ଏମିତି ଅନେକ କାଳଜୟୀ ଚଳଚ୍ଚିତ୍ର ଅଛି ଯେଉଁଥିରେ ସିନେମା ନିର୍ଦେଶକ ଓ ଅଭିନେତାମାନେ ହେଉଛନ୍ତି କାହାଣୀର ମୁଖ୍ୟ ଚରିତ୍ର। ସେସବୁରେ ତାରକାଙ୍କ ଲୋକପ୍ରିୟତା, ନିର୍ମାଣ କୌଶଳ, ବ୍ୟକ୍ତିଗତ ଅଭିଜ୍ଞତା, କଳ୍ପନାବିଳାସ ଆଦି ଜରିଆରେ ପରଦା ଓ ବାସ୍ତବ ଜୀବନ ଭିତରେ ଥିବା ବିଭାଜନ ରେଖାକୁ ଲିଭାଇଦେବାକୁ ଉଦ୍ୟମ କରାଯାଇ ଆସିଛି। ପୁଣି ପ୍ରେକ୍ଷାଳୟର ଅଭିଜ୍ଞତା, ସ୍ମୃତି, ପ୍ରଭାବ ଓ ସଂସ୍କୃତିକୁ କେତେକ ଚଳଚ୍ଚିତ୍ରରେ ଯାଦୁକରୀ ଢଙ୍ଗରେ ନିର୍ମାତାମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ୧୯୮୮ର ‘ସିନେମା ପାରାଡିସୋ’ ସେଭଳି ଏକ ଚଳଚ୍ଚିତ୍ର। ସେଥିରେ ଇଟାଲିର ଏକ ଅଜ୍ଞାତ ଗାଁରୁ ଆସି ରୋମ୍‌ରେ ପ୍ରସିଦ୍ଧି ଅର୍ଜନ କରିଥିବା ନିର୍ଦେଶକ ସାଲ୍‌ଭାଟୋର ଡି ଭିଟା ତିରିଶ ବର୍ଷ ହେଲା ଗାଁକୁ ଫେରି ନଥାନ୍ତି। ଏହା ପଛର କାରଣ ଜଣାପଡ଼େ ଏକ ନିର୍ଣ୍ଣାୟକ ଦୃଶ୍ୟରେ। ସେଥିରେ ତାଙ୍କ ଶୁଭାକାଂକ୍ଷୀ ବୃଦ୍ଧ ଆଲ୍‌ଫ୍ରେଡୋ ତରୁଣ ସାଲ୍‌ଭାଟୋରଙ୍କୁ ରୁକ୍ଷ ସ୍ବରରେ କହୁଛନ୍ତି, “ତୁ ସବୁଦିନ ପାଇଁ ଏ ଗାଁ ଛାଡ଼ି ଚାଲି ଯା, କେବେ ଏଠାକୁ ଫେରିବୁନି, ଏ ଜାଗା କଥା ମନେ ପକାଇବୁ ନାହିଁ। ଏ ଛୋଟ ଗାଁରେ ତୋ ବିରାଟ ସ୍ବପ୍ନ କେବେ ପୂରା ହୋଇପାରିବ ନାହିଁ।’’ ନିର୍ଦ୍ଦିଷ୍ଟ ଭାବେ ଏ ଦୃଶ୍ୟ ମନେ ପଡ଼ିବାର କାରଣ ହେଲା ‘ସୁପର୍‌ବଏଜ୍‌ ଅଫ୍‌ ମାଲେଗାଓଁ’ ଉକ୍ତ ସିନେମାର ମୂଳ ବାର୍ତ୍ତାକୁ ଭୁଲ୍ ପ୍ରମାଣିତ କରିଛି। ‘ସିନେମା ପାରାଡିସୋ’ରେ ନିର୍ଦେଶକ ଚରିତ୍ରକୁ ସଫଳତା ଲାଗି ସବୁଦିନ ପାଇଁ ଗାଁ ଛାଡ଼ିବାକୁ ପଡ଼ିଥିବାବେଳେ ମାଲେଗାଓଁର ନାସିର (ଆଦର୍ଶ ଗୌରବ) ଆରମ୍ଭରୁ ଗାଉଛନ୍ତି, ‘ସଉକ ରଖି କ’ଣ କରିବି, ମାଲେଗାଓଁରେ ହିଁ ତ ମରିବି!’ ନିଜ ମୂଳକୁ ନ ଛାଡ଼ି ଉଡ଼ିବାର ସ୍ବପ୍ନ ଦେଖିବାରେ କିଛି ଭୁଲ୍ ନାହିଁ ବୋଲି ହୃଦୟସ୍ପର୍ଶୀ ବାର୍ତ୍ତା ଦେଇଛି ‘ସୁୁପର୍‌ବଏଜ୍‌ ଅଫ୍ ମାଲେଗାଓଁ’। 

Advertisment

ମହାରାଷ୍ଟ୍ରର ଏକ ମୁସଲମାନବହୁଳ ଛୋଟ ସହର ହେଉଛି ମାଲେଗାଓଁ। ୧୯୯୭ରେ ଏକ ପ୍ରେକ୍ଷାଳୟ ଚଳାଉଥିବା ନାସିର ଘଟଣାକ୍ରମେ ବନ୍ଧୁମାନଙ୍କ ସହ ମିଶି ସିନେମା ନିର୍ମାଣ ଆରମ୍ଭ କରନ୍ତି। ସୀମିତ ସମ୍ବଳ ଓ ସଂସାଧନରେ ନିର୍ମିତ ସେମାନଙ୍କ ପ୍ରଥମ ସିନେମା (ଶୋଲେ ଛାୟାରେ ନିର୍ମିତ) - ‘ମାଲେଗାଓଁ କେ ଶୋଲେ’ - ସେ ସହରରେ ଖୁବ୍ ଲୋକପ୍ରିୟ ହୁଏ। ମୌଳିକ କାହାଣୀକୁ ନେଇ ଦ୍ବିତୀୟ ସିନେମା କରିବା ପାଇଁ ଲେଖକ ଫାରଗ (ବିନୀତ କୁମାର ସିଂହ)ଙ୍କ ପ୍ରସ୍ତାବକୁ ନିର୍ଦେଶକ ନାସିର ଖାରଜ କରିଦେବା ପରେ ବନ୍ଧୁ ଗୋଷ୍ଠୀ ଭାଙ୍ଗିଯାଏ। ଏହା ପରେ ନାସିରଙ୍କ ଚଳଚ୍ଚିତ୍ରଗୁଡ଼ିକ ଲଗାତାର ବିଫଳ ହେବାରୁ ତାଙ୍କୁ ପ୍ରେକ୍ଷାଳୟ ବନ୍ଦ କରି ସେଠାରେ ରେସ୍ତୋରାଁ ଖୋଲିବାକୁ ପଡ଼େ। ସେପଟେ ମୁମ୍ବାଇରେ ବଲିଉଡ୍‌ର ଅର୍ଥସର୍ବସ୍ବ ପ୍ରଯୋଜକଙ୍କ ଲାଗି ନିଜ କାହାଣୀ ସହ ସାଲିସ କରିବାକୁ ଅମଙ୍ଗ ଫାରଗଙ୍କୁ ନିଜ ସହରକୁ ଫେରିବାକୁ ପଡ଼େ। ଶେଷରେ ଏକ ଅପ୍ରତ୍ୟାଶିତ ଝଡ଼ ସବୁ ବନ୍ଧୁଙ୍କୁ ଏକାଠି କରେ ଏବଂ ସେମାନେ ଜୀବନର ସବୁଠାରୁ ମହତ୍ତ୍ବାକାଂକ୍ଷୀ ସିନେମା ନିର୍ମାଣରେ ଲାଗିପଡ଼ନ୍ତି। 

