ମୁମ୍ବାଇ: ପୂର୍ବରୁ ବଲିଉଡ଼୍ର ଷ୍ଟାର୍ମାନେ ସେମାନଙ୍କ ନିଜ ନିଜର ଗ୍ଲାମରସ୍ ଜୀବନଶୈଳୀକୁ ନେଇ ଚର୍ଚ୍ଚିତ ହେଉଥିଲେ। ହେଲେ, ଏବେ ସାମାଜିକ କାର୍ଯ୍ୟରେ ସେମାନଙ୍କର ଯୋଗଦାନକୁ ନେଇ ସେମାନେ ଅଧିକ ମାତ୍ରାରେ ଚଚ୍ିର୍ତ ହେଉଛନ୍ତି। ତେବେ ବଲିଉଡ଼୍ ଜଗତରେ ଏମିତି ବି ୭ଜଣ ସେଲିବ୍ରିଟି ରହିଛନ୍ତି, ଯେଉଁମାନେ କି ସେମାନଙ୍କ ଅଙ୍ଗଦାନ କରିବାର ନିଷ୍ପତ୍ତି ନେଇ ଚର୍ଚ୍ଚାରେ ରହିଛନ୍ତି।
ତେବେ, ଆଜି ଆମେ ଆପଣଙ୍କୁ ସେହି ୭ଜଣ ଉଦାରବାନ ସେଲିବ୍ରିଟିଙ୍କ ବିଷୟରେ ଜଣାଇବୁ ଯେଉଁମାନେ କି ସମାଜର ହିତ ପାଇଁ ସେମାନଙ୍କ ଶରୀରର ବିଭିନ୍ନ ଅଂଗକୁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଉ ଏହି ଲିଷ୍ଟରେ ପ୍ରଥମରେ ବିଗ୍ ବି ଅମମିତାଭ ବଚ୍ଚନ ଥିଲାବେଳେ ସେ ତାଙ୍କର ଚକ୍ଷୁକୁ ଦାନ କରିବାକୁ ନିଷ୍ପତ୍ତି କରିଛନ୍ତି। ଏଥିସହିତ ଏହି ଲିଷ୍ଟ୍ରେ ଅମିତାଭଙ୍କ ଅଲିଅଳି ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମଧ୍ୟ ରହିଛନ୍ତି। ଯିଏକି ନିଜ କ୍ୟାରିଅର୍ର ଆରମ୍ଭରେ ହିଁ ତାଙ୍କର ସୁନ୍ଦର ଆଖି ଦୁଇଟିକୁ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଏ କ୍ଷେତ୍ରରେ ମିଷ୍ଟର୍ ପର୍ଫେକ୍ନିଷ୍ଟ୍ ବୋଲାଉଥିବା ଅମୀର୍ ଖାନ୍ ବି କୌଣସି ମାତ୍ରାରେ କମ୍ ନାହାନ୍ତି। କାହିଁକି ନା ଅମୀର୍ ନିଜର କିଡ଼୍ନୀ, ଲିଭର୍ ଏବଂ ଆଖିକୁ ଦାନ କରିବାକୁ ନିଷ୍ପତ୍ତି କରିଛନ୍ତି। ତେବେ ଏନେଇ ଅମୀର୍ ୨୦୧୪ରେ ହୋଇଥିବା ଏକ ଇଭେଣ୍ଟ୍ ଜରିଆରେ କହିଥିଲେ କି ମୃତ୍ୟୁ ପରେ ସେ ତାଙ୍କ ଶରୀରର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅଂଗର ଦାନ କରିବେ।
ଆଉ ଏହି ଲିଷ୍ଟରେ ସାମିଲ୍ ହୋଇଛନ୍ତି, ବଲିଉଡ଼୍ର ଜଣାଶୁଣା ଅଭିନେତ୍ରୀ ରାଣୀ ମୁଖାର୍ଜୀ। ତେବେ ରାଣୀ ଏବେ ଲାଇମ୍ ଲାଇଟ୍ଠାରୁ ଦୂରେଇ ରହୁଥିଲେ ବି ସମାଜସେବା କ୍ଷେତ୍ରରେ ସେ ସର୍ବଦା ହିଁ ରହିଥାଆନ୍ତି ତତ୍ପର! ଯେଉଁଥି ପାଇଁ କି ରାଣୀ ତାଙ୍କର ଚକ୍ଷୁଦାନ କରିବାର ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ରାଣୀ କହିଛନ୍ତି ଯେ ନିଜର ଅଂଗକୁ ଦାନ କରି ଅନ୍ୟର ଜୀବନ ବଞ୍ଚାଇବା ଦ୍ୱାରା ମନକୁ ଶାନ୍ତି ମିଳିଥାଏ। ଆଉ ଏହିକ୍ରମରେ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ବି ସାମିଲ୍ ହୋଇଛନ୍ତି। ଯିଏକି ତାଙ୍କ ପିତାଙ୍କ ନିଧନ ପରେ ନିଜ ଶରୀରର ସମସ୍ତ ଅଂଗକୁ ଦାନ କରିବାର ନିଷ୍ପତ୍ତି ନେଇଥିବା କଥା କହିଛନ୍ତି। ଏହାସହିତ ବଲିଉଡ଼୍ର ଏହି ଅଭିନେତ୍ରୀ ଜଣକ କହିଛନ୍ତି ଯେ ତାଙ୍କୁ ଭଲ ଭାବରେ ଜଣା ଯେ ଏହି ଅଂଗଦାନର ମହତ୍ତ୍ୱ କ’ଣ? କାହିଁକିନା ତାଙ୍କ ପିତାଙ୍କୁ ମଧ୍ୟ ଏହାର ଆବଶ୍ୟକତା ରହିଥିଲା। ଏତଦ୍ବ୍ୟତୀତ ନିଜ ଶରୀରର ଅଂଗଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ବଲିଉଡ଼୍ ଆକ୍ଟର ଆର୍ ମାଧ୍ବାନ୍। ସେ ତାଙ୍କ ଶରୀରର କିଡ଼୍ନୀ, ଲିଭର୍, ହାର୍ଟ, ଅସ୍ଥି ଏବଂ ଆଖି ଭଳି ବିଭିନ୍ନ ଅଂଶକୁ ଦାନ କରିବାକୁ କହିଛନ୍ତି।
ତେବେ ଏହି କ୍ରମରେ ବଲିଉଡ଼୍ର ଦବଙ୍ଗ୍ ବୟ୍ ମଧ୍ୟ ରହିଛନ୍ତି ସବୁଠୁ ଉର୍ଦ୍ଧ୍ୱରେ। କାହିଁକିନା ସେ ତାଙ୍କ ଅସ୍ଥିରେ ରହିଥିବା ରସକୁ ସର୍ବସାଧାରଣଙ୍କ ନିମତ୍ତେ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଉ ଏହାକୁ ଦେଖି ସଲମାନ୍ଙ୍କ ଭାଇ ଅର୍ବାଜ୍ ମଧ୍ୟ ଅନୁପ୍ରାଣିତ ହୋଇଛନ୍ତି।