୨୦୧୭ ବର୍ଷ ଏକ ଘଟଣା ବହୁଳ ବର୍ଷ ବୋଲି କୁହାଯାଇପାରେ।ଏ ବର୍ଷ ପରଦାକୁ କେତେକ ଲୋକପ୍ରିୟ ହିରୋ-ହିରୋଇନ୍ ଯୋଡ଼ି ଫେରିଛନ୍ତି। ଆସନ୍ତୁ ସେଭଳି ଯୋଡ଼ିଙ୍କ ଉପରେ ନଜର ପକାଇବା।…
ସିଦ୍ଧାନ୍ତ-ଅନୁ ଚୌଧୁରୀ:୨୦୧୭ର ପ୍ରଥମ ଦିନ ନୂଆବର୍ଷ ଦିନ ଯେଉଁ ଦୁଇଟି ଓଡ଼ିଆ ଛବି ମୁକ୍ତିଲାଭ କରିଥିଲା,ସେଥିମଧ୍ୟରୁ ଗୋଟିକରେ ନଜର ଆସିଥିଲେ ଓଲିଉଡ଼୍ର ପପୁଲାର୍ ପେଆର୍ ସିଦ୍ଧାନ୍ତ-ଅନୁ ଚୌଧୁରୀ।ଏହି ଯୋଡ଼ିଙ୍କୁ ଦର୍ଶକ ଭେଟିଥିଲେ ରମେଶ ରାଉତଙ୍କ ନିର୍ଦ୍ଦେଶିତ ତଥା ଯୁଗାଂଶୁ ଶେଖର ପଣ୍ଡାଙ୍କ ପ୍ରଯୋଜିତ ଓଡ଼ିଆ ଛବି ‘ଗଡ଼୍ଫାଦର୍’ରେ। ପୂର୍ବରୁ କିଛି ବର୍ଷଁ ହେବ ପରଦାରେ ଏହି ଲୋକପ୍ରିୟ ଯୋଡ଼ିକୁ ଦେଖିବାକୁ ପାଇନଥିଲେ ଦର୍ଶକ।

ଅରିନ୍ଦମ୍-ବର୍ଷା ପ୍ରିୟଦର୍ଶିନୀ:ଏ ବର୍ଷର ଅନ୍ୟ ଯେଉଁ ହିଟ୍ ଯୋଡ଼ି ପରଦାକୁ ଫେରିଥିଲେ ତାହା ହେଲା ଅରିନ୍ଦମ୍ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ଯୋଡ଼ି। ୨୦୧୭ର ଏହି ଯୋଡ଼ିଙ୍କୁ ଯେଉଁ ସିନେମାରେ ଦେଖିବାକୁ ପାଇଥିଲେ ଦର୍ଶକ, ତାହା ହେଲା ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ‘ରୋମିଓ -ଜୁଲିଏଟ୍’। ପୂର୍ବରୁ ଏହି ଯୋଡ଼ିଙ୍କ ଫିଲ୍ମ ‘ଏ ମନ ମାନେନା’ଓ ‘ପର୍ଶୁରାମ’ ବକ୍ସ ଅଫିସ୍ରେ ସଫଳ ହୋଇଥିଲା।

ଆକାଶ-ଅର୍ଚ୍ଚିତା:ଆକାଶ ଓ ଅର୍ଚ୍ଚିତାଙ୍କ ଯୋଡ଼ି ଥରେ ହିଟ୍ ହୋଇଥିଲା ଆଉ ଥରେ ଫ୍ଲପ୍।ହଁ ଆକାଶ-ଅର୍ଚ୍ଚିତାଙ୍କ ଅଭିନୀତ ଫିଲ୍ମ ‘ଆଲୋ ମୋର କଣ୍ଢେଇ’ହିଟ୍ ହୋଇଥିଲା,ମାତ୍ର ‘ଶପଥ’ଫ୍ଲପ୍ ହୋଇଥିଲା। ସେ ଯା’ ହେଉନା କାହିଁକି ବେଶ୍ କିଛି ବର୍ଷର ବ୍ୟବଧାନରେ ଏହି ପପୁଲାର୍ ଯୋଡ଼ି ୨୦୧୭ର ସିନେମା ‘ଜଷ୍ଟ୍ ମୋହବତ୍’ରେ ନଜର ଆସିଥିଲେ ।

ଅରିନ୍ଦମ୍-ଅର୍ଚ୍ଚିତା:ଅତୀତରେ ‘ତୋ ପାଇଁ ନେବି ମୁଁ ଶହେ ଜନମ’,‘ମୁଁ ସପନର ସୌଦାଗର’ ଓ ‘ରାଜା ଝିଅ ସଙ୍ଗେ ହୋଇଥିଲା ଭାବ’ଭଳି ତିନି ତିନିଟି ହିଟ୍ ଓଡ଼ିଆ ଛବିର ଲୋକପ୍ରିୟ ଯୋଡ଼ି ଅରିନ୍ଦମ୍-ଅର୍ଚ୍ଚିତା ପ୍ରାୟ ପାଞ୍ଚ ବର୍ଷ ବ୍ୟବଧାନରେ ପରଦାକୁ ଫେରିଥିଲେ। ଏଥର ଏହି ଯୋଡ଼ି ଅରିନ୍ଦମ୍ ରାୟଙ୍କ ପ୍ରଯୋଜିତ ତଥା ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ‘ଶିବା ନଟ୍ ଆଉଟ୍’ରେ ଅଭିନୟ କରିଥିଲେ।