ଓଡ଼ିଆ ସିନେମାର ପୂଜା ବଜାର ଧୀରେ ଧୀରେ ଜମିଆସିଲାଣି। ଏଥର ୪ଟି ଓଡ଼ିଆ ଛବି ମୁକ୍ତିଲାଭ କରିବାର ସୂଚନା ରହିଛି। ଏବର୍ଷ ଦଶହରାରେ ଅନୁଭବ ମହାନ୍ତିଙ୍କ ଅଭିନୀତ ‘କର୍ମ’ ରିଲିଜ୍ ହେଉଥିବା ବେଳେ ସମସ୍ତଙ୍କ ନଜର ରହିଛି ଏହି ସିନେମା ଉପରେ। ଆଉ ଅନ୍ୟ ତିନି ସିନେମାକୁ ବି ନଜରଅନ୍ଦାଜ କରାଯାଇ ନପାରେ।
କର୍ମ
ଦଶହରାରେ ମୁକ୍ତିଲାଭ କରିବାକୁ ଯାଉଥିବା ଓଡ଼ିଆ ସିନେମା ‘କର୍ମ’ର ଟାଇଟଲ୍ ଘୋଷଣା ହେବା ଦିନଠାରୁ ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଅମୀୟ ପଟ୍ଟନାୟକ ପ୍ରଡକସନ୍ ବ୍ୟାନର୍ରେ ନିର୍ମିତ ଏହି ଓଡ଼ିଆ ଛବିର ପ୍ରଯୋଜନା କରିଛନ୍ତି ବର୍ଷା ପଟ୍ଟନାୟକ ଓ ଅନୁପମ ପଟ୍ଟନାୟକ। ‘ପ୍ରତୀକ୍ଷା’ ପାଇଁ ରାଷ୍ଟ୍ରୀୟ ପୁରସ୍କାର ଜିଣିଥିବା ଅନୁପମ ପଟ୍ଟନାୟକ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ‘କର୍ମ’ରେ ମୁଖ୍ୟ ଭୂମିକାରେ ଅଛନ୍ତି ଅନୁଭବ ମହାନ୍ତି। ସେ ପୁଲିସର ସ୍ପେସାଲ୍ ଟାସ୍କ୍ ଅଫିସର୍ ଅମର ପଟ୍ଟନାୟକ ଚରିତ୍ରରେ ଅଭିନୟ କରିଥିବା ବେଳେ ସୂର୍ଯ୍ୟମୟୀ ତାଙ୍କ ପତ୍ନୀ ଭୂମିକା ନିଭାଇଛନ୍ତି। ଏହାଛଡ଼ା ଏଥିରେ ଚୌଧୁରୀ ଜୟପ୍ରକାଶ ଦାସ, ମନ୍ମୟ, ଦିବ୍ୟାଦିଶା, ସନୋଜ, ନିଶାନ୍ତ ମଜିଠିଆ ଓ ଉଦିତ ଗୁରୁ ପ୍ରମୁଖ ଅଭିନୟ କରିଛନ୍ତି। ମାନସ ପଢ଼ିଆରି ଏହି ଭିନ୍ନ ଶୈଳୀ ଥ୍ରିଲର୍ର ସଂଳାପ ରଚନା କରିଥିବା ବେଳେ ସଂଗୀତ ନିର୍ଦ୍ଦେଶନାରେ ଅଛନ୍ତି ଆଶିଷ ପ୍ରଧାନ। ଦୀପକ କୁମାର ଏହାର ସିନେମାଟୋଗ୍ରାଫର୍।
ଦୁର୍ଗା
୨୦୨୪ ପୂଜା ବଜାରକୁ ଆସୁଛି ନାରୀକୈନ୍ଦ୍ରିକ କାହାଣୀ ଆଧାରିତ ‘ଦୁର୍ଗା’। ଯୁବ ପ୍ରଯୋଜକ କୁମାର ପ୍ରୀତମ୍ ସାହୁଙ୍କର ଏହା ପଞ୍ଚମ ସିନେମା। ତାପସ ସରଘରିଆ ଏହାର କାହାଣୀ ଓ ନିର୍ଦ୍ଦେଶନା ଦାୟିତ୍ବ ବହନ କରିଥିବା ବେଳେ ସୁରେଶ ପଟ୍ଟନାୟକ ଫିଲ୍ମର ଚିତ୍ରନାଟ୍ୟ ରଚନା କରିଛନ୍ତି। ‘ଦୁର୍ଗା’ର ସଂଳାପ ଲେଖିଛନ୍ତି ଅନ୍ତର୍ଯ୍ୟାମୀ ସରଘରିଆ। ଡକ୍ଟର ନିର୍ମଳ ନାୟକଙ୍କ ଗୀତକୁ ସ୍ବରରେ ସଜାଇଛନ୍ତି ଅଭିଜିତ ମଜୁମ୍ଦାର। ‘ଦୁର୍ଗା’ର ମୁଖ୍ୟ କଳାକାରମାନେ ହେଲେ ପୁନମ୍ ମିଶ୍ର, ରାଜ ରାଜେଶ, ଅଭିଷେକ ଗିରି, ସରୋଜ ପରିଡ଼ା, ହରି, ପୃଥ୍ବୀରାଜ ନାୟକ, ଶକ୍ତି ବରାଳ, ପୁଷ୍ପା ପଣ୍ଡା ଓ ବଲିଉଡ୍ ନାୟିକା ଈଶା ତଲ୍ୱାର୍।
