ଓଲିଉଡ୍ର ଚାରି ସଫଳ ନାୟକ ଅନୁଭବ, ବାବୁସାନ୍, ସବ୍ୟସାଚୀ ଓ ଅରିନ୍ଦମଙ୍କ ସହ କେବଳ ତିନି ଜଣ ଚର୍ଚ୍ଚିତା ନାୟିକା ଅନ୍ ସ୍କ୍ରିନ୍ ରୋମାନ୍ସ କରିଛନ୍ତି। ଯଦିଓ ଅନ୍ୟ ନାୟିକାମାନେ ଏମାନଙ୍କ ମଧ୍ୟରୁ ଜଣେ, ଦୁଇଜଣ କିମ୍ବା ତିନି ଜଣଙ୍କ ସହ ଅଭିନୟ କରିଛନ୍ତି, କିନ୍ତୁ ଅର୍ଚ୍ଚିତା, ପ୍ରିୟା ଓ ଏଲିନା ବିଭିନ୍ନ ଚଳଚ୍ଚିତ୍ରରେ ଏହି ଚାରିନାୟକଙ୍କ ନାୟିକା ବନିଛନ୍ତି। ଶିବଶଙ୍କର ଓଝା
ଅର୍ଚ୍ଚିତା
ପ୍ରଭାଂଶୁ ସାମନ୍ତରାୟଙ୍କ ପ୍ରଯୋଜିତ ତଥା ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ୨୦୦୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ଓ ମାଇଁ ଲଭ୍’ ଜରିଆରେ ଅର୍ଚ୍ଚିତା ସାହୁ ନାୟିକା ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏଥିରେ ତାଙ୍କର ନାୟକ ଥିଲେ ରାଜଦୀପ। ପରେ ସେ ଅନୁଭବ, ବାବୁସାନ୍, ସବ୍ୟସାଚୀ ଓ ଅରିନ୍ଦମଙ୍କ ସହ ବିଭିନ୍ନ ସିନେମାରେ ନଜର ଆସିଛନ୍ତି। ଅନୁଭବ-ଅର୍ଚ୍ଚିତା ଯୋଡ଼ି ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ତୋ ବିନା ମୋ କାହାଣୀ ଅଧା’ ଓ ‘ଧନରେ ରଖିବୁ ଶପଥ ମୋର’ ଏବଂ ଏସ୍. କେ. ମୁରଲୀଧରନ୍ଙ୍କ ନିର୍ଦ୍ଦେଶିତ ‘ଆକାଶେ କି ରଙ୍ଗ ଲାଗିଲା’ରେ ନଜର ଆସିଥିଲେ। ଠିକ୍ ସେହିପରି ବାବୁସାନ୍ଙ୍କ ନାୟିକା ଭାବେ ଅର୍ଚ୍ଚିତା ‘ଥୁକୁଲ୍’, ‘ଲୋଫର୍’, ‘ଚକଲେଟ୍’ ଓ ‘ଅଜବ ସଂଜୁର ଗଜବ କଥା’ ଆଦି ସିନେମାରେ ଦେଖା ଦେଇଛନ୍ତି। ଏଣେ ସେ ‘ମତେ ଆଣିଦେଲ ଲକ୍ଷେ ଫଗୁଣ’, ‘ପାଗଳ କରିଚି ପାଉଁଜି ତୋର’, ‘କେଉଁ ଦୁନିଆରୁ ଆସିଲ ବନ୍ଧୁ’, ‘ତୋର ମୋର ଯୋଡ଼ି ସୁନ୍ଦର’, ‘କେବେ ତୁମେ ନାହଁ କେବେ ମୁଁ ନାହିଁ’, ‘ଛାତି ତଳେ ଡିଙ୍ଗ୍ଡଙ୍ଗ୍, ପିଲାଟା ବିଗିଡ଼ିଗଲା’, ‘ବାଏ ବାଏ ଦୁବାଇ’, ‘ସ୍ମାଇଲ୍ ପ୍ଲିଜ୍’, ‘ମୁଁ ଏକା ତୁମର’, ‘ହେଲା ମତେ ପ୍ରେମ ଜର’ ଓ ‘ଅଭିମାନ’ ଆଦି ଓଡ଼ିଆ ଛବିରେ ସେ ସବ୍ୟସାଚୀଙ୍କ ନାୟିକା ସାଜିଛନ୍ତି। ତେଣେ ଅରିନ୍ଦମ-ଅର୍ଚ୍ଚିତା ଯୋଡ଼ିଙ୍କୁ ଦର୍ଶକ ‘ତୋ ପାଇଁ ନେବି ମୁଁ ଶହେ ଜନମ’, ‘ମୁଁ ସପନର ସୌଦାଗର’, ‘ରଜା ଝିଅ ସାଙ୍ଗେ ହେଇଗଲା ଭାବ’ ଓ ‘ଶିବା ନଟ୍ ଆଉଟ୍’ ଆଦି ସିନେମାରେ ଦେଖିବାକୁ ପାଇଛନ୍ତି।
ପ୍ରିୟା
