ଏଥର ରଜରେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ତିନିତିନିଟି ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ଏହି ସିନେମାଗୁଡ଼ିକ ହେଲା ‘ବୋଉ ବୁଟୁ ଭୂତ’, ‘ଅନନ୍ତା’ ଓ ‘ଫାଷ୍ଟ୍ ଲଭ୍’। ଶ୍ରୀଧର ମାର୍ଥା ଓ କିଶୋର ନାୟକଙ୍କ ପ୍ରଯୋଜିତ ‘ଫାଷ୍ଟ୍ ଲଭ୍’ ଜୁନ୍ ୬ ତାରିଖରେ ପରଦାକୁ ଆସିବା ଲାଗି ସଜବାଜ ହେଉଥିବା ବେଳେ ଅନ୍ୟ ଦୁଇଟି ରଜ ସମୟରେ ହିଁ ଆସିବ। ଏ ଦୃଷ୍ଟିରୁ ରଜରେ ମୁଖ୍ୟ ଟକ୍କର ‘ବୋଉ ବୁଟୁ ଭୂତ’ ଓ ‘ଅନନ୍ତା’ ମଧ୍ୟରେ ହେବ ବୋଲି କୁହାଯାଉଛି।
ଶିବଶଙ୍କର ଓଝା
୭ ବର୍ଷ ପରେ ରଜରେ ସବ୍ୟସାଚୀ ଓ ବାବୁସାନ୍ ମୁହାଁମୁହିଁ
ପ୍ରାୟ ୭ ବର୍ଷ ପରେ ଏଥର ରଜରେ ଓଲିଉଡ୍ର ଦୁଇ ଲୋକପ୍ରିୟ ନାୟକ ସବ୍ୟସାଚୀ ଓ ବାବୁସାନ୍ ମୁହାଁମୁହିଁ ହେବେ। ‘ବୋଉ ବୁଟୁ ଭୂତ’ରେ ବାବୁସାନ୍ ଓ ‘ଅନନ୍ତା’ରେ ସବ୍ୟସାଚୀ ନାୟକ ଭୂମିକାରେ ଅଛନ୍ତି। ଏ ଦୁଇ ନାୟକ ନିଜ ନିଜ ଫିଲ୍ମ ଜରିଆରେ ଶେଷଥର ଲାଗି ମୁହାଁମୁହିଁ ହୋଇଥିଲେ ୨୦୧୮ ରଜରେ। ସେହି ବର୍ଷ ରଜରେ ସବ୍ୟସାଚୀଙ୍କ ଅଭିନୀତ ‘ଫୋର୍ ଇଡିଅଟ୍ସ’ ଓ ବାବୁସାନ୍ଙ୍କ ଅଭିନୀତ ‘ସୁନ୍ଦରଗଡ଼ର ସଲ୍ମାନ୍ ଖାନ୍’ ମୁକ୍ତିଲାଭ କରିଥିଲା। ସେଥର ବାବୁସାନ୍ଙ୍କ ସିନେମା ଅଧିକ ଆଦୃତ ହୋଇଥିଲା। ବାବୁସାନ୍ଙ୍କ ଅଭିନୀତ ଗତବର୍ଷର ରଜ ସିନେମା ‘ପାବାର୍’ ହିଟ୍ ହୋଇଥିଲା, ତେଣେ ସବ୍ୟସାଚୀଙ୍କ ଶେଷ ମୁକ୍ତିପ୍ରାପ୍ତ ସିନେମା ‘ପୁଷ୍କରା’କୁ ବି ଭଲ ଦର୍ଶକୀୟ ସମର୍ଥନ ମିଳିଥିଲା। ଏଥର କ’ଣ ଘଟୁଛି, ତାହା ଉପରେ ସମସ୍ତଙ୍କର ନଜର ରହିଛି।
ଅଭିଜ୍ଞ ବନାମ ନବାଗତ ନିର୍ଦ୍ଦେଶକ
‘ସବୁ ମାୟାରେ ବାୟା’, ‘ବୋଉ’, ‘ବାହୁଡ଼ିବେ ମୋ ଜଗାବଳିଆ’ ଓ ‘ଶ୍ରୀଜଗନ୍ନାଥ’ ଭଳି ବ୍ୟାବସାୟିକ ଛବିର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ବ୍ୟାସକବି ଫକୀରମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ‘ରାଣ୍ଡି ପୁଅ ଅନନ୍ତା’ର କାହାଣୀ ଆଧାରରେ ‘ଅନନ୍ତା’ ନିର୍ମାଣ କରିଛନ୍ତି। ଅବଶ୍ୟ କୁମାର ସି ଦେବ ମଧ୍ୟ ଏହାର ନିର୍ଦ୍ଦେଶକ। ତେଣେ ‘ବୋଉ ବୁଟୁ ଭୂତ’ ଜଗଦୀଶ ମିଶ୍ରଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଛବି। ସେ ଏହା ପୂର୍ବରୁ ‘ଗ୍ୟାଙ୍ଗସ୍ ଅଫ୍ ପୁରୀ’ ଭଳି ଲୋକପ୍ରିୟ ୱେବ୍ ସିରିଜ୍ର ଅନ୍ୟତମ ନିର୍ଦ୍ଦେଶକ ଥିଲେ। ସେହିପରି ‘ଫାଷ୍ଟ୍ ଲଭ୍’ ହେଉଛି ଅଭିଷେକ ମିତ୍ରଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଛବି। ତେଣୁ ଏଥର ଜଣେ ଅଭିଜ୍ଞ ନିର୍ଦ୍ଦେଶକଙ୍କ ଛବି ସହ ସଂପୂର୍ଣ୍ଣ ନବାଗତ ନିର୍ଦ୍ଦେଶକଙ୍କ ଚଳଚ୍ଚିତ୍ର ବକ୍ସ ଅଫିସ୍ରେ ଲଢ଼ିବ।
କଳାକାର ଦମ୍ପତିଙ୍କ ଲଢ଼େଇ
କଳାକାର ଦମ୍ପତି ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ମଧ୍ୟରେ ବି ଏଥର ରୋଚକ ଲଢ଼େଇ ଦେଖିବାକୁ ମିଳିବ। କାରଣ ଏଥର ଦୁହେଁ ଏକାଠି ଗୋଟିଏ ଛବିରେ ଆସୁନାହାନ୍ତି। ଉଭୟେ ପ୍ରତିପକ୍ଷ ଛବିର ମୁଖ୍ୟ କଳାକାର। ‘ବୋଉ ବୁଟୁ ଭୂତ’ରେ ଅର୍ଚ୍ଚିତା ବାବୁସାନ୍ଙ୍କ ନାୟିକା ସାଜିଥିବା ବେଳେ ସବ୍ୟସାଚୀ ‘ଅନନ୍ତା’ର ନାୟକ। ସବ୍ୟ-ଅର୍ଚ୍ଚିତା ବିବାହ ବନ୍ଧନରେ ବାନ୍ଧି ହେବା ପରେ ପ୍ରଥମଥର ଲାଗି ଏଭଳି ରୋଚକ ସ୍ଥିତି ଉପୁଜିଛି। ଉଲ୍ଲେଖଯୋଗ୍ୟ, ଅର୍ଚ୍ଚିତା ‘ଅନନ୍ତା’ର ଅନ୍ୟତମ ପ୍ରଯୋଜିକା ମଧ୍ୟ।
ରଜରେ ପ୍ରଥମଥର
l ବ୍ୟାସକବି ଫକୀରମୋହନ ସେନାପତିଙ୍କ ସାହିତ୍ୟକୃତି ଉପରେ ଆଧାରିତ କୌଣସି ସିନେମା ପ୍ରଥମ ଥର ରଜରେ ରିଲିଜ୍ ହେବ।
l ‘ଅନନ୍ତା’ରେ ପ୍ରଥମଥର ପାଇଁ ସବ୍ୟସାଚୀଙ୍କ ବିପକ୍ଷରେ ନାୟିକା ଭୂମିକାରେ ସୂର୍ଯ୍ୟମୟୀ ନଜର ଆସିବେ।
l ଅନୁଭବଙ୍କ ପତ୍ନୀ ଜାଗୃତି ଓ ବାବୁସାନ୍ଙ୍କ ପତ୍ନୀ ତୃପ୍ତିଙ୍କ ପରେ ସବ୍ୟସାଚୀଙ୍କ ଅଭିନେତ୍ରୀ ପତ୍ନୀ ଅର୍ଚ୍ଚିତା ସାହୁ ‘ଅନନ୍ତା’ ଜରିଆରେ ପ୍ରଯୋଜିକା ତାଲିକାଭୁକ୍ତ ହୋଇଛନ୍ତି।
l ପ୍ରଥମ ଥର ପାଇଁ ରଜବଜାରରେ ବାବୁସାନ୍-ଅର୍ଚ୍ଚିତା ଯୋଡ଼ିର ଏକ ସିନେମା ମୁକ୍ତିଲାଭ କରିବ। ଶୈଳେନ୍ଦ୍ର-ଦିବ୍ୟା ଯୋଡ଼ିଙ୍କ କ୍ଷେତ୍ରରେ ବି ଏହା ପ୍ରଯୁଜ୍ୟ।
l ‘ବୋଉ ବୁଟୁ ଭୂତ’ର କାହାଣୀକାର ମହମ୍ମଦ୍ ଇମ୍ରାନ୍ଙ୍କର ଏହା ପ୍ରଥମ ଓଡ଼ିଆ ଛବି।
l ପ୍ରଥମ ଥର ପାଇଁ ସବ୍ୟସାଚୀ ମହାପାତ୍ରଙ୍କ କୌଣସି ସିନେମା ରଜରେ ରିଲିଜ୍ ହେଉଛି।
l ଏଣେ ସବ୍ୟସାଚୀ ମହାପାତ୍ରଙ୍କ ସିନେମାରେ ପ୍ରଥମ ଥର ଲାଗି ସଙ୍ଗୀତ ନିର୍ଦ୍ଦେଶନା ଦେବାର ସୁଯୋଗ ପାଇଛନ୍ତି ଜଣାଶୁଣା ସ୍ବରକାର ଅଭିଜିତ ମଜୁମ୍ଦାର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/06/01/xRPq4Ohqdv852oUb48Ok.jpg)