ଖସି ଯାଉଛି ସମୟ, ସୁଯୋଗକୁ ଅପେକ୍ଷା

ଅଭିନୟ ଏମିତି ଏକ କ୍ଷେତ୍ର ଯେଉଁଠି ଜଣେ କଳାକାରକୁ ସର୍ବଦା ସକ୍ରିୟ ରହିବାକୁ ପଡ଼ିବ। କୌଣସି କାରଣରୁ ଦର୍ଶକଙ୍କ ଦୃଶ୍ୟପଟରୁ ଥରେ ସେ ଅପସରିଗଲେ ପୁଣି ଥରେ ଫେରିବା କଷ୍ଟକର ହୋଇପଡ଼େ। ଅଭିନେତ୍ରୀ ଆଦିତି ଭାଟିଆଙ୍କ ଭାଗ୍ୟରେ ସେପରି କିଛି ଘଟିଛି। ଷ୍ଟାର୍ସ ପ୍ଳସରେ ୨୦୧୯ ଯାଏ ପ୍ରସାରଣ ଜାରି ରହିଥିବା ଲୋକପ୍ରିୟ ଧାରାବାହିକ ‘ୟେ ହୈ ମୋହବତେଁ’ର ରୁହି ଭାଲ୍ଲା ଚରିତ୍ର ପାଇଁ ଦର୍ଶକଙ୍କ ପାଖରେ ଏକ ପରିଚିତ ନାଁ ପାଲଟିଥିବା ଆଦିତିଙ୍କ ହାତ ଏବେ ସଂପୂର୍ଣ୍ଣ ଖାଲି। ଆଗରୁ ପାଞ୍ଚଟି ହିନ୍ଦୀ ସିନେମା ଓ ଦଶଟି ଧାରାବାହିକରେ ଅଭିନୟ କରିଥିବା ଆଦିତିଙ୍କର ନା ପୂର୍ବର ଲୋକପ୍ରିୟତା ଫେରିପାରୁଛି ନା ସେ ଅଭିନୟ ଜଗତ୍‌ରେ ସକ୍ରିୟ ରହି ନିଜ ଛବିକୁ ସତେଜ ରଖିପାରୁଛନ୍ତି। କେବଳ ସାମାଜିକ ଗଣମାଧ୍ୟମରେ ନିଜର କିଛି ମନଲୋଭା ଫଟୋ ଛାଡ଼ି ପୁରୁଣା ପ୍ରଶଂସକମାନଙ୍କୁ ଯାହା ଜାବୁଡ଼ି ଧରିବାକୁ ସେ ଚେଷ୍ଟା କରୁଛନ୍ତି। ମୁମ୍ବାଇଠାରେ ୧୯୯୯ ଅକ୍ଟୋବର ୨୯ରେ ଜନ୍ମ ନେଇଥିବା ଆଦିତିଙ୍କର ଶିକ୍ଷାରେ ସେଭଳି ପାରଦର୍ଶିତା ନଥିଲେ ବି ଜଣେ ଶିଶୁ କଳାକାର ଭାବେ ସେ ବେଶ ଅଗ୍ରଣୀ ଥିଲେ। ତେଣୁ ଯୁକ୍ତ ଦୁଇ ପଢ଼ିଥିବା ଆଦିତି ଅଭିନୟ ନିଶାକୁ ଜୀବନର ପେସା କରିବା ଲକ୍ଷ୍ୟରେ ଶୈକ୍ଷିକ ଦୁର୍ବଳତା ପାଇଁ ଆଦୌ ମନସ୍ତାପ କରିନଥିଲେ। ତାଙ୍କୁ ଯେତେବେଳେ ମାତ୍ର ପାଞ୍ଚ ବର୍ଷ, ହିନ୍ଦୀ ଧାରାବାହିକ ‘ହୋମ୍‌ ସ୍ବିଟ୍‌ ହୋମ୍‌’ ମାଧ୍ୟମରେ ସେ ରୁପେଲି ପରଦାକୁ ପ୍ରବେଶ କରିଥିଲେ।