ଓଲିଉଡ୍ର ଜଣାଶୁଣା ନାୟିକା ପ୍ରିୟା ୨୦୦୮ରେ ମୁକ୍ତିଲାଭ କରିଥିବା ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ଡ୍ରିମ୍ଗାର୍ଲ’ରେ ପ୍ରଥମେ ଅଭିନୟ କରି ବଡ଼ ପରଦାକୁ ଆସିଥିଲେ। ଏଥିରେ ତାଙ୍କର ନାୟକ ବନିଥିଲେ ସବ୍ୟସାଚୀ। ଏହାପରେ ସବ୍ୟସାଚୀ-ପ୍ରିୟାଙ୍କ ଯୋଡ଼ି ‘ମେଘ ସବାରୀରେ ଆସିବୁ ଫେରି’, ‘ଦିଲ୍ ତତେ ଦେଇଚି’ ଓ ‘ଚାନ୍ଦିନୀ ଆଇ ମିସ୍ ୟୁ’ ଆଦି ଛବିରେ ନଜର ଆସିଛନ୍ତି। ଅନୁଭବଙ୍କ ବିପକ୍ଷରେ ପ୍ରିୟାଙ୍କୁ କେବଳ ଗୋଟିଏ ସିନେମାରେ ଦେଖିବାକୁ ମିଳିଛି, ତାହା ହେଲା ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ଅଭିମନ୍ୟୁ’। ଠିକ୍ ସେହିପରି ବାବୁସାନ୍ଙ୍କ ସହ ବି କେବଳ ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ଦୋସ୍ତି’ରେ ଅଭିନୟ କରିଛନ୍ତି ପ୍ରିୟା। ତେଣେ ଅରିନ୍ଦମଙ୍କ ବିପକ୍ଷରେ ତାଙ୍କୁ ଏସ୍ ଦିଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ‘ହିରୋ-ଏକ ପ୍ରେମ କଥା’, ଜ୍ୟୋତି ଦାସଙ୍କ ନିର୍ଦ୍ଦେଶିତ ‘ଗୁଡ୍ବୟ’, ସୁଧାଂଶୁମୋହନ ସାହୁଙ୍କ ନିର୍ଦ୍ଦେଶିତ ‘ପାରିବେନି କେହି ଅଲଗା କରି’ ଆଦି ଓଡ଼ିଆ ଛବିରେ ଦେଖିବାକୁ ପାଇଛନ୍ତି ଦର୍ଶକ।
ଏଲିନା
୨୦୧୫ରେ ମୁକ୍ତିଲାଭ କରିଥିବା ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ‘ଇସ୍କ ତୁ ହି ତୁ’ରୁ ଓଲିଉଡ୍ରେ କ୍ୟାରିଅର୍ ଆରମ୍ଭ କରିଥିଲେ ଏଲିନା। ପ୍ରଥମ ସିନେମାରେ ତାଙ୍କୁ ଅରିନ୍ଦମଙ୍କ ସାଥ୍ ମିଳିଥିଲା। ଏହାପରେ ଅରିନ୍ଦମ-ଏଲିନା ଯୋଡ଼ିଙ୍କୁ ଦର୍ଶକ ଜ୍ୟୋତି ଦାସଙ୍କ ନିର୍ଦ୍ଦେଶିତ ‘ଇସ୍କ ପୁଣି ଥରେ’ରେ ଦେଖିବାକୁ ପାଇଥିଲେ। ତେଣେ ଅନୁଭବଙ୍କ ସହ ସେ ମୁରଲୀକ୍ରିଷ୍ଣାଙ୍କ ନିର୍ଦ୍ଦେଶିତ ‘ଜଗା ହାତରେ ପଘା’, ‘ଅଭୟ’ ଓ ରମେଶ ରାଉତଙ୍କ ନିର୍ଦ୍ଦେଶିତ ‘କାବୁଲା ବାରବୁଲା’ ଆଦି ଓଡ଼ିଆ ସିନେମାରେ ନାୟିକା ଭାବେ ନଜର ଆସିଛନ୍ତି। ବାବୁସାନ୍ଙ୍କ ସହ ଏଲିନାଙ୍କର ପ୍ରଥମ ଫିଲ୍ମ ଥିଲା ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ଲଭ୍ ଷ୍ଟେସନ୍’। ଏହାପରେ ଏହି ଯୋଡ଼ିଙ୍କୁ ‘ଝିଅଟା ବିଗିଡ଼ିଗଲା’ ଏବଂ ‘ପାୱାର୍’ରେ ଦେଖିବାକୁ ପାଇଥିଲେ ଦର୍ଶକ। ଏଣେ ବାବୁସାନ୍ଙ୍କ ଅଭିନୀତ ‘ମାଲ୍ୟଗିରି ଶେଷରୁ ଆରମ୍ଭ’ରେ ବି ଏଲିନା ଅଭିନୟ କରିଥିଲେ। ସବ୍ୟସାଚୀଙ୍କ ସହ ଏଲିନା ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ ‘ଫୋର୍ ଇଡିଅଟ୍ସ’, ରମେଶ ରାଉତଙ୍କ ନିର୍ଦ୍ଦେଶିତ ‘ଟୋକାଟା ଫସିଗଲା’ଓ ‘ମାଲ ମହୁ ଜୀବନ ମାଟି’ ଆଦି ଓଡ଼ିଆ ସିନେମାରେ ନାୟିକା ଭାବେ ନଜର ଆସିଛନ୍ତି।