ଭିଲେନ୍
ଆଦିଲକ୍ଷ୍ମୀ ଏଣ୍ଟର୍ଟେନ୍ମେଣ୍ଟ୍ ବ୍ୟାନର୍ରେ ପ୍ରସ୍ତୁତ ‘ଭିଲେନ୍’ ବି ଦଶହରାର ଅନ୍ୟତମ ଆକର୍ଷଣ ହୋଇପାରେ। ଆଦିକନ୍ଦ ସାହୁଙ୍କ ପ୍ରଯୋଜିତ ‘ଭିଲେନ୍’ର ନିର୍ଦ୍ଦେଶକ ହେଲେ କେ. ମୁରଲୀକ୍ରିଷ୍ଣା। ଆକ୍ସନ୍ରେ ଭରପୂର ଏହି ବଡ଼ ବଜେଟ୍ର ଛବିରେ ଅର୍ଦ୍ଧେନ୍ଦୁଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅଛନ୍ତି ତମନ୍ନା। ଏହାଛଡ଼ା, ଉଷସୀ ମିଶ୍ର, ବବି ମିଶ୍ର, କେ କେ, ସମରେଶ, ହର ରଥ, ବ୍ରଜ ସିଂହ, ରବି ମିଶ୍ର, ରାଜୁ ଦାସ ଓ ସୋମୁ ପ୍ରମୁଖ ଏଥିରେ ଅଭିନୟ କରିଛନ୍ତି। ଦେବୀଦତ୍ତ ମହାନ୍ତି ଏହାର କାହାଣୀକାର। ଲୁବୁନ୍-ଟୁବୁନ୍ ଓ ବିଦୁ ଫିଲ୍ମର କୋରିଓଗ୍ରାଫି କରିଥିବା ବେଳେ ଜାପାନୀଭାଇ ‘ଭିଲେନ୍’ର ସଙ୍ଗୀତକାର। ବାପୁ ଗୋସ୍ବାମୀ ଓ ତପୁ ନାୟକ ଏହାର ଗୀତିକାର।
ଖୋକା ଭାଇ ତମ ପାଇଁ
କୁହୁ ସିନେଫ୍ଲିକ୍ସ ଓ ଭଦ୍ର ମୋସନ୍ ଷ୍ଟୁଡିଓର ମିଳିତ ଉଦ୍ୟମରେ ପ୍ରସ୍ତୁତ ଓଡ଼ିଆ ଛବି ‘ଖୋକା ଭାଇ ତମ ପାଇଁ’ ବି ଦଶହରାର ଅନ୍ୟତମ ଆକର୍ଷଣ ହେବ ବୋଲି କୁହାଯାଉଛି। ଜଣାଶୁଣା କୋରିଓଗ୍ରାଫର୍ ଗିରିଶ ମହାନ୍ତି ଏହି ଫିଲ୍ମର ନିର୍ଦ୍ଦେଶକ। ଭରଦ୍ବାଜ ପଣ୍ଡା ଓ ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କ ପୁତ୍ର ମିତ୍ରଭାନୁ ମହାନ୍ତି ଏହାର କାହାଣୀ ରଚନା କରିଛନ୍ତି। ଏଥିରେ ନାୟକ ଭୂମିକାରେ ସ୍ବରାଜ ଓ ନାୟିକା ଭାବେ ଲକି ମନୀଷାଙ୍କୁ ଦେଖିବାକୁ ମିଳିବ। ଏହାଛଡ଼ା ଅଙ୍କିତା, ସୁକାନ୍ତ ରଥ, ଶ୍ବେତା ଆଚାର୍ଯ୍ୟ, ସରୋଜ ପରିଡ଼ା ଓ ଉପାସନା ମଧ୍ୟ ନଜର ଆସିବେ ଏଥିରେ। ଓଡ଼ିଆ ସଙ୍ଗୀତଜଗତର ବେତାଜ୍ ବାଦ୍ଶାହା ଅକ୍ଷୟ ମହାନ୍ତିଙ୍କ ଗୀତକୁ ନେଇ ଏହାର କାହାଣୀ ପ୍ରସ୍ତୁତ ହୋଇଥିବା ଚର୍ଚ୍ଚା ହେଉଛି। ଓଲିଉଡ୍ରେ ଏ ଧରଣର ସିନେମା ପ୍ରଥମ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।