ଟାଇଗର୍ ଶ୍ରଫ୍ଙ୍କର ବହୁ ଚର୍ଚ୍ଚିତ ଫିଲ୍ମ ‘ବାଗୀ ୨’ ଏଇ ମାର୍ଚ୍ଚ ୩୦ ତାରିଖରେ ରିଲିଜ୍ ହେବାକୁ ଯାଉଛି। ପ୍ରଯୋଜକ ସାଜିଦ୍ ନାଡ଼ିଆଓ୍ଵାଲାଙ୍କ ନାଡ଼ିଆଓ୍ଵାଲା ଗ୍ରାଣ୍ଡ୍ସନ୍ସ୍ ଏଣ୍ଟର୍ଟେନ୍ମେଣ୍ଟ୍ ବ୍ୟାନର୍ରେ ତିଆରି ହୋଇଥିବା ଏ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅହମ୍ମଦ୍ ଖାଁ। ଏ ଫିଲ୍ମ ହେଉଛି ୨୦୧୬ ମସିହାରେ ରିଲିଜ୍ ହୋଇଥିବା ‘ବାଗୀ’ର ଦ୍ୱିତୀୟ ଭାଗ ବା ସିକ୍ୱେଲ୍।
‘ବାଗୀ ୨’ରେ ଟାଇଗର୍ଙ୍କ ନାୟିକା ଭୂମିକାରେ ଅଛନ୍ତି ତାଙ୍କ ସତ ଜୀବନର ଗାର୍ଲଫ୍ରେଣ୍ଡ୍ ଦିଶା ପଟାନି। ଏମାନଙ୍କ ସହିତ ଆହୁରି ଅଛନ୍ତି ପ୍ରତୀକ୍ ବବର୍, ମନୋଜ ବାଜପୋୟୀ ଓ ରଣଦୀପ୍ ହୁଦା ପ୍ରମୁଖ। ହଟ୍ ଅଭିନେତ୍ରୀ ଜାକ୍ଲିନ୍ ଫର୍ନାଣ୍ଡିଜ୍ ଏଥିରେ ଏକ ଆଇଟମ୍ ଗୀତରେ ନୃତ୍ୟ କରିଛନ୍ତି।
ତେବେ ‘ବାଗୀ ୨’ର କେନ୍ଦ୍ରରେ ଯେ ଟାଇଗର୍ ଅଛନ୍ତି, ସେଥିରେ କିଛି ସନ୍ଦେହ ନାହିଁ। ଏଥିରେ ତାଙ୍କୁ ଆମେ ହି-ମ୍ୟାନ୍ ରୂପରେ ଦେଖିବା। ଏ ଫିଲ୍ମରେ ତାଙ୍କର ଅନେକ ଆଖିଝଲସା ଷ୍ଟଣ୍ଟ୍ ଅଛି, ଯାହାକୁ ବଲିଉଡ୍ ଦର୍ଶକମାନେ ପୂର୍ବରୁ କେବେ ଦେଖି ନାହାନ୍ତି। ଏ ଫିଲ୍ମ ପାଇଁ ପ୍ରସ୍ତୁତି କରିବାଲାଗି ଟାଇଗର୍ ହଂକଂ ଯାଇ ଆକ୍ସନ୍ ଡାଇରେକ୍ଟର୍ ଟୋନି ଚିଙ୍ଗ୍ଙ୍କଠାରୁ ପ୍ରଶିକ୍ଷଣ ନେଇଥିଲେ। ଦିଶା ମଧ୍ୟ ଏ ଫିଲ୍ମ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେଇଛନ୍ତି।
‘ବାଗୀ ୨’ର କାହାଣୀ ଏକ ସୁପର୍ହିଟ୍ ତେଲୁଗୁ ଫିଲ୍ମ ‘କ୍ଷଣମ୍’ ଦ୍ୱାରା ପ୍ରଭାବିତ। ତେବେ କାହାଣୀକୁ ଏଥିରେ ଅନେକଟା ପରିବର୍ତ୍ତନ କରା ଯାଇଛି ଏବଂ ଅଧିକ ଆକ୍ସନ୍ ଖଞ୍ଜା ଯାଇଛି। ‘କ୍ଷଣମ୍’ରେ ଥିଲା ହଜି ଯାଇଥିବା ଏକ ଶିଶୁର କାହାଣୀ। ଫିଲ୍ମର ନାୟକ ସହିତ ସେ ଶିଶୁର ସଂପର୍କ ହେଉଛି, ନାୟକର ପୂର୍ବତନ ପ୍ରେମିକା ଶିଶୁଟିର ମାଆ। ତା’ ପିଲାକୁ ଉଦ୍ଧାର କରିବାଲାଗି ମାଆଟି ନିଜର ପୂର୍ବତନ ପ୍ରେମିକକୁ ପ୍ରାର୍ଥନା କରିଛି.... ଏଇ କାହାଣୀକୁ ସାଜିଦ୍ ବଲିଉଡ୍ ଦର୍ଶକଙ୍କ ଅଭିରୁଚି ଅନୁସାରେ କିଛି କିଛି ବଦଳାଇଛନ୍ତି। ତା’ର ଫଳ କ’ଣ ହୋଇଛି, ଜାଣିବାଲାଗି ଆମକୁ ୩୦ ତାରିଖ ଯାଏ ଅପେକ୍ଷା କରିବାକୁ ପଡ଼ିବ!