ତେବେ ତାହାର ଦୁଇ ବର୍ଷ ପରେ ହିନ୍ଦୀ ଫିଲ୍ମ ‘ବିବାହ’ରେ ଏକ ସଂକ୍ଷିପ୍ତ ଶିଶୁ ଭୂମିକାରେ ଅବତୀର୍ଣ୍ଣ ହୋଇ ସେ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ସେଇ ବର୍ଷ ଧାରାବାହିକ ‘ଘର କି ଲକ୍ଷ୍ମୀ ବେଟିୟାଁ’ରେ ଅନୁରୂପ କ୍ଷୁଦ୍ର ଚରିତ୍ରରେ ତାଙ୍କୁ ଦେଖିବାକୁ ମିଳିଥିଲା। ତେବେ ତହିଁ ପରବର୍ଷ ହିନ୍ଦୀ ଫିଲ୍ମ ‘ସୁଟ୍‌ଆଉଟ୍‌ ଆଟ୍‌ ଲୋଖଣ୍ଡଵାଲା’ ଓ ‘ଦି ଟ୍ରେନ୍‌’ରେ ତାଙ୍କର ଭୂମିକା ତାଙ୍କୁ ଆଉଟିକେ ପରିଚିତ କରାଇଥିଲା। ସେହିପରି ଧାରାବାହିକ ‘ତୁଝ ସଙ୍ଗ ପ୍ରୀତ ଲଗାଇ ସାଜନା’ରେ ସେ ନିଭାଇଥିବା ତୁଳସୀ ଚରିତ୍ର ମଧ୍ୟ ବେଶ ଆକର୍ଷଣୀୟ ହୋଇପାରିଥିଲା। ତେବେ ମାଟ୍ରିକ୍‌ ପରୀକ୍ଷା ପରେ ହିନ୍ଦୀ ସିନେମା ‘ଚାନ୍ସ ପେ ଡ୍ୟାନ୍ସ’ରେ ତାଙ୍କର ଜଣେ ଅନୁଢ଼ା କିଶୋରୀ ଅବତାରକୁ ଦର୍ଶକ ବେଶୀ ଗ୍ରହଣ କରିଥିଲେ।

ଏଥି ସହିତ ୨୦୧୫ରେ ସେ ନିଜର ସ୍ଥିତିକୁ କାଏମ୍‌ ରଖିବା ଲାଗି ଧାରାବାହିକ ‘ଟସନ୍‌-ଇ-ଇସ୍କ’ରେ କିଛି ପ୍ରଭାବୀ ଛାପ ଛାଡ଼ିପାରିଥିଲେ। ସର୍ବୋପରି ୨୦୧୬ରୁ ୨୦୧୯ ଯାଏ ପ୍ରସାରିତ ସୁଦୀର୍ଘ ଧାରାବାହିକ ‘ୟେ ହୈ ମୋହବତେଁ’ରେ ସେ ଆଶାତୀତ ଲୋକପ୍ରିୟତା ହାସଲ କରିଥିଲେ। ଏହି ଅବସରରେ ୨୦୧୭ରେ ମଧ୍ୟ ହିନ୍ଦୀ ସିନେମା ‘ସରଗୋସିୟାଁ’ରେ କୌଣସି ମତେ ସାମିଲ ହୋଇ ବଡ଼ ପରଦା ସହ ଯୋଡ଼ି ହୋଇଥିଲେ। ମାତ୍ର ତାହା ପରଠାରୁ ଆଉ ତାଙ୍କୁ କୌଣସି ଫିଲ୍ମ ପାଇଁ ପ୍ରସ୍ତାବ ଆସିନି। ଅପରପକ୍ଷେ, କିଛି ବାସ୍ତବଧର୍ମୀ ଟିଭି ଧାରାବାହିକରେ କେବଳ ପ୍ରତିଯୋଗୀ ସାଜି ଦର୍ଶକଙ୍କ ପାଖରେ ଆପଣାର ହେବାକୁ ସେ ଚେଷ୍ଟା ଜାରି ରଖିଛନ୍ତି। ଏବେ ବୟସ ଖସିନଥିଲେ ହେଁ ହାତରୁ ସମୟ ଖସି ଖସି ଯାଉଛି। ତଥାପି କୌଣସି ସୁଯୋଗ ଅପେକ୍ଷାରେ ଆଦିତି ରହିଛନ୍ତି।

ସମ୍ବନ୍ଧିତ ଖବର