‘ଦ କାଶ୍ମୀର ଫାଇଲ୍‌ସ’ ଦେଖି ଅନୁପମ ଖେରଙ୍କୁ କ’ଣ କହିଲେ ସଲମାନ?

ମୁମ୍ବାଇ: ବିବେକ ଅଗ୍ନିହୋତ୍ରୀଙ୍କ ନିର୍ମିତ ଫିଲ୍ମ ‘ଦ କାଶ୍ମୀର ଫାଇଲ୍‌ସ’ ୨୦୦ ଟପି ୩୦୦ କୋଟି କ୍ଲବ୍‌ରେ ସାମିଲ୍ ହେବାକୁ ଅଗ୍ରସର ହେଉଛି। ଏପାଖେ ଏହାକୁ ନେଇ ବିବାଦ ଉପୁଜୁଥିବା ବେଳେ ସେପାଖେ ପ୍ରେକ୍ଷାଳୟରେ ଦର୍ଶକଙ୍କ ଖଚାଖଚ୍ ଭିଡ଼ ଦେଖିବାକୁ ମିଳୁଛି। କିଏ ସିନେମା ହଲ୍‌ରୁ ବାହାରିବା ବେଳକୁ ବିଦ୍ରୋହପରାୟଣ ହେଇଉଠୁଛି ତ ଆଉ କାହାର ଆଖି ଲୁହରେ ଜୁଡୁବୁଡୁ ହେଇଥିବାର ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ବଲିଉଡର ଦବଙ୍ଗ ଖାନ ସଲମାନ ଫିଲ୍ମଟିକୁ ଦେଖିବା ପରେ କିଭଳି ପ୍ରତିକ୍ରିୟା ଦେଇଥିଲେ ତାହା ଜଣାଇଛନ୍ତି ଅଭିନେତା ଅନୁପମ ଖେର୍।

ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଅନୁପମ ଖେର ଫିଲ୍ମ ଦେଖିବା ପରେ ତାଙ୍କ ସହ କଥା ହୋଇଥିବା କଳାକାରଙ୍କ ବିଷୟରେ କହିଥିଲେ। ଅନୁପମ ଖେର କହିଥିଲେ ‌ଯେ, ବ୍ୟକ୍ତିଗତ ଭାବେ ମୁଁ କହିବି ଯେ ସଲମାନ ଖାନ ରିଲିଜ୍ ପରଦିନ ମୋତେ ଫୋନ କରି ଅଭିନନ୍ଦନ ଜଣାଇଥିଲେ ଏବଂ ଫିଲ୍ମର ଖୁବ ପ୍ରଶଂସା କରିଥିଲେ।

ସଲମାନ ଖାନଙ୍କ ସହ ଅନୁପମ ଖେରଙ୍କ ସମ୍ପର୍କ ଅତ୍ୟନ୍ତ ସ୍ୱତନ୍ତ୍ର ଏବଂ ପୁରୁଣା। ବଲିଉଡର ଉଭୟ ତାରକା ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। ଅନୁପମ ଖେର ସଲମାନ ଖାନଙ୍କ ସହ ପ୍ରେମ ‘ରତନ ଧନ ପାୟୋ’, ‘ଜାନ-ଇ-ମନ୍’ ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି।

୧୯୯୦ ଦଶକର କଥା। ସେତେବେଳେ କାଶ୍ମୀରରେ ପଣ୍ଡିତମାନଙ୍କ ଉପରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଅତ୍ୟାଚାର ଏବଂ ରାଜ୍ୟରୁ ପଣ୍ଡିତମାନଙ୍କ ପଳାୟନ ଉପରେ ଆଧାରିତ ଏହାର କାହାଣୀ। ଏଥିରେ ଅନୁପମ୍ ଖେର, ମିଥୁନ ଚକ୍ରବର୍ତ୍ତୀ, ଦର୍ଶନ କୁମାର, ପଲ୍ଲବୀ ଯୋଶୀ, ଚିନ୍ମୟ ମାଣ୍ଡଲେକର, ପ୍ରକାଶ ବେଲାୱାଡି, ପୁନିତ ଇସାର, ଭାଷା ସମ୍ବଲୀ, ସୌରଭ ବର୍ମା, ମୃଣାଳ କୁଲ୍‌କର୍ଣ୍ଣି, ଅତୁଲ ଶ୍ରୀବାସ୍ତବ, ପୃଥ୍ବୀରାଜ ସରନାଇକ୍‌, ଅମନ୍‌ ଇକବାଲ୍ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି। ଚଳଚ୍ଚିତ୍ରକୁ ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଭୁରି ଭୁରି ପ୍ରଶଂସା କରିଛନ୍ତିି। ଏପରିକି କେତେକ ରାଜ୍ୟରେ ଏଇ ଚଳଚ୍ଚିତ୍ର ଉପରୁ ଟିକସ ଛାଡ଼ କରାଯାଇଛି।

ସମ୍ବନ୍ଧିତ ଖବର