଇନାହିଁ। ଭୌତିକ ଭୟ ମଧ୍ୟ ଏହି ସିନେମାରେ ଅନୁପସ୍ଥିତ। ଦୀର୍ଘ ଅଢ଼େଇଘଣ୍ଟାର ଏହି ସିେନମାଟି ନିଷ୍କର୍ଷରେ ପହଞ୍ଚିବା ବେଳକୁ ଏତେସବୁ ଅସଂଗତ ଘଟଣା ଘଟିଯାଉଛି ଯେ ଦର୍ଶକର ଆଗ୍ରହ ମରିଯିବା ପ୍ରାୟ ସୁନିଶ୍ଚିତ। ‘ଭେଡିୟା’ ଓ ‘ମୁୁଞ୍ଜା’ର କେତେକ ଚରିତ୍ର ମଧ୍ୟ ଏହି ସିନେମାରେ ଦେଖାଦେଇଛନ୍ତି। ତେଣୁ ଏହି ସିନେମାଟି କେବଳ ‘ମ୍ୟାଡକ୍ ହରର୍‌ କମେଡି ୟୁନିଭର୍ସ’ର ଅତୀତ ଓ ଭବିଷ୍ୟତର ସିନେମାଗୁଡ଼ିକୁ ଯୋଡୁଥିବା ଏକ ଯୋଗସୂତ୍ର ଭାବେ ଦର୍ଶନୀୟ। 

ଏହି ସିନେମାରେ ହାସ୍ୟରୋଳ ସୃଷ୍ଟି ପାଇଁ ସାମାଜିକ ଗଣମାଧ୍ୟମର ଲୋକପ୍ରିୟ ମିମ୍‌ ଓ ସଂଳାପଗୁଡ଼ିକୁ ଲଜ୍ଜାହୀନ ଭାବେ ଅନୁକରଣ କରାଯାଇଛି। ଦୁର୍ବଳ ସଂଳାପ ରଚନା ଯୋଗୁଁ ଅଭିଜ୍ଞ ଆୟୁଷ୍ମାନଙ୍କ ହାସ୍ୟାଭିନୟ ବି ଖୁବ୍ ଶୀଘ୍ର ବିରକ୍ତିକର ମନେ ହୁଏ। ରଶ୍ମିକାଙ୍କ ହିନ୍ଦୀ ସଂଳାପ ଉଚ୍ଚାରଣ ତଥା ଅଭିନୟ ସମ୍ପର୍କରେ ପ୍ରଶଂସା କରିବା ଭଳି କିଛି ନାହିଁ। ବରଂ, ପରେଶ ରାଵଲ, ନଵାଜୁଦ୍ଦୀନ ସିଦ୍ଦୀକୀ ଓ ଅଭିଷେକ ବାନାର୍ଜୀ ଅଳ୍ପ କିଛି ଦୃଶ୍ୟରେ ଦର୍ଶକଙ୍କ ଉଦ୍ଦୀପନା ବୃଦ୍ଧି କରିବାରେ ସଫଳ ହୋଇଛନ୍ତି। ଚଳଚ୍ଚିତ୍ରର ପୃଷ୍ଠଭୂମି ସଂଗୀତ ଓ ଭିଏଫ୍‌ଏକ୍ସ ପରି ବୈଷୟିକ ଦିଗଗୁଡ଼ିକ ମଧ୍ୟ ଅତି ବେଶୀରେ ଚଳନୀୟ ସ୍ତରର ବୋଲି କହିହେବ। 

ଏହି ସିନେମାରେ ଅବିଶ୍ବସନୀୟ ଭାବେ ତିନିଟି ଆଇଟମ୍‌ ଗୀତ ଅଛି, ଯେଉଁଗୁଡ଼ିକ ଅନାବଶ୍ୟକ ଏବଂ କାହାଣୀ ମଧ୍ୟରେ ଅଯଥା ଭର୍ତ୍ତି କରାଯାଇଛି ଭଳି ଲାଗିଲା। ‘ସ୍ତ୍ରୀ ୨’ର ପ୍ରଚାରରେ ‘ଆଜ କୀ ରାତ’ ଏବଂ ‘ମୁଞ୍ଜା’ର ପ୍ରଚାରରେ ‘ତରସ’ ଗୀତର ଭୂମିକାକୁ ଲକ୍ଷ୍ୟ କରି ନିର୍ମାତାମାନେ ହୁଏତ ଭାବିନେଲେ ଯେ ସିନେମାରେ ତିନିଟି ଆଇଟମ୍‌ ଗୀତ ରଖିଦେଲେ ତିନିଗୁଣ ଦର୍ଶକ ପ୍ରେକ୍ଷାଳୟକୁ ଆକୃଷ୍ଟ ହୋଇ ଆସିବେ। ତେବେ ସତ କଥା ହେଲା ଆଇଟମ୍‌ ଗୀତ ବା ପ୍ରବୀଣ ଅଭିନେତାମାନେ ଶକ୍ତିଶାଳୀ କାହାଣୀର ବିକଳ୍ପ ହୋଇପାରିବେ ନାହିଁ।