ଏହି ଚଳଚ୍ଚିତ୍ର ପ୍ରାୟ ସବୁ ପ୍ରକାର ଦର୍ଶକଙ୍କୁ ବିମୋହିତ କରିବା ସୁନିଶ୍ଚିତ, କାରଣ ଏହାର କାହାଣୀ ଓ ଚରିତ୍ରମାନଙ୍କ ଭିତରେ ସମସ୍ତେ ନିଜକୁ ଆବିଷ୍କାର କରିପାରିବେ। ଏହାର ଶ୍ରେୟ ପ୍ରବୀଣ ଅଭିନେତାମାନଙ୍କୁ ଯେତିକି ମିଳିବା କଥା, ସେତିକି ଏହାର ନିର୍ଦେଶିକା ରୀମା ଓ କାହାଣୀ ଲେଖକ ବରୁଣ ଗ୍ରୋଭରଙ୍କୁ ମିଳିବା ବିଧେୟ। କାହାଣୀ ଲେଖକ ଓ ଗୀତିକାରଙ୍କୁ ଯଥାର୍ଥ ଶ୍ରେୟ ଓ ପାରିତୋଷିକ ପ୍ରଦାନ ଲାଗି ବରୁଣ ଲଗାତାର ସ୍ବର ଉଠାଇ ଆସିଛନ୍ତି। ତେବେ ଲେଖକଙ୍କ ଗୁରୁତ୍ବ ନେଇ ସବୁଠାରୁ ଶକ୍ତିଶାଳୀ ବାର୍ତ୍ତାକୁ ସେ ଏହି କାହାଣୀରେ ସାମିଲ କରିଛନ୍ତି- ମଧ୍ୟାନ୍ତର ପୂର୍ବରୁ ନିର୍ଦେଶକ ଚରିତ୍ରକୁ ଲେଖକ ବନ୍ଧୁ କହିଦେଇ ଯାଉଛି ‘ଲେଖକ ହେଉଛି ବାପ!’ ଚଳଚ୍ଚିତ୍ର ଶେଷ ଆଡ଼କୁ ନିର୍ଦେଶକ ବନ୍ଧୁ ସ୍ବୀକାରପୂର୍ବକ ସେହି ସଂଳାପକୁ ନିଜେ ଆବୃତ୍ତି କରୁଛି। ମୁଖ୍ୟ ଚରିତ୍ରଙ୍କ ଛଡ଼ା ଦୁଇ ନାରୀ ଚରିତ୍ର ଶବିନା ଓ ତୃପ୍ତି ରକ୍ଷଣଶୀଳ ପରିବେଶରେ ନିଜ ସ୍ବପ୍ନ ଓ ସ୍ବାଧୀତନା ପାଇଁ ଲଢ଼େଇ କରୁଥିବାର ଅବତାରଣା କମ୍ ରୋଚକ ନୁହେଁ। ସିନେମାର ଆବେଦନ କେତେ ଶକ୍ତିଶାଳୀ ହୋଇପାରେ ତାହାର ସଦ୍ୟ ଉଦାହରଣ ହେଉଛି ଏ ଚଳଚ୍ଚିତ୍ର। ଭାରତରେ ସିନେମାକୁ ଅଧିକ ଗଣତାନ୍ତ୍ରିକ କରିବାରେ ଏହାର ନାୟକମାନଙ୍କ ଅବଦାନକୁ ବୁଝିବା ପାଇଁ ବି ଏହି ସିନେମା ଦେଖିବା ଜରୁରି। ଟଙ୍କା ବିନିମୟରେ ତମାଖୁର ପ୍ରଚାର କରୁଥିବା ବଲିଉଡ୍‌ ନିର୍ଦେଶକ ଓ ତାରକାଙ୍କୁ ଏହା ଯୁକ୍ତିଯୁକ୍ତ ଭାବେ ସମାଲୋଚନା କରିଛି। ବାସ୍ତବ କାହାଣୀକୁ ମୋଡ଼ିମକଚି ଆଜିକାଲି ଗଣ୍ଡାଗଣ୍ଡା ସିନେମା ନିର୍ମାଣ ହେଉଥିବା ବେଳେ ‘ସୁପର୍‌ବଏଜ୍‌ ଅଫ ମାଲେଗାଓଁ’ ମୂଳ କାହାଣୀ ଓ ଚରିତ୍ରମାନଙ୍କ ଆତ୍ମାକୁ ଅକ୍ଷତ ରଖିପାରିବା ଏକ ବିରଳ ସଫଳତା ନିଶ୍ଚୟ।