ଗତ ଦୁର୍ଗାପୂଜାରେ ଚାରିଟି ଓଡ଼ିଆ ଛବି ମୁକ୍ତିଲାଭ କରିଥିଲା ବେଳେ ଏଥର ଦୁଇଟି ଛବିରେ ଦର୍ଶକଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଗତବର୍ଷ ଦର୍ଶକ ଯେଉଁ କଳାକାରଙ୍କ ଅଭିନୟ ଦେଖି ଆନନ୍ଦିତ ହୋଇଥିଲେ,ଏଥର ପୂଜା ସିନେମାରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନୁପସ୍ଥିତ।
ଶିବଶଙ୍କର ଓଝା
୨୦୨୪ ପୂଜା ବଜାରରେ ଚାରିଟି ଓଡ଼ିଆ ଛବି ରିଲିଜ୍ ହୋଇଥିଲା। ସେଥିରେ ଅଭିନୟ କରିଥିବା କେତେକ ଚିହ୍ନା କଳାକାରଙ୍କୁ ଏଥର ଦଶହରାରେ ବଡ଼ ପରଦାରେ ଦେଖିବାକୁ ମିଳିନାହିଁ। ଗତଥର ପୂଜାରେ ‘ଖୋକା ଭାଇ ତମପାଇଁ’ ଜରିଆରେ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ ନାୟକ ସ୍ବରାଜ। ଏଥର ସେ ଅନୁପସ୍ଥିତ। ସେହିପରି ଏହି ଛବିରେ ସ୍ବରାଜଙ୍କ ନାୟିକା ଥିବା ଲକି ମନୀଷା ଏବଂ ଅନ୍ୟ ଦୁଇ ଅଭିନେତ୍ରୀ ଉପାସନା ଓ ଅଙ୍କିତା ଦାଶ କୌଣସି ଛବିରେ ନାହାନ୍ତି। ଏ ଚାରିଜଣଙ୍କୁ ଏଥର ଦଶହରାର କୌଣସି ଓଡ଼ିଆ ଛବିରେ ଦେଖିବାକୁ ମିଳିନାହିଁ। ‘ଖୋକା ଭାଇ ତମପାଇଁ’ର ଅନ୍ୟତମ ନାୟକ ଏବଂ ଗତବର୍ଷର ପୂଜା ଛବି ‘ଦୁର୍ଗା’ରେ ନଜର ଆସିଥିବା ସରୋଜ ପରିଡ଼ାଙ୍କର ବି ଏଥର ଦେଖା ମିଳିନି। ଏଣେ ଗତବର୍ଷ ପୂଜାରେ ରୀୟା ଦେଙ୍କୁ ‘ଦୁର୍ଗା’ରେ ଏକ ଆଇଟମ୍ ଗୀତ ‘ପ୍ରୀତମ୍ ପ୍ୟାରେ...’ରେ ଦେଖିବାକୁ ମିଳିଥିଲା। ହେଲେ ଏଥର ଅନୁପସ୍ଥିତ ତାଲିକାରେ ଅଛନ୍ତି ସେ। ଠିକ୍ ସେହିପରି ‘ଦୁର୍ଗା’ରେ ଅଭିନୟ କରିଥିବା ପୁନମ୍ ମିଶ୍ର, ଅଭିଷେକ ଗିରି ଓ ରାଜ ରାଜେଶ ବି ୨୦୨୫ ପୂଜା ବଜାରରେ ଅନୁପସ୍ଥିତ ଅଛନ୍ତି। ୨୦୨୪ ପୂଜା ସିନେମା ‘ଭିଲେନ୍’ର ନାୟିକା ତମନ୍ନାଙ୍କୁ ବି ଏଥର ଦେଖିବାକୁ ମିଳିଲା ନାହିଁ। ଗତବର୍ଷର ଦଶହରା ସିନେମା ‘କର୍ମ’ରେ ନଜର ଆସିଥିବା ସୂର୍ଯ୍ୟମୟୀ, ମନ୍ମୟ, ଦିବ୍ୟାଦିଶା, ସନୋଜ ଓ ନିଶାନ୍ତ ମଜିଠିଆ ପ୍ରମୁଖଙ୍କ ଅଭିନୀତ କୌଣସି ଓଡ଼ିଆ ଛବି ଚଳିତ ପୂଜାରେ ନାହିଁ।
ଅନ୍ୟପକ୍ଷରେ ‘କର୍ମ’ର ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, ‘ଭିଲେନ୍’ର ନିର୍ଦ୍ଦେଶକ ମୁରଲୀକ୍ରିଷ୍ଣା ଓ ‘ଖୋକା ଭାଇ ତମପାଇଁ’ ର ନିର୍ଦ୍ଦେଶକ ଗିରିଶ ମହାନ୍ତିଙ୍କର ସିନେମା ପରଦାକୁ ଆସିନାହିଁ। ସେହିପରି ୨୦୨୪ ପୂଜାରେ ଫିଲ୍ମ ଭେଟି ଦେଇଥିବା ପ୍ରଯୋଜକ କୁମାର ପ୍ରୀତମ୍ ସାହୁ, ବର୍ଷା ପଟ୍ଟନାୟକ, ଅନୁପମ ପଟ୍ଟନାୟକ, ଶୁଭେନ୍ଦୁ କୁମାର ସାହୁ ବି ଅନୁପସ୍ଥିତ ଅଛନ୍ତି। ତେଣେ ସଙ୍ଗୀତକାର ଅଭିଜିତ ମଜୁମଦାର(ଦୁର୍ଗା), ଜାପାନୀଭାଇ (ଭିଲେନ୍) ଓ ଆଶିଷ ପ୍ରଧାନ (କର୍ମ) ବି ଏହି ତାଲିକାରେ ରହିଛନ୍ତି। ସେହିପରି କାହାଣୀକାର/ ସଂଳାପକାର ଭରଦ୍ବାଜ ପଣ୍ଡା (ଖୋକା ଭାଇ ତମପାଇଁ) ଓ ଦେବୀଦତ୍ତ ମହାନ୍ତି (ଭିଲେନ୍)ଙ୍କ ଲିଖିତ ଓଡ଼ିଆ ଛବି ଏଥର ପୂଜାରେ ଆସିନାହିଁ। ଏଣେ ଜଣାଶୁଣା ସିନେମାଟୋଗ୍ରାଫର୍ ଧ୍ରୁବାନନ୍ଦ ପଣ୍ଡା (ଖୋକା ଭାଇ ତମପାଇଁ), ଦୀପକ କୁମାର(କର୍ମ) ଓ ରଣଜିତ ସାହୁ(ଦୁର୍ଗା) ବି ଅନୁପସ୍ଥିତ ତାଲିକରେ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/05/sfssfsccc-2025-10-05-04-59-48.jpg)