ଜୁନିୟର ଆର୍ଟିଷ୍ଟ ଭାବେ ଆରମ୍ଭ କରିଥିଲେ କ୍ୟାରିୟର, ଏବେ ସୁପରଷ୍ଟାର

ମୁମ୍ବାଇ: ଦିନେ ସେମାନେ ଜୁନିୟର ଆର୍ଟିଷ୍ଟ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ | ସିନେ ପରଦାରେ ମାତ୍ର କିଛି ସେକେଣ୍ଡ ପାଇଁ ନଜର ଆସିଥିବା ଏହି ଅଭିନେତା/ଅଭିନେତ୍ରୀମାନେ ଆଜି ବଲିଉଡର ସୁପରଷ୍ଟାର ତାଲିକାରେ ଗଣାଯାଉଛନ୍ତି | ଆଜି ଆମେ ଆପଣଙ୍କୁ ସେହି ସବୁ ତାରକାମାନଙ୍କ ବିଷୟରେ କହିବୁ ଯେଉଁମାନେ ନିଜ କ୍ୟାରିୟର ଜୁନିୟର ଆର୍ଟିଷ୍ଟ ଭାବେ ଆରମ୍ଭ କରିଥିଲେ | ଏହି ତାଲିକାରେ ପ୍ରଥମ ସ୍ଥାନରେ ଥିବା ଅଭିନେତା ଜଣକ ହେଉଛନ୍ତି ଶାହିଦ କପୁର | ଶାହିଦ ଜଣେ ନୃତ୍ୟଶିଳ୍ପୀ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ | ତାଙ୍କୁ ‘ତାଲ୍’ ଏବଂ ‘ଦିଲ୍ ତୁ ପାଗଲ୍ ହେ’ ଚଳଚ୍ଚିତ୍ରରେ ଅଭିନେତ୍ରୀଙ୍କ ପଛରେ ନୃତ୍ୟଶିଳ୍ପୀ ଭାବରେ ଦେଖିବାକୁ ମିଳିଥିଲା। ପରେ ସେ ବିଭିନ୍ନ ସିନେମାରେ ବଳିଷ୍ଠ ଅଭିନୟ କରି ଆଜି ସୁପରଷ୍ଟାର ତାଲିକାରେ ନିଜ ନାମକୁ ଯୋଡ଼ିପାରିଛନ୍ତି |

ସେହିପରି ଆଜି ଆପଣ ସିନେ ପରଦାରେ ଦେଖୁଥିବା ନୱାଜୁଦ୍ଦିନ ସିଦ୍ଦିକି ମଧ୍ୟ କ୍ୟାରିୟର ଆରମ୍ଭରେ ବହୁତ ସଂଘର୍ଷ କରିଥିଲେ | କ୍ୟାରିୟର ଆରମ୍ଭରେ ସେ କେବଳ କିଛି ସେକେଣ୍ଡ ପାଇଁ ପରଦାରେ ନଜର ଆସୁଥିଲେ | କିନ୍ତୁ ଆଜି ଖଳନାୟକଠାରୁ ଆରମ୍ଭ କରି ବିଭିନ୍ନ ଭୂମିକାରେ ଅଭିନୟ କରୁଛନ୍ତି | ଶ୍ରେୟସ୍ ତଲପଡେ ଅମିତାଭ ବଚ୍ଚନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଆଁଖେ’ରୁ କ୍ୟାରିୟର ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରରେ ଶ୍ରେୟସଙ୍କୁ ମାତ୍ର କିଛି ସେକେଣ୍ଡ ପାଇଁ ଦେଖିବାକୁ ମିଳିଥିଲା | ​​ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ନିଜ କ୍ୟାରିୟର ଆରମ୍ଭରେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ |

ସେ ଅମିତାଭ ବଚ୍ଚନଙ୍କ ପ୍ରଥମ ଚଳଚ୍ଚିତ୍ରରେ ଏକ ଛୋଟ ଭୂମିକାରେ ନଜର ଆସିଥିଲେ। ଯେଉଁଥିରେ ତାଙ୍କ ଚରିତ୍ରର ନାମ ମଧ୍ୟ ନଥିଲା। ଦିଆ ମିର୍ଜା ବର୍ତ୍ତମାନ ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀ ତାଲିକାରେ ଯଦିଓ ଅନ୍ତର୍ଭୁକ୍ତ ହୋଇଛନ୍ତି, କିନ୍ତୁ ନିଜର କ୍ୟାରିଅର୍ ନୃତ୍ୟଶିଳ୍ପୀ ଭାବେ ଆରମ୍ଭ କରିଥିଲେ | ପ୍ରଥମ ଥର ପାଇଁ ଦିଆଙ୍କୁ ଏକ ତାମିଲ ଚଳଚ୍ଚିତ୍ର ଗୀତରେ ନୃତ୍ୟଶିଳ୍ପୀ ଭାବରେ ଦେଖିବାକୁ ମିଳିଥିଲା |

ସମ୍ବନ୍ଧିତ ଖବର