ଭୁବନେଶ୍ୱର: ଆଜି ରିଲିଜ୍ ହେଉଛି ଏକ ନୂଆ ଓଡ଼ିଆ ସିନେମା,ଯାହାର ଟାଇଟଲ୍ ହେଲା ଜୋର୍କା ଝଟ୍କା।ଏହାର ନାଆଁ ଯେମିତି ହଟ୍କେ କାହାଣୀ ବି ସେଭଳି ଅଲଗା ପ୍ରକାରର ବୋଲି କୁହାଯାଉଛି।
‘ଜୋର୍କା ଝଟ୍କା’ର ନିର୍ଦ୍ଦେଶନା ଦେଇଛନ୍ତି ନବାଗତ ପିନୁ ନାୟକ। ଜଣାଶୁଣା ରବୀନ୍ଦ୍ର କୁମାର ପଣ୍ଡାଙ୍କ ନିବେଦିତ ଏହି ସିନେମାରେ ଦର୍ଶକ ଅନେକ ଦିନ ବ୍ୟବଧାନରେ ଏକ ପୁରୁଣା ଯୋଡ଼ିକୁ ଭେଟିବେ। ଏହି ଯୋଡ଼ି ହେଲେ ଦୀପକ-ପିଙ୍କି।
ଦୀପକ-ପିଙ୍କି ଯୋଡ଼ିଙ୍କୁ ‘ତୁ ମୋ’ସପନର ନାୟିକା’ସିନେମାରେ ପ୍ରଥମେ ପରଦାକୁ ଆଣିଥିଲେ ପ୍ରଯୋଜକ ରବୀନ୍ଦ୍ର କୁମାର ପଣ୍ଡା। ତା’ପରେ ସେ କ୍ରମାଗତ ଭାବେ ଅନ୍ୟ ଦୁଇଟି ପ୍ରୋଜେକ୍ଟର ନାଆଁ ବି ଘୋଷଣା କରିଛନ୍ତି। ଏପରିକି ଗୋଟିକର ଶୁଭ ମହୁରତ ବି ହୋଇଯାଇଥିଲା। କିନ୍ତୁ ସେଗୁଡିକ ଅଟକି ରହିଛି।
ହଁ ଏଠାରେ ଯେଉଁ ଦୁଇଟି ଓଡ଼ିଆ ସିନେମାର କଥା କୁହାଯାଉଛି,ତାହା ହେଲା ‘ଲଭ୍ ଟ୍ବଣ୍ଟି ଟ୍ବଣ୍ଟି’ ଓ ‘ତୁ ମୋ’ ନୀଳନୟନା’। ଉଭୟ ସିନେମାରେ ଦୀପକ-ପିଙ୍କି ଯୋଡ଼ିଙ୍କୁ ନିଆଯାଇଛି।
ଏବେ ‘ଜୋର୍ କା ଝଟ୍କା’ଉପରେ ଆଖି ରହିଛି ଦୀପକ-ପିଙ୍କି ଯୋଡ଼ିର। ଏହି ସିନେମାର କାହାଣୀ ବେଶ୍ ମଜାଦାର ବୋଲି କୁହାଯାଉଛି।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀତମ୍ ଦାସ, ମିହିର ଦାସ ,ହରି ଏବଂ ପ୍ରଜ୍ଞା ପ୍ରମୁଖ କଳାକାରଙ୍କୁ ଦେଖିବାକୁ ମିଳିବ। ଅଶୋକ ବେହେରା ଏବଂ ଶିବାନୀ ବେହେରା ଏହାର ପ୍ରଯୋଜକ। ଅଭିଜିତ ମଜୁମଦାର ଏହାର ସଙ୍ଗୀତ ନିର୍ଦ୍ଦେଶକ।