ମୁମ୍ବାଇ: ସୋନି ଟିଭିରେ ପ୍ରସାରତ ‘ଦି କପିଲ ଶର୍ମା ସୋ’ ବନ୍ଦ ହେବାର ବେଶ୍ କିଛି ଦିନ ହୋଇଗଲାଣି । ଏବେ ପୁଣି କପିଲ ଶର୍ମା ସେହି ସୋ’କୁ ନେଇ ଆସିବେ ବୋଲି ସୂଚନା ମିଳିଛି। କପିଲ ଶର୍ମା ତାଙ୍କର ନୂଆ ସିନେମା ‘ଫିରଙ୍ଗୀ’ର ରିଲିଜ୍ କରିବାକୁ ପ୍ରସ୍ତୁତ ହେଉଛନ୍ତି ଏହା ଏଇ ୨୪ ତାରିଖରେ ରିଲିଜ୍ ହେବ। ଏହାପରେ ସେ ‘ଦି କପିଲ ଶର୍ମା ସୋ’ କାମରେ ଲାଗିବେ ବୋଲି ଜଣାଯାଇଛି। ନିକଟରେ ସୋନି ଟିଭିରେ ପ୍ରସାରିତ ସୁପର ଡାନସର-୨ରେ ଅତିଥିଭାବେ ଯୋଗ ଦେଇ କପିଲ ଶର୍ମା ଖୁବ୍ ଭାବୁକ ହୋଇ ଉଠିଥିଲେ।
ଏହାପରେ ଚାନେଲର ବିଜିନେସ୍ ହେଡ୍ ତଥା ଭାଇସ୍ ପ୍ରେସିଡେଣ୍ଟ୍ ଦନୀଶ ଖାନ୍ କହିଛନ୍ତି ଯେ ‘ଦି କପିଲ ଶର୍ମା ସୋ’ ଖୁବ୍ ଶୀଘ୍ର ଫେରିବ। ତା’ଛଡ଼ା କପିଲଙ୍କ ଫିଲ୍ମ‘ଫିରଙ୍ଗୀ’ର ପ୍ରମୋସନ୍ ପାଇଁ ବି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ବି ଆୟୋଜନ କରୁଛି ଚାନେଲ୍ ବୋଲି ସେ ସୂଚନା ଦେଇଛନ୍ତି। କିନ୍ତୁ କେବେଠୁ ଏହାର ପ୍ରସାରଣ ଆରମ୍ଭ ହେବ ସେଥିନେଇ କିଛି ସ୍ପଷ୍ଟଭାବେ କହି ନାହାନ୍ତି ଦନୀଶ ଖାନ୍ । କପିଲ ଶର୍ମାଙ୍କ ଅସୁସ୍ଥତା ହେତୁ ‘ଦି କପିଲ ଶର୍ମା ସୋ’କୁ ବନ୍ଦ କରାଯାଇଥିଲା।

ଏଠାରେ ସୂଚନାଯୋଗ୍ୟ ଯେ ସାଥୀ କଳାକାର ସୁନୀଲ୍ ଗ୍ରୋଭରଙ୍କୁ ଏକ ବିମାନରେ କପିଲ ଶର୍ମା ଅପମାନିତ କରିବାପରେ ସୁନୀଲ ସେହି ସୋ’ ଛାଡି ଦେଇଥିଲେ। ଏହାପରେ ପ୍ରୀତି ସେମେସ୍,ତାଙ୍କ ଭଉଣୀ ନୀତି, ଅଭିନେତା ଅଲ୍ଲୀ ଅସଗର୍ , ଚନ୍ଦନ ପ୍ରଭାକର,ସୁଗନ୍ଧା ମିଶ୍ରାଏବଂ ସଙ୍କେତ ଭୋସଲେ ପ୍ରମୁଖ ଦି କପିଲ ଶର୍ମା ସୋ’ ଛାଡ଼ିଥିଲେ । ଏହି କାରଣରୁ ସୋ’ର ଟି ଆର ପି କମି ଯାଇଥିଲା। ଏମାନଙ୍କ ମଧ୍ୟରୁ ପୁଣି ଉକ୍ତ ସୋ’କୁ ଫେରିଥିଲେ ଚନ୍ଦନ ପ୍ରଭାକର । ତାପରେ ଅଲ୍ଲୀ ଅସଗର୍ ବି ଫେରିବାର ସଙ୍କେତ ଦେଇଥିଲେ ,ମାତ୍ର ସୁନୀଲ୍ ଗ୍ରୋଭରଙ୍କ ଫେରିବା ନେଇ କିଛି ସୁରାକ୍ ମିଳିନ ଥିଲା। ତେବେ ସେ ଯାହା ହେଉନା କାହିଁକି‘ଦି କପିଲ ଶର୍ମା ସୋ’ ର ପୁନଃ ପ୍ରସାରଣ ଥୟ । ଏବେ ଦେଖିବା କଥା ଯେ ଏହା ତାହାର ପୁରୁଣା ଭଲ ଟି ଆର ପି ଫେରି ପାଇବାରେ ସକ୍ଷମ ହେବ କି ନା ତାହା ଦେଖିବାକୁ ବାକି ରହିଲା।